ରାଜନୀତି

ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହାଲ୍ଲା, ୧୧ଟା ୪୧ ଯାଏଁ ଗୃହ ମୁଲତବୀ

: ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ। ୧୧ଟା ୪୧ ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି। ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ପ୍ରତିବାଦ କରିଥିଲେ। କଲେଜ ନିର୍ବାଚନ ଦାବି କରି ସ୍ଲୋଗାନ ଦେବା ସହ ହୋହାଲ୍ଲା କରିଥିଲେ।

ସେପଟେ ରାଜ୍ୟପାଳଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ନବୀନ ପଟ୍ଟନାୟକଙ୍କ ଗିରଫଦାରୀ ଶବ୍ଦକୁ ହଟାଇବା ପାଇଁ ନିଜ ସିଟ୍ରେ ଠିଆ ହୋଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦାବି କରିଥିଲେ। ଯାହାଫଳରେ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି।

ସୂଚନାନୁଯାୟୀ, ମଙ୍ଗଳବାରଠୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ପୂର୍ବତନ ଯଶୀପୁର ବିଧାୟକ ସୁନ୍ଦରମୋହନ ମାଝୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଏହାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମର୍ଥନ କରିଛନ୍ତି।

ପ୍ରକାଶ ଥାଉକି, ନୂଆ ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆଶା କରାଯାଉଥିଲା । କ୍ୟାମ୍ପସକୁ ପୁଣି ଗଣତାନ୍ତ୍ରିକ ପ୍ରକ୍ରିୟା ଫେରିବ ଏବଂ ୬ ବର୍ଷ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନୂଆ ଛାତ୍ର ନେତା ସୃଷ୍ଟି ହେବେ ବୋଲି ସମସ୍ତଙ୍କର ଆଶା ଥିଲା। ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବିବୃତିରୁ ଆଶା କରାଯାଉଥିଲା। ହେଲେ ଆଇନ ମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ଚଳିତ ବର୍ଷ ନୁହେଁ, ଆସନ୍ତା ବର୍ଷ ହେବ ବୋଲି କହିବା ପରେ ପିଲାଙ୍କ ମଧ୍ୟରେ ଥିବା ଉତ୍ସାହ ହଠାତ୍ ଫିକା ପଡ଼ିଛି। ଯାଜପୁର ବଡ଼ଚଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୁଏ । ରାଜ୍ୟରେ ଏବେ ସରକାର ଗଠନ ପରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ନଥିବାରୁ ଚଳିତବର୍ଷ ନିର୍ବାଚନ କରାଯିବ ନାହିଁ । ଆସନ୍ତାବର୍ଷ ନିଶ୍ଚିତ ଛାତ୍ର ସଂସଦ ନିର୍ବାଚନ ହେବ । ଏନେଇ ଏକ ପ୍ରକାର ନିଷ୍ପତ୍ତି ହୋଇ ସାରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button