କିଛି ଘଣ୍ଟା ମଧ୍ୟରେ ବୋମା ଫାଟିବ’., ଦିଲ୍ଲୀର ବିଭିନ୍ନ ସପିଂ ମଲ୍ ଓ ହସ୍ପିଟାଲକୁ ଧମକପୂର୍ଣ୍ଣ ମେଲ୍

ରାଜଧାନୀ ଦିଲ୍ଲୀର ବିଭିନ୍ନ ସପିଂ ମଲ୍ ଏବଂ ହସ୍ପିଟାଲକୁ ମିଳିଛି ବୋମା ଧମକ । ମଙ୍ଗଳବାର ଏହି ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ଆତଙ୍କର ବାତାବରଣ ଖେଳିଯାଇଛି । ପୋଲିସ ମୁତାବକ, ଦିଲ୍ଲୀର ଚାଣକ୍ୟ ମଲ୍, ସିଲେକ୍ଟ ସିଟିୱାକ୍, ଆମ୍ବିଏନ୍ସ ମଲ୍, ଡିଏଲ୍ଏଫ୍, ସିନେ ପଲିସ୍, ପାସିଫିକ୍ ମଲ୍, ପ୍ରାଇମସ୍ ହସ୍ପିଟାଲ୍ ଏବଂ ୟୁନିଟି ଗ୍ରୁପ୍କୁ ଧମକପୂର୍ଣ୍ଣ ମେଲ୍ ଆସିଛି ।
ଏଥିରେ କୁହାଯାଇଛି ଯେ ‘କିଛି ଘଣ୍ଟା ମଧ୍ୟରେ ବିସ୍ଫୋରଣ ହେବ’ । ତେବେ ଏହି ମେଲ୍ ନଜରକୁ ଆସିବା ମାତ୍ରେ ମଲ୍ର ଅଧିକାରୀମାନେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ଅଗ୍ନିଶମ ଗାଡ଼ି ପହଞ୍ଚିଛି । କିନ୍ତୁ ଏ ପର୍ଯ୍ୟନ୍ତ ପରିସରରୁ କୌଣସି ବୋମା ମିଳିନାହିଁ ।
ବରିଷ୍ଠ ପୋଲିସ ଅଧିକାରୀଙ୍କ ମୁତାବକ, ଧମକପୂର୍ଣ୍ଣ ଇମେଲରେ ଡେଟ୍ଲାଇନ୍ ଉଲ୍ଲେଖ କରାଯାଇ ନାହିଁ । ଏହି ମେଲ୍ ଅନେକ ମଲ୍ ଏବଂ ଅନ୍ୟାନ୍ୟ ସ୍ଥାନକୁ ପଠାଯାଇଛି । ଘଟଣାର ତଦନ୍ତ ଚାଲିଛି ।
ଏହାପୂର୍ବରୁ ଦିଲ୍ଲୀ-ଏନ୍ସିଆର୍ର ଅନେକ ମଲ୍କୁ ମଧ୍ୟ ଏହିପରି ବୋମା ଧମକ ମିଳିଥିଲା । ଗୁରୁଗ୍ରାମ ପୋଲିସର ସୂଚନା ଅନୁସାରେ, ଅଗଷ୍ଟ ୧୭ରେ ଗୁରୁଗ୍ରାମର ଆମ୍ବିଏନ୍ସ ମଲ୍କୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା । କିନ୍ତୁ ଖୋଜାଖୋଜି ବେଳେ କୌଣସି ସନ୍ଦେହଜନକ ଜିନିଷ ମିଳି ନ ଥିଲା ।
ଅଗଷ୍ଟ ୨ରେ ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ଥିବା ଏକ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ଇମେଲ୍ରେ କୁହାଯାଇଥିଲା କି, ସ୍କୁଲରେ ବୋମା ରଖାଯାଇଛି । କିନ୍ତୁ ଯାଞ୍ଚରୁ କିଛି ମିଳି ନ ଥିଲା ।




