IBN ଓଡ଼ିଶା ବ୍ୟୁରୋ

ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍

ଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ ଆରମ୍ଭରୁ ଗୃହରେ ହୋହଲ୍ଲା ହୋଇଥିଲା। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଆରମ୍ଭରୁ ଗୃହ କାର୍ଯ୍ୟ ଚାଲିନପାରିବାରୁ ବାଚସ୍ପତି ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଚିକିଟି ମଦମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ଦାବି କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରି ଗୃହର ମଧ୍ୟ ଭାଗରେ ଆସି ହୋହାଲ୍ଲା କରିଥିଲେ।

ଏହା ପରେ ଚିକିଟି ମଦମୃତ୍ୟୁ ମାମଲାରେ ଗୃହରେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି।

ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି, ୨ ଜଣ ଅଟକ ଅଛନ୍ତି। ୩ ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମଦ ସାମ୍ପଲ ଓ ମୃତକଙ୍କ ଭିସେରା ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଓଡ଼ିଶାରେ ବେଆଇନ ମଦ ବିକ୍ରି ନେଟୱର୍କକୁ ଭାଙ୍ଗିବା ପାଇଁ ଯେତେଦୂର ପଦକ୍ଷେପ ନିଆଯିବା କଥା, ତାହା ନିଆଯିବ। ଆସନ୍ତା ବର୍ଷକ ମଧ୍ୟରେ ଏହାକୁ ସୁନିଶ୍ଚିତ କରାଯିବ। ସେହିପରି ରାଜ୍ୟରେ ଚାଲୁଥିବା ଡ୍ୟାନ୍ସ ବାରକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୃହରେ ଉତ୍ତର ରଖିଛନ୍ତି।

ଚିକିଟି ମଦମୃତ୍ୟୁକୁ ନେଇ ବିରୋଧୀଙ୍କ ଦ୍ଵାରା ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ସ୍କୁଲ, କଲେଜ ଓ ମନ୍ଦିର ନିକଟରେ ଯେପରି ମଦ ଦୋକାନ ରହିବ ନାହିଁ, ତାହାକୁ ସରକାର ସୁନିଶ୍ଚିତ କରିବେ। ସେହିପରି ଆଗାମୀ ଦିନରେ ରାଜ୍ୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯିବ। ଏହାସହ ଖୁବ୍ କମଦିନ ମଧ୍ୟରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button