ପୋଲାଣ୍ଡ ଓ ୟୁକ୍ରେନ୍ ଯାତ୍ରାରୁ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି, ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡ ଓ ୟୁକ୍ରେନ୍ ଯାତ୍ରା ଶେଷ କରି ନୂଆଦିଲ୍ଲୀ ଫେରିଛନ୍ତି । ପିଏମ୍ ମୋଦିଙ୍କର ଏହି ଗସ୍ତରେ ପୋଲାଣ୍ଡ ଓ ୟୁକ୍ରେନ୍ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଦୀର୍ଘ ଦିନ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ଆଶା ମଧ୍ୟ ଉଜ୍ଜ୍ୱଳ ହୋଇଛି ।
ଭାରତ ଏହି ଯୁଦ୍ଧକୁ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ।
ଶୁକ୍ରବାର ୭ ଘଣ୍ଟାର ଯାତ୍ରା ପରେ ପିଏମ୍ ମୋଦି ୟୁକ୍ରେନ୍ର କିଭ୍ରେ ପହଞ୍ଚିଥିଲେ । ଏହି ସମୟରେ ସେ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହା ସହିତ ରୁଷ୍ ସହ ଚାଲିଥିବା ଯୁଦ୍ଧକୁ ଶେଷ କରିବାରେ ବ୍ୟକ୍ତିଗତ ରୂପେ ଯୋଗଦାନ କରିବାକୁ ଆଶ୍ୱାସନା ଦେଇଥିଲେ ।
ଅନେକ ବୈଠକରେ ଯୋଗଦେବା ପରେ ପିଏମ୍ ମୋଦି ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘X’ରେ ଲେଖିଛନ୍ତି ଯେ ‘ମୋର ୟୁକ୍ରେନ୍ ଗସ୍ତ ଐତିହାସିକ ଥିଲା । ମୁଁ ଭାରତ-ୟୁକ୍ରେନ୍ର ବନ୍ଧୁତାକୁ ଆହୁରି ନିବିଡ଼ କରିବା ଉଦ୍ଦେଶ୍ୟରେ ଏହି ମହାନ ଦେଶକୁ ଆସିଥିଲି । ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହିତ ମୋର ସାର୍ଥକ କଥାବାର୍ତ୍ତା ହୋଇଛି । ଶାନ୍ତି ସର୍ବଦା ବଜାୟ ରହିବା ଉଚିତ୍ । ମୁଁ ୟୁକ୍ରେନ୍ ସରକାର ଏବଂ ଲୋକମାନଙ୍କୁ ସେମାନଙ୍କ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଉଛି’ ।
କହି ରଖୁଛୁ, ୨୦୨୨ ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି ।




