ରାଜ୍ୟ

ଅଗଷ୍ଟ ୩୦ରେ ପରିଚାଳନା କମିଟି ଶେଷ ବୈଠକ, ବଡ଼ଠାକୁର ଚାରମାଳରେ ପଡ଼ିଯିବା ତଦନ୍ତ ରିପୋର୍ଟ ଉପସ୍ଥାପିତ ହେବ

ପୁରୀ,୨୫/୦୮: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆସନ୍ତା ୩୦ରେ ବସିବ । ବର୍ତ୍ତମାନ ଥିବା ପରିଚାଳନା କମିଟିର ଏହା ଶେଷ ବୈଠକ । କାରଣ ଏହାର କାର୍ଯ୍ୟକାଳ ସେପ୍ଟେମ୍ବର ୩ରେ ସରୁଛି ।

ବୈଠକରେ ରଥଯାତ୍ରାର ଆଡ଼ପ ବିଜେ ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ପଡ଼ିଯିବା ଘଟଣାରେ ୩ଜଣିଆ ତଦନ୍ତକାରୀ ଟିମ୍ ଦେଇଥିବା ରିପୋର୍ଟ ବୈଠକରେ ଉପସ୍ଥାପିତ ହେବ ।

ଏହାଛଡ଼ା ରଥଯାତ୍ରାରେ ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରିବା, ଅଣସେବାୟତଙ୍କୁ ରଥରେ ଚଢ଼ାଇବା, ରଥରେ ଦାରୁବ୍ରହ୍ମଙ୍କ ସହ ସେବାୟତମାନେ ଫଟୋ ଉଠାଇବା ପ୍ରଭୃତି ଘଟଣାର ସମୀକ୍ଷା କରାଯିବ । ଏହା ଉପରେ ପରିଚାଳନା କମିଟିର କ’ଣ ନିଷ୍ପତ୍ତି ନେବ ତାହା ଉତ୍କଣ୍ଠାର ବିଷୟ ହୋଇଛି ।

ନିର୍ବାଚନ ପ୍ରସ୍ତୁତି, ଶେଷ ଓ ନୂଆ ସରକାର ଗଠନ ଭିତରେ ଚଳିତ ବର୍ଷର ଆୟବ୍ୟୟ ବଜେଟ୍ ମଞ୍ଜୁର ହୋଇପାରି ନଥିବାରୁ ୨୦୨୪-୨୫ ବର୍ଷ ନିମନ୍ତେ ଶ୍ରୀମନ୍ଦିର ଆୟବ୍ୟୟ ବଜେଟ୍ ମଂଜୁରୀକୁ ବୈଠକରେ ମୋହର ବାଜିପାରେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିଦିନିଆ ଉତ୍ସବ ଓ ନୀତି ପରିଚାଳନା ନିମନ୍ତେ ବଜେଟ୍ ଅନୁମୋଦନ ଜରୁରି । ପରିଚାଳନା କମିଟି ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ଅନ୍ୟ ବିଷୟ ମଧ୍ୟ ଆଲୋଚନା ହୋଇପାରେ । ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ, ମହାପ୍ରଭୁଙ୍କ ଜମି ଓ ଖଣି ଖାଦାନ ପ୍ରସଙ୍ଗ ମଧ୍ୟ ଉଠିପାରେ ।

ସେହିପରି ପୂର୍ବ ୩ଟି ବୈଠକର ବିଭିନ୍ନ ସୁପାରିସ ଓ ପ୍ରସ୍ତାବ ସୁଦୃଢ଼ୀକରଣ ଉପରେ ମଧ୍ୟ ଆଲୋଚନା ହେବ । ବର୍ତ୍ତମାନ ଥିବା ପରିଚାଳନା କମିଟିର ଏହା ଶେଷ ବୈଠକ ହୋଇଥିବାରୁ ପୁରୁଣା ସଦସ୍ୟଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବାକୁ ମଧ୍ୟ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button