ଧାନ ବିକ୍ରି ପାଉଣା ଦାବିରେ ଚାଷୀଙ୍କ ଧାରଣା
ଟିଟିଲାଗଡ଼: ଟିଟଲାଗଡ ଉପଖଣ୍ଡ ମୁରିବାହାଲ ବ୍ଲକ ବଡ ତେନ୍ତୁଲିଖୁଣ୍ଟି ମଣ୍ଡିରେ ଗତ ଖରିଫ ଋତୁରେ ଚାଷୀମାନେ ଧାନ ବିକ୍ରି କରିଥିଲେ। ମାତ୍ର ଦୀର୍ଘ ୮ ମାସ ହେଲା ଧାନ ବିକ୍ରି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନାହିଁ । ଏନେଇ ଚାଷୀମାନେ ବଲାଙ୍ଗିର ଜିଲାପାଳ, ଜିଲା ସମବାୟ ସମିତି ସମୂହ ନିବନ୍ଧକ, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ, ଉପଖଣ୍ଡ ସମବାୟ ସମିତି ସମୂହ ନିବନ୍ଧକ ସନ୍ତୋଷ ମଲ୍ଲିକଙ୍କୁ ଅନେକ ଥର ଗୁହାରି କରିଛନ୍ତି ।
ହେଲେ ସେମାନଙ୍କୁ ପାଉଣା ମିଳି ପାରିନାହିଁ । ଏନେଇ ଗତ ୧୬ ତାରିଖରେ ଚାଷୀମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଠାରେ ପୁଣି ଥରେ ଫେରାଦ ହେଵା ସହ ଟିଟିଲାଗଡ଼ ସମବାୟ ସମିତି ଉପ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ଏନେଇ ବଡ଼ତେନ୍ତୁଲିଖୁଣ୍ଟି ପେକ୍ସ ଡିଇଓ ୨୬ ତାରିଖ ମଧ୍ୟରେ ଟଙ୍କା ଫେରସ୍ତ କରିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିବା ଟିଟିଲାଗଡ଼ ସମବାୟ ସମିତି ଉପନିବନ୍ଧକ ଶ୍ରୀ ମଲ୍ଲିକ ଚାଷୀଙ୍କୁ ଆଶ୍ୱସ୍ତ କରିଥିଲେ । ହେଲେ ଆଜି ଚାଷୀମାନେ ଟିଟିଲାଗଡ଼ ଆସିଥିବା ବେଳେ ସମିତି ଉପନିବନ୍ଧକ ନିଜ ଫୋନ ସ୍ବିଚ ଅଫ କରିଦେଇଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ ଡିଇଓଙ୍କୁ ଯୋଗାଯୋଗ କରିବାରୁ ସେ ପୁର୍ନବାର ସମୟ ମାଗିଛନ୍ତି । ସକାଳ ୧୦ଟାରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚାଷୀମାନେ ଦୀର୍ଘ ଦୁଇ ଘଣ୍ଟା ହେଲା ଧାରଣାରେ ବସିଛନ୍ତି।