ରାଜ୍ୟ

ରାଜ୍ୟସଭା ଉପନିର୍ବାଚନ: ‘ପାର୍ଟି ନିର୍ଦ୍ଦେଶରେ ନାମାଙ୍କନ, ପ୍ରତ୍ୟାହାର’

ଭୁବନେଶ୍ୱର: ବିଜେପିର ରାଜ୍ୟସଭା ନାମାଙ୍କନ ଦ୍ୱନ୍ଦ୍ୱରେ ଆଜି ଲାଗିଛି ବିରାମ। ପାର୍ଟି ନିର୍ଦ୍ଦେଶରେ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି ଜଗନ୍ନାଥ ପ୍ରଧାନ। ନାମାଙ୍କନ ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥ ପ୍ରଧାନ। ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ନାମାଙ୍କନ ଦାଖଲ କରିଥିଲି ବୋଲି ସେ କହିଛନ୍ତି।

ଦଳ ନେତୃତ୍ୱର ନିଷ୍ପତ୍ତି ଅନୁସାରେ ନାମାଙ୍କନ ପ୍ରତ୍ୟାହାର କଲି। ପାର୍ଟିର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଦଳୀୟ ନିଷ୍ପତ୍ତି ପାଳନ କରିଛି। ଦଳର ଏହା ଆଭ୍ୟନ୍ତରୀଣ ଷ୍ଟ୍ରାଟେଜୀ ଥିଲା ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି।

ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିର ୯ବିଧାୟକ ଓ ଜଣେ ମନ୍ତ୍ରୀଙ୍କର ପ୍ରସ୍ତାବରେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଥିଲେ। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ତେଣୁ ଆଜି ଜଗନ୍ନାଥ ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି।

ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଏହି ୨୦ ମାସିଆ ରାଜ୍ୟସଭା ଆସନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଶାୟୀ ଥିଲେ। ରାଜ୍ୟସଭା ଆସନ ସହ ରାଜ୍ୟ ସଭାପତି ପଦ ରଖିବାକୁ ତାଙ୍କର ଇଚ୍ଛାକୁ ଦଳ ଗ୍ରହଣ କରି ନ ଥିଲା। ଏଥିପାଇଁ ଅନ୍ୟ କିଛି ନାମ ବିଚାର ପରିସରକୁ ଆସିଥିଲେ ହେଁ ଶେଷରେ ମମତାଙ୍କ ନାମରେ ଦଳର ଶୀର୍ଷ କମିଟି ମୋହର ମାରିଥିଲା। ମମତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ପ୍ରସ୍ତାବକ ରହିଥିବା ବେଳେ ଜଗନ୍ନାଥଙ୍କ ପାଇଁ ଜଣେ ମନ୍ତ୍ରୀଙ୍କ ସମେତ ୯ ଜଣ ବିଜେପି ବିଧାୟକ ପ୍ରସ୍ତାବକ ରହିଥିଲେ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ସମାନ ସମୟରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମାନ ବିଜେପିର ବିଧାୟକମାନେ କିପରି ସମର୍ଥନ କଲେ, ସେନେଇ ପ୍ରଶ୍ନ ଉଠିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button