ସୋଫା ଭିତରୁ ବାହାରିଲା ନାଗ

ବରଗଡ଼ : ସଂ ସଂ ଶବ୍ଦରେ ଫାଟି ପଡ଼ୁଥିଲା ଘର । ପୂରା ପରିବାର ହୋଇଯାଇଥିଲେ ଛାନିଆ । କେହି କୁଆଡ଼େ ଆଉ ବାହାରି ନଥିଲେ ଯିଏ ଯେଉଠି ଥିଲେ ଭୟରେ ନୀରବି ଗଲେ । ଭାବିପାରି ନଥିଲେ ଯେ କଣ ହେଉଛି ବୋଲି । ସମସ୍ତେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ ଘରେ ଏପରି ଶଦ୍ଦ କେଉଁଠୁ ଆସୁଛି । ଏପଟ ସେପଟ ଦେଖିବାକୁ ଲାଗିଥିଲେ । ବହୁତ୍ ଖୋଜିଥିଲେ କିଛି ସମୟ ପରେ ଯାହା ଦେଖିବାକୁ ପାଇଥିଲେ ପରିବାର ଲୋକେ ଭୟରେ ଥରି ଯାଇଥିଲେ ।
ବରଗଡ଼ ମ୍ୟୁନିସପାଲିଟିର ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଅମ୍ବାପାଲି ଅଞ୍ଚଳର ସଞ୍ଜୀବ ସାହୁ । ନିଜ ଘର ସୋଫା ଉପରେ ଗଡୁଥିବା ବେଳେ ସୋଫା ଭିତରୁ କିଛି ଗୋଟେ ଅଜବ ପ୍ରକାରର ଶବ୍ଦ ଶୁଣିବା ପାଇଁ ପାଇଲେ । ଉଠି ପଡ଼ି ଏପଟ ସେପଟ ଦେଖିଲେ ମଧ୍ୟ କିଛି ଜାଣି ପାରିଲେ ନାହିଁ । ପୁଣି ଭିତରୁ ସଂ ସଂ ଶବ୍ଦ ଶୁଣି କିଛି ଜନ୍ତୁ ସୋଫା ଭିତରକୁ ପଶି ଯାଇଥିବା ସନ୍ଦେହ କଲେ । ଅନୁସନ୍ଧାନ କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ରମଣ କୁମାର ବାଗ୍ ଘଟଣା ସ୍ଥଳରେ ପହଞ୍ଚି ସୋଫା ଚାରିପଟେ ବୁଲି ତାଙ୍କର ସ୍ନେକ୍ ହୁକ୍ ସାହାଯ୍ୟରେ ସୋଫା କୁ ଅଲଗା ଅଲଗା ଯାଗାରେ ଖଡଖଡ କରିବାରୁ, ସୋଫା ଭିତରୁ ସେହି ଭଳି ଆୱାଜ୍ ପୁଣି ଶୁଣା ଯାଇଥିଲା । ସେହି ଶବ୍ଦରୁ ତାହା ଏକ ନାଗ ସାପର ଗର୍ଜନ ବୋଲି ରମଣ ଜାଣି ପାରିଥିଲେ ।
ସୋଫାଟିକୁ ଘର ବାହାରକୁ ପେଲି ପେଲି ଆଣିବା ପରେ ଲୋକମାନଙ୍କୁ ସୋଫା ଠାରୁ ଦୂରରେ ଛିଡା ହେବା ପାଇଁ କହିଥିଲେ । ରମଣ ସାପ କେଉଁଠି ଥାଇ ପାରେ ଖୋଜିବାକୁ ଲାଗିଲେ । ସାପର ଗର୍ଜନ ଶଦ୍ଦ ବାରମ୍ବାର ଶୁଣିଥିଲେ ମଧ୍ୟ ସାପ ଦେଖା ଦେଇ ନଥିଲା । ଶେଷରେ ସୋଫା ପଛ ପଟେ ଯେଉଁ କପଡ଼ା ସିଲେଇ ହୋଇଥାଏ, ତାକୁ ଖୋଲିବା ପରେ ଗୋଟିଏ କୋଣ ରେ ମୂଷା କଣା କରିଥିବା ଜଣା ପଡିଥିଲା ।
ମୂଷାଙ୍କୁ ଗୋଡେଇ ସାପ ସେଇ ବାଟ ଦେଇ ସୋଫା ଭିତରକୁ ପଶିଥିବା କଥା ରମଣ ଜାଣି ପାରିଥିଲେ । ସୋଫା ପଛ ପଟ କପଡ଼ା ଖୋଲିବା ପରେ ଏକ ସାଢେ଼ ୩ ଫୁଟ ଲମ୍ବର ନାଗ ସାପ ଭିତରକୁ ଗର୍ଜନ କରୁଥିବା ଦେଖିବାକୁ ମିଳିଲା । ଅତି ଯତ୍ନର ସହିତ ସ୍ନେକ୍ ହୁକ୍ ଦ୍ଵାରା ସୋଫା ଭିତରୁ ସାପଟିକୁ ଭିଡ଼ି ବାହାର କରିବା ପରେ ତାକୁ ବ୍ୟାଗ୍ ରେ ଭର୍ତ୍ତି କରିଥିଲେ ରମଣ । ପରେ ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ।




