କିଟ୍ ଓ କିସ୍ ପକ୍ଷରୁ ପାଳିତ ହେଲା ରାଷ୍ଟ୍ରୀୟ କ୍ରୀଡ଼ା ଦିବସ

ଭୁବନେଶ୍ୱର: ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଉପଲକ୍ଷେ, କିଟ୍ ଓ କିସରେ ପାଳିତ ହୋଇଛି ରାଷ୍ଟ୍ରୀୟ କ୍ରୀଡ଼ା ଦିବସ । କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
କିଟ୍ ଓ କିସ୍ ଦୀର୍ଘ ୩ ଦଶନ୍ଧୀ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି ।
୨୦୨୮ ଅଲିମ୍ପିକ୍ସରେ କିଟ୍ ଓ କିସ୍ରୁ ଅଧିକ ଖେଳାଳି ଯେଭଳି ବାହାରି ପାରିବେ ସେ ନେଇ ଡ. ସାମନ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହା ସହିତ ଭଲ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଅନ୍ତର୍ଜାତୀୟ ମାନର ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ଡ. ସାମନ୍ତ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, କାଟାଲିଟିକ୍ ଇନୋଭେଟର୍ସ ଗ୍ରୁପ୍ର ମୁଖ୍ୟ ତଥା ପ୍ରତିଷ୍ଠାତା ଡ. ଅଖତାର ବାଦଶାହ।
ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍ ଓ କିସ୍ କ୍ରୀଡ଼ା ଉପଦେଷ୍ଟା ଉପେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ କ୍ରୀଡ଼ା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ସ୍ୱାଗତ ଭାଷଣ ଦେଇ କିଟ୍ ଓ କିସ୍ ଜରିଆରେ ପ୍ରତିଷ୍ଠାତା ଡ. ସାମନ୍ତ ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ତାର ସଫଳ ରୂପାୟନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ଅବସରରେ କିଟ୍ ଓ କିସ୍ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ପର୍ବତାରୋହୀ ବିଭାରାଣୀ ପାତ୍ରଙ୍କୁ ସମ୍ବର୍ଦ୍ଧନା ସହ ୫୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଶେଷରେ କିଟ୍ କ୍ରୀଡ଼ା ମୁଖପତ୍ର ଉନ୍ମୋଚିତ ହୋଇଥିଲା।




