ରାଜଧାନୀରେ ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ର ସାଧନା ! ଅଭିଯୋଗ କଲେ ଘରମାଲିକ

ଭୁବନେଶ୍ୱର : ରାଜଧାନୀରେ ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ର ସାଧନା । ଘର ଭିତରେ ଚାରିଆଡ଼େ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା । ବନ୍ଦ ଘରୁ, ଘର ମାଲିକ ଧୁଆଁ ବାହାରୁଥିବା ଦେଖିବା ପରେ ଗୁଣିଗାରେଡିର ପର୍ଦ୍ଦାଫାସ ହୋଇଛି । ପୁରୁଣା ଭୁବନେଶ୍ବରର ବ୍ରହ୍ମେଶ୍ବର ପାଟଣାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ପ୍ରବୀର କୁମାର ପାତ୍ରଙ୍କ ଘରକୁ ଅଫିସ କରିବା ପାଇଁ ଚର୍ଚ୍ଚିଲ କାନୁନଗୋ ନାମକ ଜଣେ ବ୍ୟକ୍ତି ଭଡ଼ାରେ ନେଇଥିଲେ।
ଆଜି ଘର ଭିତରୁ ଧୁଆଁ ବାହାରୁ ଥିବା ଦେଖି ଘର ଖୋଲି ଦେଖିବା ପରେ ଗୁଣି ଗାରେଡ଼ି ଓ ତନ୍ତ୍ର ପୂଜା ହେଉଥିବା ଦେଖିବାକୁ ପାଇଥିଲେ । ପୂର୍ବରୁ ସେଠାକୁ ଅନେକ ଝିଅ ଓ ମହିଳା ଆସୁଥିବାରୁ ପ୍ରବୀର ସନ୍ଦେହ କରିଥିଲେ ।
ଏନେଇ ଚର୍ଚ୍ଚିଲକୁ ପଚାରିବାରୁ ସେ ତନ୍ତ୍ର ଜରିଆରେ ଭସ୍ମ କରିଦେବାର ଭୟ ମଧ୍ୟ ଦେଖାଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପ୍ରବୀର । ସେପଟେ ଏହି ଘଟଣାରେ ମୁହାଁମୁହିଁ ହେଲେ ପ୍ରବୀର ଓ ଚର୍ଚ୍ଚିଲ । ଘରମାଲିକଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ଚର୍ଚ୍ଚିଲ ।
ସେ କୌଣସି ତନ୍ତ୍ରସାଧନା କି ଗୁଣିଗାରେଡି କରନ୍ତି ନାହିଁ । ନିଜ ସମସ୍ୟା ପାଇଁ ଗ୍ରହ ଶାନ୍ତି ପୂଜା ଓ ହୋମ କରିଥାନ୍ତି । ସେ ସେଠାରେ ୨୦୧୫ ମସିହାରୁ ରହି ଆସୁଛନ୍ତି। ତାଙ୍କୁ ଘରୁ ବାହାର କରିବାକୁ ଜାଣିଶୁଣି ଷଡ଼ଯନ୍ତ୍ର କରି ଘର ଭିତରେ ଗାତ ଖୋଳି ତାଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି ଚର୍ଚିଲ ।