ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଘୋଷଣା କଲେ ଜିଲ୍ଲାପାଳ
କୋରାପୁଟ : ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ବର୍ଷା ପାଇଁ ରେଡ ୱର୍ଣ୍ଣିଙ୍ଗ ଥିବାରୁ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥି ସହ ପଦାକୁ ନ ବାହାରିବାକୁ ମଧ୍ୟ ଲୋକଙ୍କୁ କହିଛନ୍ତି ।
ଅଗ୍ନିଶମ ଓ ଓଡ୍ରାଫ ଟିମକୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପରିସ୍ଥିତି ପ୍ରତି ନଜର ରଖିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । କୋରାପୁଟ ଜିଲ୍ଲାରେ ବର୍ଷା ଜାରି ରହିଛି । ଘରୁ ବାହାରକୁ ବାହାରିବା ମୁସକିଲ ହୋଇପଡିଛି । ବର୍ଷା ଯୋଗୁଁ ଜନ ଜୀବନରେ ପ୍ରଭାବ ପରିଲିକ୍ଷିତ ହେଉଛି । ରାସ୍ତାଗୁଡିକରେ ଲୋକଙ୍କ ଚଳ ପ୍ରଚଳ କମିଯାଇଛି ।
ଲଘୁଚାପ ଆଣୁଛି ବଡ଼ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । କ୍ରମଶଃ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କରି ଆଗାମୀ ୨ଦିନରେ ଅବପାତରେ ପରିଣତ ହେବ ।
ପ୍ରଭାବରେ ଆଗାମୀ ୩ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣି ଜାରି ହୋଇଛି । କାଲି ଅତିପ୍ରବଳ ବର୍ଷା ନେଇ ୩ ଜିଲ୍ଲା ମାଲକାନଗିରି, କୋରାପୁଟ ଓ ଗଜପତିକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।