ମହିଳା ହେଉଛନ୍ତି ପରିବାରର ଅଦୃଶ୍ୟ ଶକ୍ତି: କୁଳପତି – Ibnodisha

[ad_1]
ବ୍ରହ୍ମପୁର: ଘରଣୀ ବିନା ଘର ପରିପୂର୍ଣ୍ଣ ନୁହେଁ। ପ୍ରତ୍ୟେକ ମହିଳା ଜଣେଜଣେ ସଫଳ ନେତ୍ରୀ। ନିଜ ପରିବାରକୁ ଦେଖିବା ସହିତ ନିଜେ ସ୍ବାବଲମ୍ବୀ ହୋଇ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହଯୋଗ କରୁଛନ୍ତି। ଏଣୁ ମହିଳାମାନେ ହେଉଛନ୍ତି ପରିବାରର ଅଦୃଶ୍ୟ ଶକ୍ତି ବୋଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଛନ୍ତି। ମହିଳାମାନେ ଆଗକୁ ବଢ଼ିବା ପାଇଁ ହେଲେ ସେମାନଙ୍କୁ ସଶକ୍ତ ହେବାକୁ ପଡ଼ିବ। ସଶକ୍ତୀକରଣ ଅର୍ଥାତ, ଯେଉଁଠି କ୍ଷମତାର ସୁବିନିଯୋଗ, ନିଜ ବିଷୟରେ ନିଜେ ଫଇସଲା ନେବାର ସ୍ବାଧୀନତା, ଅବାଧ ବିଚରଣ, ମୁକ୍ତ ଚେତନା, ସ୍ବାବଲମ୍ବୀ, ପାରିପାର୍ଶିକ ସ୍ଥିତିରେ ଯୋଗଦାନ ଏବଂ ଯେଉଁଠି ଅର୍ଥନୈତିକ କାର୍ଯ୍ୟକଳାପରେ ମହିଳାଙ୍କ ସହାୟତା ରହିଛି, ସେଠି ମହିଳା ସଶକ୍ତୀକରଣ ସମ୍ଭବ ହେବ ବୋଲି କୁଳପତି ପ୍ରଫେସର ଦାଶ ମତବ୍ୟକ୍ତ କରିଛନ୍ତି। ଦକ୍ଷିଣାଞ୍ଚଳର ୭ଟି ଜିଲ୍ଲାର ମହିଳା ଉଦ୍ୟୋଗୀଙ୍କୁ ନେଇ ‘ସମ୍ବାଦ ତରଫରୁ ବ୍ରହ୍ମପୁର ହିଲ୍ପାଟଣା ସଂସ୍କୃତି ଭବନରେ ‘ଓଡ଼ିଶା-୫୦ ମହିଳା ଉଦ୍ୟୋଗୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦାଶ, ସମ୍ମାନିତ ଅତିଥି ଭାବେ ମହିଳା ଉଦ୍ୟୋଗୀ, ସମାଜସେବୀ ପୂର୍ବତନ ସରପଞ୍ଚ ଆରତି ଦେବୀ, ‘ସମ୍ବାଦ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ଯୋଗ ଦେଇଥିଲେ।
ଆରତି ଦେବୀ ତାଙ୍କ ବକ୍ତବ୍ୟରେ କହିଥିଲେ, ଏକ କିମ୍ବା ଏକାଧିକ ମହିଳା ମିଳିତ ଭାବେ କାମ କରି ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ ହେବା ହେଉଛି ମହିଳା ସଶକ୍ତୀକରଣ। ଉଦ୍ୟୋଗ କରିବା ବଡ଼ କଥା ନୁହେଁ, ପ୍ରଥମେ ତାର ମାର୍କେଟିଂ ବ୍ୟବସ୍ଥା ଦେଖିବାର ଅଛି। ଯଦି ସାମଗ୍ରୀ ବିକ୍ର ହେବ ନାହିଁ, ତେବେ ଉଦ୍ୟୋଗ ବଞ୍ଚିବ କେମିତି ବୋଲି ସେ ପ୍ରଶ୍ନ କରିଥିଲେ। ‘ସମ୍ବାଦର ସଂପାଦକ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ, ମହିଳା ସଶକ୍ତୀକରଣ ପାଇଁ ଶିକ୍ଷା, ରୋଜଗାର ନିହାତି ଆବଶ୍ୟକ। ଏହା ହାସଲ କଲେ ନିଜର ପତିଆରା ବଢ଼ିବ। ଏହା ସହ ଶ୍ରୀ ପଟ୍ଟନାୟକ ମହିଳାମାନଙ୍କୁ ‘ମନ’ର ପଞ୍ଚସୂତ୍ରୀ ଫର୍ମୂଲା ଆପଣେଇବାକୁ ପରାମର୍ଶ ଦେଇଥିଲେ। ମା’, ମାଟି, ମାତୃଭାଷାକୁ ଗୁରୁତ୍ବ ଦେବା, ମୋବାଇଲ୍ ଜରିଆରେ ବିଜ୍ଞାନ ଓ କାରିଗରୀ ବିଦ୍ୟାର ବ୍ୟବହାର କରିବା ଏବଂ ମଦମୁକ୍ତ ଓଡ଼ିଶା ଗଠନ କରିବାକୁ ସେ ଆହ୍ବାନ କରିଥିଲେ। ବର୍ତ୍ତମାନ ରାଜ୍ୟରେ ଥିବା ଏସ୍ଏଚ୍ଜିର ୭୦ଲକ୍ଷ ମହିଳା ଚାହିଁଲେ ତାହା ସମ୍ଭବ ହୋଇପାରିବ ବୋଲି କହିଥିଲେ। ସେହିପରି ନିରୋଗ, ନିରହଂକାର, ନିରାଡ଼ମ୍ବର, ନିଡର ହେବା ସହ ଏକ ନିଶାମୁକ୍ତ ସମାଜ ଗଠନ କରିବାକୁ ସେ ଆହ୍ବାନ ଦେଇଥିଲେ। ସତ୍ୟକୁ ସଙ୍ଗାତ କଲେ ଜଣେ ନିଡର ହୋଇପାରିବ। ସତ କହିବାକୁ ଡରିବା ନାହିଁ କି ପ୍ରଶ୍ନ ପଚାରିବାକୁ ଭୟ କରିବା ନାହିଁ ବୋଲି ସେ କହିଥିଲେ।
‘ସମ୍ବାଦ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପଟ୍ଟନାୟକ କହିଲେ, ଆମେ ଯାହା ବି ସଫଳତା ପାଉଛେ, ତାର ଶ୍ରେୟ ମହିଳାଙ୍କୁ ଦିଆଯିବ। କାରଣ ଆଜି ଯେଉଁ ମହିଳା ଉଦ୍ୟୋଗୀ ଅଛନ୍ତି, ସେମାନେ ଘର କାମ କରି ନିଜ ପାଇଁ ସମୟ ବାହାର କରୁଛନ୍ତି। ସୀମିତ ସମୟରେ ମହିଳା ଗୋଷ୍ଠୀଙ୍କୁ ନେଇ ବିଭିନ୍ନ କାମ କରି ନିଜକୁ ସଶକ୍ତ କରୁଛନ୍ତି। ସେଭଳି ମହିଳାଙ୍କୁ ଗତ ୨ବର୍ଷ ହେଲା ‘ସମ୍ବାଦ ତରଫରୁ ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷଣ ପାଇଥିବା ମହିଳା ଅନ୍ୟମାନଙ୍କୁ ସେ ବିଷୟରେ ଅବଗତ କରି ନୂତନ ଉଦ୍ୟୋଗୀ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ। ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦାସ, ଓଡ଼ିଶା-୫୦ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ସୂଚନା ଦେଇଥିଲେ। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳନା ସୁଶୀଲ ପ୍ରଧାନ ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ଜୟପୁର ସଂସ୍କରଣ ବରିଷ୍ଠ ସହସଂପାଦକ ନବୀନ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ରହ୍ମପୁର ସଂସ୍କରଣ ବାର୍ତ୍ତା ସଂଯୋଜକ ପ୍ରମୋଦ କୁମାର ପଟ୍ଟନାୟକ ଦ୍ବିତୀୟ ଅଧିବେଶନର ଆଲୋଚନାଚକ୍ର ପରିଚାଳନା କରିଥିଲେ। ପ୍ରକଳ୍ପ ଚୟନ, ପୁଞ୍ଜି ଯୋଗାଡ଼, ବଜାର ବ୍ୟବସ୍ଥା ଓ ପାରିବାରିକ ସହଯୋଗ ଭଳି ଶୀର୍ଷକକୁ ନେଇ ଆୟୋଜିତ ଆଲୋଚନାଚକ୍ରରେ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ପ୍ରିୟାଂଶୁ ପଟ୍ଟନାୟକ, ଓଏଲ୍ଏମ୍ର ଡିପିଏମ୍ ନବୀନ ସେନାପତି, ଓର୍ମାସ୍ର ଡେପୁଟି ସିଇଓ ସତ୍ୟସୁନ୍ଦର ପାଇଟାଲ୍ ଓ ମିସନ୍ ଶକ୍ତିର ଡିପିସି ଶାଶ୍ବତ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ବାର୍ତ୍ତା ସଂଯୋଜକ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ମହିଳା ଉଦ୍ୟୋଗୀ ଅଂଶଗ୍ରହଣ କରିଥିଲେ।
[ad_2]