ରାଜ୍ୟ

ପିଲାଙ୍କ ଭବିଷ୍ୟତ ସହ ଖେଳ! ଅନୁଗୁଳର ୬୫ ଘରୋଇ ସ୍କୁଲର ନାହିଁ ଏନ୍‌ଓସି

ନୁଗୁଳ,୩୦/୦୮: ଘରୋଇ ବିଦ୍ୟାଳୟ ଖୋଲିବାକୁ ହେଲେ ସରକାରୀ ଅନୁମୋଦନ ବାଧ୍ୟତାମୂଳକ । ହେଲେ ଅନୁଗୁଳ ଜିଲ୍ଲାରେ ପୁଞ୍ଜା ପୁଞ୍ଜା ଘରୋଇ ସ୍କୁଲ ଗଢ଼ି ଉଠିଛି ସତ, ହେଲେ ସରକାରୀ ନିୟମକୁ ବାଏଁ ବାଏଁ ଉଡ଼ାଇ ଦିଆଯାଇଛି । ପ୍ରଶାସନିକ ଲଗାମ ନଥିବାରୁ ଯିଏ ଯେଉଁଠି ପାରିଲା ସ୍କୁଲ ଖୋଲି ବେପାର ଆରମ୍ଭ କଲେଣି । ସରକାରୀ ସ୍ୱୀକୃତି ଥାଉ କି ନଥାଉ, ପରବାୟ ନାହିଁ ।

ଏପଟେ ସରକାରୀ ଅନୁମୋଦନ ନଥିବାରୁ ଛାତ୍ରଛାତ୍ରୀ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଅଭିଭାବକମାନେ ହଇରାଣ ହରକତ ମଧ୍ୟ ହେଉଛନ୍ତି । ଆଖିରେ ଆଙ୍ଗୁଳି ଗେଞ୍ଜି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ନିରବ ମୁଦ୍ରାରେ ରହିଛି । ଅନୁଗୁଳ ଜିଲ୍ଲାରେ ଗଳିକନ୍ଦିରେ ଖୋଲିଛି ଘରୋଇ ସ୍କୁଲ । ଛତୁ ଫୁଟିବା ଭଳି ନିୟମିତ ସ୍କୁଲ ଖୋଲୁଛି । ହେଲେ ଆଶ୍ଚର୍ଯ୍ୟର ବିଷୟ, ଏହି ଘରୋଇ ସ୍କୁଲମାନଙ୍କ ମଧ୍ୟରୁ ଅନେକ ସରକାରଙ୍କଠାରୁ ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍(ଏନ୍ଓସି) ପାଇନାହାନ୍ତି। ସରକାରୀ ମାନଦଣ୍ଡ ଅନୁପାଳନ କରୁନଥିବାରୁ ସେମାନଙ୍କୁ ଏନ୍ଓସି ମିଳୁନାହିଁ । ଅପରପକ୍ଷରେ ଏନ୍ଓସି ନଥିବାରୁ ସମ୍ପୃକ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସରକାରୀ ସୁବିଧା ପାଉନାହାନ୍ତି । ଏନ୍ଓସି ନଥିବା ସ୍କୁଲର ଛାତ୍ରଛାତ୍ରୀମାନେ ଆଦର୍ଶ ସ୍କୁଲ ପ୍ରବେଶିକା ହେଉକି କି ଜବାହର ନବୋଦୟ ସ୍କୁଲ ପ୍ରବେଶିକା ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇପାରୁନାହାନ୍ତି । ସେହିପରି ବୃତ୍ତି ପରୀକ୍ଷାରେ ମଧ୍ୟ ଭାଗ ନେଇପାରୁନାହାନ୍ତି କି ସରକାରୀ ଯୋଜନାରେ ଲାଭାର୍ଥୀ ହୋଇପାରୁନାହାନ୍ତି।

ଜିଲ୍ଲା ଶିକ୍ଷା ବିଭାଗର ସୂଚନା ମୁତାବକ, ଜିଲ୍ଲାରେ ମୋଟ୍ ୨୩୨ଟି ଘରୋଇ ବିଦ୍ୟାଳୟ ରହିଛି । ସେମାନଙ୍କ ମଧ୍ୟରୁ ୧୬୭ଟି ବିଦ୍ୟାଳୟର ଏନ୍ଓସି ରହିଛି । ଅନ୍ୟ ୬୫ଟି ବିଦ୍ୟାଳୟ ବିନା ଏନ୍ଓସିରେ ଚାଲିଛି । ଟଙ୍କା ରୋଜଗାର ଲୋଭରେ ଏହି ବିଦ୍ୟାଳୟଗୁଡିକ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ସରକାରୀ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଭଲ ପାଠ ପଢ଼ାଯାଉନଥିବା କହି ପିଲା ଭିଡୁଛନ୍ତି । ହଷ୍ଟେଲ୍ ନାଁ’ରେ ମାସକୁ ମାସ ଟଙ୍କା ଟାଣୁଛନ୍ତି । ନିଜର ଏନ୍ଓସି ନଥିବାରୁ ପିଲାଙ୍କୁ ଅନ୍ୟ ସ୍କୁଲରେ ନାମ ଲେଖାଇ ନିଜ ସ୍କୁଲରେ ପାଠ ପଢ଼ାଉଛନ୍ତି। ଘରୋଇ ବିଦ୍ୟାଳୟର ଏଭଳି କାରସାଦି ଅଭିଭାବକମାନେ ବୁଝି ପାରୁନଥିବା ବେଳେ ପରବର୍ତ୍ତୀ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଘରୋଇ ବିଦ୍ୟାଳୟଗୁଡ଼ିକର ଲାଭଖୋର ମନୋଭାବ ଯୋଗୁଁ ସରକାରୀ ବିଦ୍ୟାଳୟଗୁଡିକରେ ପିଲା ସଂଖ୍ୟା କମୁଥିବା ବେଳେ ଶିକ୍ଷା ବିଭାଗ ସବୁଜାଣି ଆଖିବୁଜିଦେଇଛି ।

ଜିଲ୍ଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଜିଲ୍ଲାରେ ଅନେକ ଘରୋଇ ବିଦ୍ୟାଳୟ ବିନା ଏନ୍ଓସିରେ ଚାଲିଛି । ଅଭିଭାବକ ଓ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି । ମାତ୍ର କାମ ଚାପ ଯୋଗୁଁ ବିନା ଏନ୍ଓସିରେ ଚାଲିଥିବା ବିଦ୍ୟାଳୟଗୁଡିକରେ ଚଢ଼ାଉ କି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ । ଅନେକ ଘରୋଇ ବିଦ୍ୟାଳୟ ନିଜ ନାଁ’ରେ ପିଲାଙ୍କୁ ଆଣି ଅନ୍ୟ ସ୍କୁଲରେ ନାମ ଲେଖାଉଥିବାର ଅଭିଯୋଗ ମଧ୍ୟ ରହିଛି । ବହୁ ବଡ଼ ବଡ଼ ସ୍କୁଲ ସରକାରୀ ନିୟମକୁ ଦଳିମକଚି ଚାଲିଥିଲେ ହେଁ ସରକାରୀ ବ୍ୟବସ୍ଥା ମଧ୍ୟରେ ଅନେକ ସମୟରେ ଚୁପ୍ ରହିବାକୁ ପଡୁଛି । ଅଭିଭାବକମାନେ ସଚେତନ ହୋଇ ନିଜ ପିଲାଙ୍କ ନାମ ଏନ୍ଓସି ଥିବା ସ୍କୁଲରେ ଲେଖାଇବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁଙ୍କ ସହ ଯୋଗାଯୋଗ ଉଦ୍ୟମ ହୋଇଥିଲେ ହେଁ ସମ୍ଭବ ହୋଇପାରିନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button