ମଉଳୁଛି ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଶା: ଭୂଇଁରୁ ଉଠୁନି ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର, ୨୦୦ କୋଟିର କେନ୍ଦ୍ରୀୟ ପ୍ରକଳ୍ପ ଦିଗହରା
ରାଉରକେଲା ୩୦/୦୮: ଆଦିବାସୀ ବର୍ଗର ମେଧାବୀଙ୍କୁ ଅତ୍ୟାଧୁନିକ ବୈଷୟିକ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଇସ୍ପାତ ନଗରୀ ରାଉରକେଲାରେ ପରିକଳ୍ପନା କରାଯାଇଥିଲା ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର । ୨୦୦ କୋଟିର ଏହି ବୃହତ୍ ପ୍ରକଳ୍ପ ନିମନ୍ତେ ସବୁଜ ସଙ୍କେତ ଦେଇଥିଲେ କେନ୍ଦ୍ର ସରକାର । ଏଥିଲାଗି ୧୪.୫ ଏକର ଜମି ମଧ୍ୟ ହସ୍ତାନ୍ତର ସରିଛି ।
ହେଲେ ଦୀର୍ଘ ୪ବର୍ଷ ପରେ ବି ପ୍ରକଳ୍ପ ଜାଗାରେ ମାଟି ଗାଣ୍ଡୁଆଏ ପଡ଼ିନି । କହିବାକୁ ଗଲେ ଭୂଇଁରୁ ଉଠିପାରିନି ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ । ଆଉ ଲକ୍ଷାଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କ ଆଶା ମଉଳିବାରେ ଲାଗିଛି ।
ରାଉର୍କେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ପଛପାଶ୍ୱର୍ କଣ୍ଟାଝରଠାରେ କେନ୍ଦ୍ର ସରକାର ଏକ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ । ଏହାର ଦାୟିତ୍ୱ ନେଇଥିଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରଣାଳୟ । ୨୦୨୦ରେ ବିଧିବଦ୍ଧ ଭାବେ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଥିଲା । ପ୍ରକଳ୍ପରେ ମୋଟ୍ ୨୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେତେବେଳେ କୁହାଯାଇଥିଲା । ରାଉରକେଲା ଭଳି ଗୁରୁତ୍ୱପୂର୍ଣ୍ଣ ସହରରେ ଏଭଳି ପ୍ରକଳ୍ପକୁ ନେଇ ବେଶ୍ ଉତ୍ସାହିତ ହୋଇ ପଡ଼ିଥିଲେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ । କାରଣ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟରରେ ସେମାନେ ପ୍ରଶିକ୍ଷଣ ନେଇଥାଆନ୍ତେ । ଏହାପରେ କର୍ମନିୟୋଜନ ଖୋଜିବା ଲାଗି ସେମାନଙ୍କୁ ଆଉ ସଂଘର୍ଷ କରିବାକୁ ପଡ଼ିବନି ବୋଲି ସେମାନେ ଆଶା ବାନ୍ଧିଥିଲେ । ଏନ୍ଆଇଟି ଛାତ୍ରଛାତ୍ରୀ ମଧ୍ୟ ଏହି ପ୍ରକଳ୍ପରେ ଉପକୃତ ହୋଇପାରନ୍ତେ । ସେମାନଙ୍କୁ ଅଧିକ ଜ୍ଞାନ ଆହରଣ ପାଇଁ ସୁଯୋଗ ମିଳନ୍ତା ବୋଲି ସେମାନେ ଭାବିଥିଲେ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଜାଗା ଖୋଜା । ବହୁ ତର୍ଜମା, ମାନସ ମନ୍ଥନ ପରେ ଏନ୍ଆଇଟି ପାଶ୍ୱର୍ବର୍ତ୍ତୀ କଣ୍ଟାଝରଠାରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ଅଧୀନରେ ଥିବା ୨୦ ଏକର ଜମିରେ ପ୍ରକଳ୍ପ କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା । ୨୦୨୦ରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ସେଲ୍ କର୍ତ୍ତୃପକ୍ଷ ୨୦ ଏକର ଜମି ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟକୁ ପ୍ରଦାନ କରିଥିଲେ । ଇତିମଧ୍ୟରେ ୧୪.୫ ଏକର ଜମି ହସ୍ତାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ମାପଚୁପ ବେଳେ ଅବଶିଷ୍ଟ ଜମି ଜଙ୍ଗଲ ବିଭାଗ ଅଧୀନରେ ଥିବା ଜଣାପଡ଼ିବା ପରେ ତାହା ହସ୍ତାନ୍ତର ହୋଇପାରି ନ ଥିଲା । ତଥାପି ହସ୍ତାନ୍ତର ହୋଇଥିବା ଜମିରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ ଲକ୍ଷ୍ୟ ରଖାଯାଇ କାମ ଆରମ୍ଭ ହେଲା । ଉକ୍ତ ଜମିକୁ ସିମେଣ୍ଟ ଖୁଣ୍ଟ ପୋତି ଆବଦ୍ଧ କରାଯାଇଥିଲା । ସେଠାରେ ପ୍ରକଳ୍ପ ସମ୍ପର୍କିତ ଫଳକ ମଧ୍ୟ ଲଗାଗଲା । ଆଶା କରାଯାଉଥିଲା ୨୦୨୨ କିମ୍ବା ୨୦୨୩ ସୁଦ୍ଧା ପ୍ରକଳ୍ପ ଶେଷ ହୋଇ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ।
କେବଳ ଏତିକି ନୁହେଁ, ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେଲେ ଏଠାରୁ ଉତ୍ପାଦିତ ଯନ୍ତ୍ରାଂଶ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଯୋଗାଇ ଦିଆଯାଇଥାଆନ୍ତା । ଉନ୍ନତ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ପରୀକ୍ଷଣ, ବୈଷୟିକ ଯନ୍ତ୍ରପାତିର ବିକାଶ ସହ ଦକ୍ଷତା ବିକାଶ ମଧ୍ୟ ହୋଇପାରନ୍ତା । ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏହା ବଡ଼ ସୁଯୋଗ ହେବ ବୋଲି ବୁଦ୍ଧିଜୀବୀ ଆଶା ରଖିଥିଲେ । ହେଲେ ୪ବର୍ଷ ଭିତରେ ଫଳକ ଛଡ଼ା ଆଉ ସେଠାରେ ଇଟା ଖଣ୍ଡିଏ ମଧ୍ୟ ପଡ଼ିନାହିଁ । ପୋତା ଯାଇଥିବା ସିମେଣ୍ଟ ଖୁଣ୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ଚୋରି ହୋଇଗଲାଣି । ପ୍ରକଳ୍ପ ଅଗ୍ରଗତି ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ । ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର କ୍ଷମତାରେ ଅଛି । ତେଣୁ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ରାଉରକେଲାସ୍ଥିତ ଏମ୍ଏସ୍ଏମ୍ଇ ସହନିର୍ଦ୍ଦେଶକ ଦୀପକ କୁମାର ନାୟକଙ୍କୁ ପଚରାଯିବାରେ ସେ ଜମି ଅଧିଗ୍ରହଣ ହୋଇଥିବା ସ୍ୱୀକାର କରିଛନ୍ତି । ହେଲେ ଅନ୍ୟ କୌଣସି ତଥ୍ୟ ତାଙ୍କ ପାଖରେ ନ ଥିବା ସେ କହିଛନ୍ତି।