ରାଜ୍ୟ

ଆଦିବାସୀଙ୍କ ଖାଦ୍ୟ ଥାଳିର ଆକର୍ଷଣ ‘ତାପେଙ୍ଗା’

ମାଲକାନଗିରି(ଅଶୋକ ମିଶ୍ର): ମଣିଷ ସମାଜ ପାଇଁ ଜୀବଜଗତ ପ୍ରତି ପ୍ରକୃତିର ଅବଦାନ ଅନେକ ରହିଛି। ବଣ ଜଙ୍ଗଲ ମଧ୍ୟରେ ପ୍ରକୃତି ରଖିଛି ଅମୂଲ୍ୟ ସମ୍ପଦ ଏବଂ ଜୀବଜଗତକୁ ବଞ୍ଚାଇ ରଖିବାର ମାଧ୍ୟମ। ତେବେ ଏହିପରି କିଛି ପ୍ରକୃତିର ଅବଦାନ ଉପରେ ନିର୍ଭର କରି ଓ ଏହାକୁ ଆଦରି ପିଢି ପରେ ପିଢି ହଜାର ହଜାର ଆଦିବାସୀ ଲୋକେ ଆଜି ମଧ୍ୟ ବଣ ଜଙ୍ଗଲ ଘେରା ପରିବେଶରେ ଅତି ସୁସ୍ଥ ଓ ଆନନ୍ଦର ସହ କାଳତିପାତ କରୁଛନ୍ତି।

ତେବେ ଯେତେବେଳେ ଆଦିବାସୀ ଓ ପ୍ରକୃତିର କଥା ଆସେ ସେତେବେଳେ ମାଲକାନଗିରି ଜିଲ୍ଲାର ନାମ ସବୁଠାରୁ ଆଗରେ ରୁହେ।

ଆଜି ମଧ୍ୟ ମାଲକାନଗିରିର ଲୋକେ ପ୍ରକୃତି କୋଳରେ ରହୁଥିବା ବେଳେ ଏଠାକାର ଆଦିବାସୀଙ୍କୁ ଖାଦ୍ୟ, ବସ୍ତ୍ର ସହ ରୋଜଗାର ମଧ୍ୟ ଯୋଗାଇ ଆସୁଛି ଅନେକ ପ୍ରାକୃତିକ ଅବଦାନ। ତେବେ ପୃଥିବୀ ପୃଷ୍ଠରେ ନାନା ପ୍ରକାର ପୋକ, କୀଟପତଙ୍ଗ, ସରୀସୃରପ, ଜୀବ ଜନ୍ତୁ ଭରପୁର ହୋଇ ରହିଛନ୍ତି। ଏଥି ମଧ୍ୟରୁ କେତକ ମାନବ ସମାଜ ପାଇଁ ଉପକାରରେ ଓ ଅପକାରରେ ଲାଗୁଥିବା ବେଳେ ଅନ୍ୟ କେତକଙ୍କୁ ଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ। ଏହାରି ମଧ୍ୟରେ ବଣ ଜଙ୍ଗଲର ବିଭିନ୍ନ ଗଛପତ୍ରରେ ବସା ବାନ୍ଧିଥିବା ନାଲିଆ ଜନ୍ଦା ତଥା କାଇ ଯାହାକୁ ମାଲକାନଗିରି ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟର ଲୋକେ ତାପେଙ୍ଗା, ଆଲେଇ, ସାପେଙ୍ଗା, ଚାଟି ଭଳି ବିଭିନ୍ନ ନାମରେ ନାମିତ କରିଛନ୍ତି ଏବଂ ଏହାକୁ ପିଢି ପରେ ପିଢି ସେମାନେ ଖାଦ୍ୟ ଭାବେ ଗ୍ରହଣ କରିବା ସହ ଏହା ସେମାନଙ୍କୁ ସ୍ୱଳ୍ପ ରୋଜଗାର ମଧ୍ୟ ଯୋଗାଇ ଆସୁଛି।

ଏହା ଶୁଣିବାକୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ, କାରଣ ସାଧରଣତଃ ଲୋକେ କାଈ ପୋକ ଓ ନାଲିଜନ୍ଦାକୁ ଦେଖିଲେ କାମୁଡି ଦେବା ଭୟରେ ଅନେକ ଲୋକ ଏହାକୁ ଡରୁଥିବା ବେଳେ ଗରିବ ଆଦିବାସୀମାନେ ଏହାକୁ ସୁସ୍ୱାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। କେବଳ ଖାଦ୍ୟ ଭାବେ ନୁହେଁ ଏହାର ଅନେକ ଔଷଧୀୟ ଗୁଣଥିବାରୁ ଗାଁ ଗହଳର ଦିଶାରୀ, ବଇଦମାନେ ରୋଗୀଙ୍କୁ କାଈ ଓ ତା’ର ଅଣ୍ଡାର ଚଟଣି ଖାଇବାକୁ ପରାମର୍ଶ ଦେଇଥାନ୍ତି। ବିଶେଷକରି ଖରା ଓ ଶୀତ ଦିନ ମାନଙ୍କରେ ଆମ୍ୱ, ମହୁଲ, ପଣସ, ଜାମୁକୋଳି, ପିଜୁଳି ପରି ନାନା ପ୍ରକାର ଗଛର ପତ୍ରକୁ ଯୋଡି ଠୋଲାରେ କାଈମାନେ ବସା ବାନ୍ଧିଥାନ୍ତି। ଏହାକୁ ସକାଳୁ ଜଙ୍ଗଲକୁ ଯାଇ ସଂଗ୍ରହ କରିଥାନ୍ତି ଆଦିବାସୀ ଲୋକମାନେ। ଗଛରୁ କାଈ ସଂଗ୍ରହ କରି ଆଣି ଏହାକୁ ସେମାନେ ବିଭିନ୍ନ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। କାଇକୁ ଚଟଣି, ତରକାରୀ କରି ସେମାନେ ଭାତ ସହ ମଧ୍ୟ ଖାଉଥିବା ପ୍ରକାଶ କରିଛନ୍ତି।

କେବଳ ଆଦିବାସୀ ଲୋକ ନୁହଁନ୍ତି ଏହାର ବହୁତ ଔଷଧୀୟଗୁଣ ଥିବାରୁ ଅନେକ ସାଧାରଣ ବର୍ଗର ଲୋକମାନେ କାଈ ଚଟଣିକୁ ବ୍ୟବହାର କରିଥାନ୍ତି। ଆକାରରେ ଦେଖିବାକୁ ଛୋଟ କିଟ କାଈ ପୋକଟିଏ ହେଲେ, ଗୁଣରେ ଅନେକ ବଡ। ଖରାଦିନେ ଅଂଶୁଘାତ ରୋଗିକୁ କାଈକୁ ଶିଳରେ ବାଟି ପାଣିପରି ପିଇବାକୁ ଦେଲେ ଭଲ ହୋଇଥାଏ, ଏପରିକି ପେଟ ରୋଗୀ, ଆଣ୍ଠୁଗଣ୍ଠି ରୋଗୀଙ୍କୁ କାଈ ଚଟଣି ଖାଇବାକୁ ଦେଲେ ସେମାନଙ୍କ ଅନେକ ସମସ୍ୟା ଦୂର ହୁଏ ବୋଲି ଲୋକେ ପ୍ରକାଶ କରିଛନ୍ତି। ଯାହର ଚର୍ମରୋଗ ହୋଇଥାଏ ତାକୁ ବାରମ୍ୱାର କାଈ କାମୁଡାଇ ଦିନକୁ ଦୁଇଥର ନାଲି କାଈ ଚଟଣି ଖାଇବାକୁ ଦେଲେ ଏଥିରେ ମଧ୍ୟ ଉପଶମ ହୋଇଥାଏ। ଅନେକ ପ୍ରକାର ରୋଗରେ କାଈ ଚଟଣିକୁ ବ୍ୟବହାର କରାଯାଇଥାଏ ବୋଲି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକେ ପ୍ରକାଶ କରିଛନ୍ତି।

ଆଦିବାସୀ ଲୋକେ ଜଙ୍ଗଲରୁ କାଈପୋକ ସଂଗ୍ରହକରି ହାଟବଜାରରେ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ଗୋଟିଏ କାଈ ପତ୍ରଭାଗକୁ ୧୦ରୁ ୨୦ଟଙ୍କା ଲେଖା ବିକ୍ରି କରିଥାନ୍ତି ଲୋକେ। ଦିନକୁ କାଈ ବିକ୍ରି କରି ୧୫୦ରୁ ୨୦୦ଟଙ୍କା ଯାଏଁ ରୋଜଗାର କରିଥାନ୍ତି। ତାପେଙ୍ଗା ତଥା କାଇ ଗରିବ ଆଦିବାସୀଙ୍କୁ ତିନିମାସର ଦାନା ଯୋଗାଇବା ସହିତ କିଛି ରୋଗ ଓ ପରିବା ସମସ୍ୟା ଦୂର କରିପାରିଛି। ସ୍ଥାନୀୟ ଆଦିବାସୀ ଲୋକଙ୍କ ପାଇଁ ଏହା ଏକ ପାରମ୍ପରିକ ଖାଦ୍ୟ ହୋଇଥିବା ବେଳେ ବର୍ତ୍ତମାନ ଆଉ ଆଗ ପରି କାଇ ବସା ବିଶେଷ ଭାବେ ଦେଖିବାକୁ ମିଳୁ ନ ଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି କାଇ ଉପଲବ୍ଧ ଥିବା ପ୍ରକାଶ କରିଛନ୍ତି ସଂଗ୍ରହକାରୀ।

Related Articles

Leave a Reply

Your email address will not be published. Required fields are marked *

Back to top button