ରାଜ୍ୟ

ରାଜଧାନୀରେ ବେଲଗାମ୍‌ ବୁଲାଗୋରୁ : କିଏ ପିଉଛି କ୍ଷୀର; ଦଣ୍ଡ ଭୋଗୁଛନ୍ତି ଯାତ୍ରୀ

ଭୁବନେଶ୍ୱର : ରାଜଧାନୀରେ ଅନେକ ଗୋପାଳକ ସେମାନଙ୍କ ପାଳିତ ଗୋରୁଙ୍କୁ ଅଜବ ଅଭ୍ୟାସ ପକାଇ ଦେଇଛନ୍ତି। ଗୋରୁଙ୍କ ବେକରେ କେବେ ହେଲେ ପଘା ଲାଗୁନି। ଖୁଣ୍ଟରେ କେବେ ବନ୍ଧା ହେବାର କେହି ଦେଖିନାହାନ୍ତି। ନା ଗୋରୁଙ୍କ ରହିବା ପାଇଁ ମାଲିକମାନେ କୌଣସି ଗୁହାଳ ତିଆରି କରୁଛନ୍ତି। ଏପରି ପୂର୍ବରୁ ଗୋରୁ ଗୁହାଳ ଥିବା ସ୍ଥାନରେ ଘର କରି ଭଡ଼ା ଲଗାଇ ଦେଉଛନ୍ତି।

ସେପଟେ ଗୋରୁ ବେଲଗାମ୍‌ ହୋଇ ଦିନ ତମାମ ବୁଲୁଛନ୍ତି। ସକାଳ ଓ ସନ୍ଧ୍ୟାରେ ଗୋରୁମାନେ ମାଲିକର ଘରକୁ ଆସୁଛନ୍ତି। ମାଲିକମାନେ ଗୋରୁଙ୍କ ଠାରୁ କ୍ଷୀର ଦୁହିଁବା ପରେ ରାସ୍ତାକୁ ତଡ଼ି ଦେଉଛନ୍ତି। ଫଳରେ ରାସ୍ତାସାରା ଏବେ ଗୋରୁ ପହ୍ଲଙ୍କୁ ଦେଖିବାକୁ ମିଳୁଛି। ସହର ଭିତର ହେଉ କିମ୍ବା ଉପକଣ୍ଠ ସବୁଆଡ଼େ ସମାନ ଅବସ୍ଥା ଦେଖିବାକୁ ମିଳୁଛି।

ଗୋରୁ ପଲ ଯୋଗୁଁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ରାସ୍ତାରେ ଶୋଇ ପଡୁଥିବା ଗୋରୁଙ୍କୁ ଯେତେ ହର୍ଣ୍ଣ ମାରିଲେ ମଧ୍ୟ ଉଠୁ ନାହାନ୍ତି। ରାସ୍ତାରେ ଗାଡ଼ି ସାମ୍ନାକୁ ଅଚାନକ ଗୋରୁ ପଶି ଆସୁଛନ୍ତି। ଫଳରେ ଦୁର୍ଘଟଣା ଘଟୁଛି। ଧନଜୀବନ ହାନୀ ହେଉଛି। ଏହା ବ୍ୟତୀତ ରାଜରାସ୍ତାର ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ଲାଗିଥିବା ଗଛଗୁଡ଼ିକୁ ଖାଇ ଦେଉଛନ୍ତି। ରାସ୍ତା ଘାଟ ଗୋବରମୟ ହୋଇଯାଉଛି। ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଛି। ରାଜଧାନୀର ଭଗବାନପୁର, ପଟିଆ, ମଞ୍ଚେଶ୍ୱର, କଳିଙ୍ଗବିହାର, ସତ୍ୟବିହାର, ପୁରୀ ବାଇପାସ୍‌ ସମେତ ବିଭିନ୍ନ ସ୍ଥାନରେ ଏଭଳି ଗୋରୁ ପଲ ଦେଖିବାକୁ ମିଳୁଛି।

ସହରାଞ୍ଚଳ ନିୟମ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଗୃହପାଳିତ ପଶୁ ରଖନ୍ତି ତେବେ ଏଥିପାଇଁ ବିଏମ୍‌ସିରୁ ଅନୁମତି ନେବା ଅବଶ୍ୟକ। ଏହା ବ୍ୟତୀତ ଗୃହପାଳିତ ପଶୁଙ୍କୁ ନିଜ ଦାୟିତ୍ୱରେ ରଖିବେ। ବାହାରକୁ ଛାଡ଼ିବେ ନାହିଁ। ଆଇନ୍‌ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଏବଂ ଜରିମାନ ବ୍ୟବସ୍ଥା ରହିଛି। ହେଲେ ଏହି ନିୟମ ନ ମାନି ଗୋରୁଙ୍କୁ ବାହାରେ ଛାଡ଼ିବାରୁ ବିଏମ୍‌ସି ବହୁ ଦିନ ହେବ ଗୋରୁ ଉଠା ଅଭିଯାନ ଆରମ୍ଭ କରିଥିଲା। ବୁଲାଗାଈଙ୍କୁ ନେଇ ଗୋଶାଳାର ଛାଡ଼ି ଦେଉଥିଲା। ଗାଈ ମାଲିକ ନିଜ ଗାଈ ଆଣିବା କାଠିକର ପାଠ ହୋଇପଡ଼ୁଥିଲା। ଗୋରୁ ଉଠା କାର୍ଯ୍ୟ ଜୋରଦାର କରିବାକୁ କିଛି ଠିକାସଂସ୍ଥାକୁ ଏଥିରେ ନିୟୋଜିତ କରାଯାଇଥିଲା। ହେଲେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ଏଥିରେ ଯେପରି ରୋକ ଲାଗିଯାଇଛି। ନିର୍ବାଚନ ଆଚରଣରବିଧି କେବେଠାରୁ ଉଠିଗଲାଣି, ହେଲେ ଗୋରୁ ଉଠାକାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଏ ନେଇ ବିଏମ୍‌ସିର ବିଭାଗୀୟ ଅଧିକାରୀ ରଞ୍ଜନ ବେହେରା କହିଛନ୍ତି ଦୈନିକ ୪ରୁ ୫ଟି ଗୋରୁ ମହାନଗର ନିଗମ ପକ୍ଷରୁ ଉଠାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button