ଏବେ ବି ଏହି ସ୍ଥାନରେ ବଞ୍ଚିରହିଛି ଅତୀତର ପାରମ୍ପରିକ ଖେଳ, କୁନି କୁନି ପିଲାଙ୍କ ଶବ୍ଦରେ କମ୍ପୁଛି ଗାଁ ଦାଣ୍ଡ
ଚି-ଖେଳ” ଠାରୁ ଆରମ୍ଭ କରି “ଇଟିକିଲି ମିଟିକିଲି”, “ବୋହୁ ଚୋରୀ”, “ବାଘ-ଛେଳି”, “ଖପରା ଡିଆଁ” ଏମିତି ଅନେକ ଖେଳ ଏବେ ଆଉ ଦେଖିବାକୁ ମିଳୁନାହିଁ । କିଛି ଖେଳ ଘର ଭିତରେ ହେଉଥିଲା । ଆଉ କିଛି ଘର ବାହାରେ ଯେମିତିକି ଗାଁ ଦାଣ୍ଡ, ଆମ୍ବତୋଟା ଏବଂ ଖେଳ ପଡିଆରେ ହେଉଥିଲା ।
ଏବେ କିନ୍ତୁ ଏସବୁ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳୁଛି । ପରିର୍ବତ୍ତନଶୀଳ ସମୟ ଅନୁଯାୟୀ ଖେଳ ଓ ମାନସିକତା ବଦଳିଛି ।
ପୂର୍ବରୁ ଧୂଳି-ଧୂସର ହୋଇ କୁନି କୁନି ପିଲାମାନେ ଗାଁ ଦାଣ୍ଡରେ ଖେଳୁଥିଲେ । ଅଧିକାଂଶ ଖେଳରେ ଗ୍ରାମାଞ୍ଚଳର ଲୋକ-ଗୀତ ଯୋଡ଼ି ହେଉଥିଲା । ଯାହା ଦ୍ୱାରା ଏସବୁ ଖେଳ ପ୍ରତି ପିଲାମାନେ ଅଧିକ ଆଗ୍ରହୀ ହେଉଥିଲେ । ପିଲାଙ୍କ ଉଭୟ ଶାରୀରିକ ଓ ମାନସିକ ଦକ୍ଷତା ବଢ଼ାଇବାରେ ପ୍ରମୁଖ ଭୂମିକା ତୁଲାଉଥିଲା ଅତୀତର ଏହି ସବୁ ଖେଳ । ପୁଅ ଓ ଝିଅଙ୍କ ଖେଳ ଥିଲା ଭିନ୍ନ ଭିନ୍ନ । ଖେଳ ଦ୍ୱାରା ଆମ ଗ୍ରାମୀଣ ପରମ୍ପରାକୁ ଜାଣିବା ସହ ପିଲାଙ୍କ ଭିତରେ ଏକତା ଭାବ ସୃଷ୍ଟି ହେଉଥିଲା । ବର୍ତମାନ ହେଉଛି ସୋସିଆଲ ମିଡିଆ ଯୁଗ । ପିଲାଙ୍କ ଖେଳ ଓ ଖେଳର ତରିକା ବଦଳିଛି । ଅତୀତର ଖେଳ ସବୁ ଇତିହାସ ପାଲଟିବାକୁ ଯାଉଛି ।
କିନ୍ତୁ ଏବେ ବି ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ବଞ୍ଚିରହିଛି ଅତୀତର ପାରମ୍ପରିକ ଖେଳ । ଅତୀତରେ ଯେଉଁ ଖେଳ ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି ସେହି ଖେଳକୁ ପିଲାମାନେ ଏବେ ବି ଖେଳୁଛନ୍ତି । ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ପଳାସପଲ୍ଲୀ ଗାଁର ପିଲାମାନେ ଏମିତି କିଛି ପାରମ୍ପରିକ ଖେଳ ଖେଳୁଛନ୍ତି । ବଞ୍ଚାଇ ରଖିଛନ୍ତି ଇତିହାସର ସେହି ଖେଳ ।
ପିଲାଙ୍କ ଏହି ଖେଳ ପୁରୁଣା ଦିନକୁ ମନେ ପକାଏ । ସତରେ ଏବେକାର ବ୍ୟସ୍ତ ବହୁଳ ଜୀବନରେ ସେହି ପିଲା ଦିନର ଖେଳ ହଜି ହଜି ଯାଉଛି । ପିଲାମାନେ ଡିଜିଟାଲ ଦୁନିଆରେ ରହିି ପୁରୁଣା ଦିନର ଖେଳକୁ ଭୁଲିବାକୁ ବସିଲେଣି । କିନ୍ତୁ ବାହାରେ ଏହି ସବୁ ଖେଳ ଖେଳିବା ଦ୍ୱାରା ପିଲାଙ୍କ ଶାରିରୀକ ଓ ମାନସିକ ଦକ୍ଷତାରେ ପରିବର୍ତ୍ତନ ହେବ ଏବଂ ପିଲାମାନେ ଖୁସି ରହିବେ ।