ଲୁଲୁଙ୍ଗ ଅରଣ୍ୟ ନିବାସରେ ଦ୍ୱିତୀୟ ବାର୍ଷିକ ପେଣ୍ଟର୍ସ କ୍ୟାମ୍ପ, ସେପ୍ଟେମ୍ବର ୧୦ରୁ ୧୫ଯାଏଁ ପ୍ରାକୃତିକ ପରିବେଶରେ ଚିତ୍ର ଆଙ୍କିବେ ଶିଳ୍ପୀ
ବାରିପଦା,୦୭/୦୯: କେତକୀ ଫାଉଣ୍ଡେସନ ଓ ଅରଣ୍ୟ ନିବାସ ଲୁଲୁଙ୍ଗର ମିଳିତ ସହଯୋଗରେ ଦ୍ୱିତୀୟ ଥର ପାଇଁ ଏକ ପେଣ୍ଟର୍ସ କ୍ୟାମ୍ପ ଅନୁଷ୍ଠିତ ହେବାକୁ ଯାଉଛି । ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇ ଏହି କ୍ୟାମ୍ପ ୧୫ତାରିଖ ଯାଏଁ ଚାଲିବ । ଚଳିତ ବର୍ଷ ଏହି ଶିବିରର ବିଷୟ ବସ୍ତୁ ରହିଛି ‘ଆଇ ଏମ ଉଇଥ ନେଚର’ । ଶିମିଳିପାଳର ଲୁଲୁଙ୍ଗ ଠାରେ ପ୍ରକୃତି କୋଳରେ ଅତ୍ୟନ୍ତ ମନଲୋଭା ପରିବେଶ ମଧ୍ୟରେ ଚିତ୍ରଶିଳ୍ପୀମାନେ ସ୍ଥୀନୀୟ ଅଧିବାସୀମାନଙ୍କ ସହିତ ମିଶିବାର ସୁଯୋଗ ପାଇବେ ।
ଭାରତର ଅନ୍ୟତମ ଜୈବମଣ୍ଡଳ ତଥା ପ୍ରକୃତି ସୁନ୍ଦରୀ ଶିମିଳିପାଳର ସୌନ୍ଦର୍ଯ୍ୟକୁ ଅବଲୋକନ କରିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନେ ଆସି ଏହି ଶିବିରରେ ଉପସ୍ଥିତ ହେବେ । ଏହି ଶିବିରରେ ଅଂଶ ଗ୍ରହଣ କରିବାକୁ ଆସୁଥିବା ଶିଳ୍ପୀମାନେ ହେଲେ ପ୍ରତୁଲ କୁମାର ଦାଶ, ତଜନ କୁମାର ଦାଶ, ତ୍ରିଭୁବନ କୁମାର ଦେଓ, ସୁବ୍ରତ କୁମାର ମଲ୍ଲିକ, କିଶୋର ସାହୁ, ଚକ୍ରଧର ବେହେରା, ଲିପିଶ୍ରୀ ନାୟକ, ଗୌରାଙ୍ଗ ବାରିକି, ନୀଳାଂଶୁ ବାଳାସାସମଲ ଓ ଶୁଭେନ୍ଦୁ ମିଶ୍ର ।
ସେପ୍ଟେମ୍ବର ୧୦ଟା ୩୦ରେ ଏହି ଶିବିର ଉଦ୍ଘାଟିତ ହେବାକୁ ଥିବା ବେଳେ ୧୧ତାରିଖରେ ଚିତ୍ରଶିଳ୍ପୀମାନେ ସ୍ଥାନୀୟ ଅଞ୍ଚଳ ଭ୍ରମଣ ସହିତ ନିମନ୍ତ୍ରିତ ଅତିଥିଙ୍କ ସହ ଆଲୋଚନା କରିବେ । ୧୨ତାରିଖରେ ସ୍ଥାନୀୟ ଆଦିବାସୀ ଗ୍ରାମ ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ କଳା ଶିବିର ଆୟୋଜିତ ହୋବ । ୧୩ରେ ହରିପୁର ଗଡ ପରିଦର୍ଶନ ସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଛଉ ଓ ଆଦିବାସୀ ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ରହିଛି । ୧୪ରେ ହଜି ଯାଉଥିବା ଐତିହ୍ୟ ସଂପର୍କରେ ଆଲୋଚନା କାର୍ଯ୍ୟକ୍ରମ ରହିଥିବା ବେଳେ ୧୫ରେ ସ୍ଥାନୀୟ ଗାଇଡଙ୍କ ସହିତ ଜଙ୍ଗଲ ଭ୍ରମଣର ମଜା ନେବେ ଶିଳ୍ପୀମାନେ । ସେପଟେ ଅରଣ୍ୟ ନିବାସରେ ୧୫ ତାରିଖରେ ଉଦ୍ଯାପନୀ ପରେ ଶିଳ୍ପୀଙ୍କ ଦ୍ୱାରା ଅଙ୍କିତ କଳାକୃତୀ ସମୂହକୁ ନେଇ ଆସନ୍ତା ଜାନୁଆରୀ ୧୦ରୁ ୧୫ ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜିତ ହୋଇ ସେଠାରେ ପ୍ରଦର୍ଶିତ ହେବ ବୋଲି ଶିବିରର ଆବାହକ ବରିଷ୍ଠ ଚିତ୍ରଶିଳ୍ପୀ ରାମହରି ଜେନା କହିଛନ୍ତି ।