କଠୋର ହେଲା ବିଏମ୍ସି: ପାଣି ଜମୁଥିଲେ ବି ଭରିବେ ଜରିମାନା – Ibnodisha

[ad_1]
ଭୁବନେଶ୍ୱର: ଡେଙ୍ଗୁ ରୋକିବାକୁ ବିଏମ୍ସି ସ୍ବାଧୀନତା ଦିବସ ପରଠୁ ନୂଆ ପଦକ୍ଷେପ ନେବାକୁ ଯାଉଛି। ମଶା ବଂଶ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଥିଲେ ବା ଘରେ କିମ୍ବା ଘର ଆଖପାଖରେ କୌଣସି ଜାଗାରେ ଦୀର୍ଘ ଦିନ ଧରି ପାଣି ଜମି ରହୁଥିବା ଦେଖିବାକୁ ମିଳିଲେ, ବିଏମ୍ସି ସାଧାରଣ ଲୋକଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରିବ। ବ୍ୟାବସାୟିକ ପ୍ରତିଷ୍ଠାନରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହେବ। ବିଏମ୍ସିର ପରିମଳ ଟିମ୍ ଘରଘର ବୁଲି ଏହା ଯାଞ୍ଚ କରିବେ। ଯେଉଁଠି ଯାଞ୍ଚ କର୍ମଚାରୀଙ୍କୁ ମଶା ବଂଶ ବୃଦ୍ଧି ପାଇବା ଆଶଙ୍କା ଦେଖାଯିବ, ସଙ୍ଗେସଙ୍ଗେ ସମ୍ପୃକ୍ତ ଘର ମାଲିକଙ୍କୁ ଜରିମାନା ହେବ। ଏହି କାର୍ଯ୍ୟାନୁଷ୍ଠାନ ଆସନ୍ତା ୧୫ ତାରିଖଠାରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ।
ସେ କହିଛନ୍ତି, ଡେଙ୍ଗୁ ମୁକାବିଲା ପାଇଁ ବିଏମ୍ସି ଯତ୍ପରୋନାସ୍ତି ଉଦ୍ୟମ କରୁଛି। ପ୍ରତ୍ୟେକ ୱାର୍ଡରେ ମଶା ଧୂଆଁ ଓ ମଶାତେଲ ପକାଯାଉଛି। ୧୫ଟି ମେସିନ୍ ମଶା ଧୂଆଁ ଦିଆ କାମରେ ଲାଗିଛି। ଡାକ୍ତରୀ ଟିମ୍ ଘରଘର ବୁଲି ସଚେତନ କରାଉଛନ୍ତି। ମଶା ଲାର୍ଭା ନଷ୍ଟ କରାଯାଉଛି। ତେବେ ଏଥିରେ ଜନସାଧାରଣଙ୍କର ବଡ଼ ଭୂମିକା ରହିଛି। ପ୍ରତ୍ୟେକ ଘରେ କିମ୍ବା ବାଡ଼ିରେ କେଉଁଠି ଛୋଟଛୋଟ ଜାଗାରେ ପାଣି ଜମି ଡେଙ୍ଗୁ ମଶା ବଂଶ ବଢ଼ୁଛି, ଜାଣିବା ସମ୍ଭବ ହେଉନାହିଁ। ଏଣୁ ପ୍ରତ୍ୟେକ ନିଜନିଜ ଘର ଓ ବାଡ଼ି ପରିଷ୍କାର ରଖିବାକୁ ହେବ। ଏଣୁ ବିଏମ୍ସି ଏଭଳି ଏକ କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ଜନସାଧାରଣ ଏଥିରେ ସହଯୋଗ କରି ଜରିମାନାରୁ ଦୂରେଇ ରୁହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଲୋକମାନେ ଏହାକୁ ଗୁରୁତ୍ବର ସହ ନେଲେ, ବିଏମ୍ସିର ଡେଙ୍ଗୁ ମୁକାବିଲା ସଫଳ ହେବ ବୋଲି ସେ ଆଶା କରିଛନ୍ତି।
ଅନ୍ୟପଟେ ରାସ୍ତାକଡ଼ରେ ଥିବା ବୁଦାସବୁକୁ କାଟିବା ପାଇଁ କଡ଼ାକଡ଼ି କରାଯାଇଛି। ସଫେଇ ଦାୟିତ୍ବରେ ଥିବା ଠିକା ସଂସ୍ଥାମାନେ ବଣ ବୁଦା କାଟି ସଫା କରୁନାହାନ୍ତି। ଏଣିକି ଘାସ ଓ ଅନାବନା ଗଛ କାଟିବା ପାଇଁ ସଫେଇ ସଂସ୍ଥାଙ୍କୁ ନିର୍ଦେଶ ଦିଆଯାଇଛି। କାରଣ ଏହି କାମ କରିବା ପାଇଁ ସେମାନଙ୍କର ଚୁକ୍ତିନାମାରେ ରହିଛି। ଏଣୁ ଯଦି ଠିକାସଂସ୍ଥା ବଣବୁଦା ସଫା କରୁନାହାନ୍ତି, ବିଏମ୍ସି ଏସବୁ ସଫା କରିବା ସହ ହିସାବ ରଖିବ। ମାସ ଶେଷରେ ଠିକା ସଂସ୍ଥାଙ୍କୁ ମିଳିବାକୁ ଥିବା ପ୍ରାପ୍ୟକୁ ବିଏମ୍ସି ଖର୍ଚ୍ଚ କରିଥିବା ହିସାବରେ କାଟିଦିଆଯିବ। ତେଣୁ ଏଣିକି ଠିକା ସଂସ୍ଥା ଏହାକୁ ଗୁରୁତ୍ବର ସହ ନେଇ କାମ କରିବେ ବୋଲି କମିସନର ଶ୍ରୀ କୁଲାଙ୍ଗେ କହିଛନ୍ତି।
[ad_2]




