ରାଜ୍ୟ

ଭତ୍ତା ଟଙ୍କାରେ ବୁଲି ବୁଲି ଗଛ ଲଗାଉଛନ୍ତି ବୃଦ୍ଧା ଦମ୍ପତି

ନନ୍ଦପୁର : ସକାଳ ହେଲେ କାନ୍ଧରେ କୋଦାଳ ଏବଂ ହାତରେ ବାଲଟି ଧରି ଘରୁ ବାହାରିଯାଆନ୍ତି । ଘରୁ ଚା ଟିକିଏ ପିଇ ଦେଇ ଏଇ ବୃଦ୍ଧା ଦମ୍ପତି ଦୁଇଜଣ ବାହାରି ପଡନ୍ତି ଗଛ ଲଗାଇବାକୁ । ଗାଁ ସାରା ବୁଲି ଗଛ ଲଗାଉଛନ୍ତି । କେଉଁଠି ଟିକିଏ ଫାଙ୍କା ଦେଖିଲେ ସେଠି ଲଗାଇ ଦେଉଛନ୍ତି ନାନା ପ୍ରକାରର ଗଛ । ଏବେ ଗାଁରେ ଆଉ କେଉଁଠି ଯାଗା ନାହିଁ ।

ଚାରିଆଡେ ସବୁଜିମା । ତେଣୁ ଏବେ ଏମାନେ ବାହାରି ଯାଉଛନ୍ତି । ସେଠାରେ ଗଛ ଲଗାଇ ବାଡି ପୋତି ଜାଲ ଦେଇ ପାଣି ଦେଇ ଆସୁଛନ୍ତି । ଏମିତି ଭାବେ ଚାଲିଛି ଗଛଲଗା କାର୍ଯ୍ୟ । ଯେଉଁ ବୟସରେ ବୃଦ୍ଧା ବୃଦ୍ଧମାନେ ଘରେ ଶୋଇ ରହୁଛନ୍ତି । ସେହି ବୟସରେ ସେମାନେ ନିଜକୁ ଏଇ ଗଛ ଲଗା କାମରେ ବ୍ୟସ୍ତ ରଖୁଛନ୍ତି । ଆନନ୍ଦ ପାଉଛନ୍ତି । ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମାନେ ଏସବୁ ଗଛ ଲଗାଉଛନ୍ତି ନିଜ ପଇସାରେ, ନିଜର ଭତ୍ତା ପଇସାରେ ।

ହଁ ଆଜ୍ଞା ପରିବେଶ ଅସନ୍ତୁଳନ ଏବେ ସମଗ୍ର ବିଶ୍ଵ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ଦିନକୁ ଦିନ ଭୟଙ୍କର ଭାବେ ତାପମାତ୍ରା ବୃଦ୍ଧି ପାଉଛି । ଏଥିରୁ ରକ୍ଷା ପାଇବା ପାଇଁ ଗଛ ଲଗାଇବା ହିଁ ଏକ ମାତ୍ର ବିକଳ୍ପ । ଯାହାକୁ କରି ଦେଖାଇଛନ୍ତି ବୃଦ୍ଧ ଦମ୍ପତ୍ତି । ନିଜର ଭତ୍ତା ଟଙ୍କାରେ ଗଛ ଲଗାଇବା ଠାରୁ ଆରମ୍ଭ କରି ବଡ ହେବାଯାଏ ସମସ୍ତ ଯତ୍ନ ନେଉଛନ୍ତି ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ଶାଳକଣିଆ ଗାଁ । ଏହି ଗାଁରେ ବାସ କରୁଥିବା ଦମ୍ପତ୍ତି ଗୋବିନ୍ଦ ଚନ୍ଦ୍ର ପୃଷ୍ଟି ଓ ଶକୁନ୍ତଳା ପୃଷ୍ଟି । ପରିଣତ ବୟସରେ ଦମ୍ପତ୍ତିଙ୍କର ଗଛ ଲଗାଇବା ନିଶା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରତିଦିନ କୋଡ଼ି କୋଦାଳ ସହ, ଚାରା ଗଛ ଧରି ଘରୁ ବାହାରି ପଡ଼ନ୍ତି ଉଭୟେ । ରାସ୍ତା କଡ଼ରେ ନିଜେ ଲଗାଇଥିବା ଗଛର ଯତ୍ନ ନେବା ସହ ଖାଲିଥିବା ସ୍ଥାନ ମାନଙ୍କରେ ନୂଆ ନୂଆ ଗଛ ଲଗାଇଥାନ୍ତି । ତାଙ୍କର ଏପରି ଆଗ୍ରହ ଦେଖି ଏଥିରେ ଗାଁ ପିଲା ମାନେ ମଧ୍ୟ ସହଯୋଗ ର ହାତ ବଢାଉଛନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପରିଣତ ବୟସରେ ପାଉଥିବା ଭତ୍ତା ଟଙ୍କାକୁ ମଧ୍ୟ ଉଭୟେ ଏହି ଗଛ ଲଗାଇବା ପାଇଁ ଖର୍ଚ୍ଚ କରୁଛନ୍ତି ।

ପୂର୍ବରୁ ଚାଷ କରି ଘର ଚଳାଉଥିବା ଗୋବିନ୍ଦ, ବୟସ ବଢ଼ିବା ପରେ ଚାଷ କାମ କରି ପାରୁ ନ ଥିବା ବେଳେ, ବୃକ୍ଷରୋପଣ ସବୁଠାରୁ ମହତ କାର୍ଯ୍ୟ ବୋଲି ଚିନ୍ତାକରି ନିଜ ଭତ୍ତା ଟଙ୍କାରେ ଚାରିଆଡ଼େ ଗଛ ଲଗାଉଛନ୍ତି ।

ଆମ୍ବ, ପଣସ , ପିଜୁଳି, କମଳା, ଲେମ୍ବୁ ,ଓଉ, ଜାମୁ କୋଳି, କାଜୁ ବାଦାମ ଭଳି ୧ ହଜାରୁ ଉର୍ଧ୍ବ ଫଳନ୍ତି ଗଛ ଲଗାଇଛନ୍ତି । ଯାହାକୁ ଭୂୟସୀ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । ଏଥିପାଇଁ ସେ ବହୁତ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି ।

ଗଛଟିଏ ଲଗାଇବାକୁ ଆହ୍ୱାନ ଦେବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ମଧ୍ୟ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଏହି ବୃଦ୍ଧ ଦମ୍ପନ୍ତିଙ୍କ ଗଛ ପ୍ରେମ ସମସ୍ତଙ୍କ ଠାରୁ ନିଆରା ନିଶ୍ଚିତ । ନଚେତ ଏ ସ୍ୱାର୍ଥପର ଦୁନିଆରେ କେହି ବିନ ନିଜ ଭତ୍ତା ଟଙ୍କାରେ ଗଛ କିଣି ଅନ୍ୟ ମାନଙ୍କ ହିତ ପାଇଁ ବୁଲି ବୁଲି ଲଗାଇବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button