ରାଜ୍ୟ

ଦୋକାନ ବାଣ୍ଟି ବାହାବା ନେଲେ: ପିଣ୍ଡିରେ ବସିବାକୁ ବ୍ୟବସାୟୀ ନାରାଜ

ଖଣ୍ଡଗିରି: ଅଢ଼େଇକୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ଘାଟିକିଆ ବିଏମ୍‌ସି ବଜାର ଉଦ୍‌ଘାଟନକୁ ଅଢ଼େଇ ବର୍ଷ ପୂରିବାକୁ ଯାଉଥିବା ବେଳେ ଦୋକାନ ଘର ଆବଣ୍ଟନକୁ ଦେଢ଼ମାସ ପୂରିଛି। ହେଲେ ପରିସ୍ଥିତିରେ ଇଞ୍ଚେମାତ୍ର ସୁଧାର ଆସିନାହିଁ। ଆବଣ୍ଟନପତ୍ର ହା‌ତେଇଥିବା ଜଣେ ହେଲେ ବ୍ୟବସାୟୀ ବଜାର ମାଟି ମାଡ଼ିନାହାନ୍ତି କିମ୍ବା ନିକଟ ଭବିଷ୍ୟତରେ ସେମାନଙ୍କର ଆସିବାର ମଧ୍ୟ ନାହିଁ। କାରଣ ବିଦ୍ୟୁତ୍‌ ସଂଯୋଗ ବାଟ ଓଗାଳିଛି। ଖୋଲା କ୍ୟାନୋପି‌ରେ ବସିବାକୁ ଉଠାଦୋକାନୀ ଚାହୁନାହାନ୍ତି। ମୌଳିକ ସମସ୍ୟା ସମାଧାନ ନ କରି ବିଏମ୍‌ସି କେବଳ ଦୋକାନ ବାଣ୍ଟି ବାହାବା ନେଇଛି। ଅଢ଼େଇ ବର୍ଷରେ ୩ ଥର ଏଭଳି ବାଣ୍ଟି ସାରିଲେଣି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଛି।

ପିଣ୍ଡିରେ ବସିବାକୁ ବ୍ୟବସାୟୀ ନାରାଜ
ବାଟ ଓଗାଳିଛି ବିଦ୍ୟୁତ୍‌ ସଂଯୋଗ
ଅଢ଼େଇ କୋଟିର ଘାଟିକିଆ ବିଏମ୍‌ସି ବଜାରକୁ ଅଢ଼େଇ ବର୍ଷ

୨୩ ନମ୍ବର ୱାର୍ଡର ଘାଟିକିଆରେ ବିଏମ୍‌ସି ୨୦ କିଓସ୍କ ଓ ୪୦ଟି ପିଣ୍ଡି(କ୍ୟାନୋପି) ନିର୍ମାଣ କରିଥିଲା। ୨୦୨୩ ମସିହାରେ ଏହାକୁ ଉଦ୍‌ଘାଟନ କରିବା ପରେ ଏହା ପଡ଼ି ରହିଥିଲା। ଏଠାରୁ ୫ କିମି ଦୂର ସିଆର୍‌ପି ଛକରୁ ବ୍ୟବସାୟୀମାନଙ୍କୁ ଏହା ଭିତରେ ଦୋକାନ ବାଣ୍ଟିଲା। କିନ୍ତୁ ଦୂର ବାଟ ଓ ବେପାର ହେବା ଭଳି ଜାଗାରେ ବଜାର ତିଆରି ହୋଇ ନଥିବା ଅଭିଯୋଗ କରି ବ୍ୟବସାୟୀ ଆସିଲେନାହିଁ। ଏଭଳି କିଛି ଦିନ ପଡ଼ି ରହିବା ପରେ ବିଭିନ୍ନ ସ୍ଥାନରୁ ପଞ୍ଜୀକୃତ ଉଠାଦୋକାନୀଙ୍କୁ ଏଠାକୁ ଆଣିବା ପାଇଁ ଯୋଜନା ହେଲା। ହେଲେ ସେଥିରେ ବି ସଫଳ ହେଲେନି। ମାତ୍ର ଜଣେ ଦୋକାନ ଖୋଲିଲେ। ବାକି ବ୍ୟବସାୟୀଙ୍କ ଆବଣ୍ଟନ ବାତିଲ୍‌ କଲା ବିଏମ୍‌ସି। ଦେଢ଼ମାସ ତଳେ ଖଣ୍ଡଗିରିବାରି, ଖଣ୍ଡଗିରି ଛକ, ବିପୁଲ ଗାର୍ଡେନ୍‌ ଛକ, ଜୟଦେବ ବାଟିକା, ନାକା ଗେଟ୍‌, କଳିଙ୍ଗନଗର, ସିଇଟି କଲେଜ୍‌ ରୋଡ୍‌ ପ୍ରଭୃତି ଅଞ୍ଚଳରେ ସର୍ଭେ କରି ହିତାଧିକାରୀ ଚୟନ କରିଥିଲେ। ବର୍ଷ ବର୍ଷ ଧରି ଟାଉନ୍‌ ଭେଣ୍ଡିଂ କମିଟି ବୈଠକ ବସିନାହିଁ। ହେଲେ ଏହି କମିଟର ଜଣେ ସଦସ୍ୟଙ୍କ ପ୍ରସ୍ତାବ ଆଧାରରେ ହିତାଧିକାରୀ ଚୟନ କରି ‌ଦୋ‌କାନ ବାଣ୍ଟିଦେଲେ। ହେଲେ ମୌଳିକ ସମସ୍ୟାକୁ ଧ୍ୟାନ ଦେଲେନି। ଏବେ ଏଠାକୁ ବିଜୁଳି ସଂଯୋଗ ଦେବାକୁ ହେଲେ ୨ଲକ୍ଷରୁ ଅଧିକ ଟଙ୍କା ଦରକାର। ହେଲେ ବିଏମ୍‌ସି ଖର୍ଚ୍ଚ କରିବାକୁ ନାରାଜ। ଯେଉଁ କ୍ୟାନୋପି ହୋଇଛି ତାହା ଖୋଲା ପିଣ୍ଡି ହୋଇଥିବାରୁ ସେଠାରେ ବ୍ୟବସାୟୀ କିଭଳି ଜିନିଷପତ୍ର ରଖିବ? ପାନ ଦୋକାନୀ କିଭଳି ସେଠାରେ ବସି ବେପାର କରିବ?

ବ୍ୟବସାୟୀଙ୍କ ଅଭିଯୋଗ ହେଉଛି, ପିଣ୍ଡିରେ ମାତ୍ର ୩ରୁ ୪ ଫୁଟ୍‌ ଜାଗା ପ୍ରତ୍ୟେକ ବ୍ୟବସାୟୀଙ୍କୁ ଦିଆଯାଇଛି। ଯେଉଁଥିରେ ବସି ବ୍ୟବସାୟ କରିବ‌ା ସମ୍ଭବ ନୁହେଁ। ଖରାବର୍ଷାରେ ବସିବା ସମ୍ଭବ ନୁହେଁ। ପିଣ୍ଡି ପାଇଥିବା ୪୦ଜଣ ଦୋକାନୀଙ୍କ ମଧ୍ୟରୁ ୯୦ପ୍ରତିଶତ ବ୍ୟବସ‌ାୟୀ ଏହି କାରଣ ଯୋଗୁ ଆସୁ ନାହାନ୍ତି। କ୍ୟାନୋପି ପାଇଥିବା ଗୋପାଳ କୃଷ୍ଣ ସାହୁ କହିଛନ୍ତି, ଖଣ୍ଡଗିରି ଛକରେ ଦୋକାନ ଛାଡ଼ି ଘାଟିକିଆ ଯିବାକୁ ଆମେ ରାଜି। ହେଲେ ମୋର ମକା ଓ ଫଳ ବ୍ୟବସ‌ାୟ ହୋଇଥିବାରୁ ୩ ଫୁଟ୍‌ ଜାଗାରେ ବ୍ୟବସାୟ ସମ୍ଭବ ହେବ ନାହିଁ। ନିରଞ୍ଜନ ବାଇଙ୍କ ଅଭିଯୋଗ, ପିଣ୍ଡି ଖୋଲା ଥିବାରୁ ବର୍ଷା, ପବନରେ ବେପାର କରିହେବନି। ଜିନିଷ ରଖିବାକୁ ଜାଗା ନାହିଁ। ସରକାର ଅଧିକ ପଇସା ନିଅନ୍ତୁ କିନ୍ତୁ, ସବୁ ମୌଳିକ ସୁବିଧା ଯୋଗାଇ ଦିଅନ୍ତୁ। ମାନସ ଚନ୍ଦ୍ର ବେହେରାଙ୍କ କହିବା କଥା, ମୋର ଜଳଖିଆ ଦୋକାନ। ଦୋକାନ ସବୁଦିନେ ଖୋଲି ପୁଣି ବନ୍ଦ କରି ଜିନିଷପତ୍ର ଘରକୁ ନେଇ ଆସିବା ସମ୍ଭବ ନୁହେଁ। ତେଣୁ ସେଠାକୁ ଯିବୁ ନାହିଁ। କିଓସ୍କ ପାଇଥିବା ମାନସ ବେହେରାଙ୍କ ଅଭିଯୋଗ, ୬ ମାସ ପାଇଁ ବିଏମ୍‌ସିକୁ ଭଡ଼ା ଅଗ୍ରୀମ ଦେଇ ସାରିଛୁ। ବିଦ୍ୟୁତ୍‌ ସଂଯୋଗ ପାଇଁ ମଧ୍ୟ ଟଙ୍କା ପଇଠ କରିଛୁ। ହେଲେ ଏତେ ବ୍ୟବସାୟୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରାନ୍ସଫର୍ମର ବସାଇବାକୁ ହେବ। ‌ଏଥିପାଇଁ ୨.୫ଲକ୍ଷରୁ ଅଧିକ ଟଙ୍କା ‌ଲାଗିବ। ଏଣୁ ବିଏମ୍‌ସିକୁ ଅବଗତ କରାଇଛୁ। ବିଦ୍ୟୁତ୍‌ ସମସ୍ୟ‌ାର ସମାଧାନ ନହେଲେ ଏଠାରେ ବ୍ୟବସାୟ ଅସମ୍ଭବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button