IBN ଓଡ଼ିଶା ବ୍ୟୁରୋ

ନିଶା ବେପାରୀଙ୍କ ଘର ଭଙ୍ଗା ପ୍ରସଙ୍ଗ: ଉଚ୍ଛେଦ କରିବାକୁ ପୁଲିସର ଚିଠି, ବିଡିଏ-ବିଏମ୍‌ସି ଦୋଷ ଠେଲାଠେଲି

ଭୁବନେଶ୍ବର: ନିଶା ବେପାରୀଙ୍କୁ ଭୁବନେଶ୍ବରରେ ରଖାଇ ଦିଆଯିବନି। ଏଭଳି ଘୋଷଣା କରି କମିସନରେଟ୍‌ ପୁଲିସ ମିସନ ମୋଡ୍‌ରେ ପ୍ରକ୍ରିୟା ଜାରି ରଖିଛି। ଏହି କ୍ରମରେ ଗତ ୮ ତାରିଖ ଦିନ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟା ଅଭିଯୁକ୍ତଙ୍କ ଘର ଭାଙ୍ଗିବା ପାଇଁ ଯୋଜନା କରିଛି। କେବଳ ଯୋଜନା କରି ନାହିଁ ବରଂ ଉଚ୍ଛେଦ କରିବାକୁ ବିଡିଏକୁ ଚିଠି ଲେଖିଛି। ଏଥିରେ ୬ ଜଣଙ୍କ ନାମ ରହିଛି। ସେମାନେ ହେଉଛନ୍ତି ରାମ ନାୟକ, ସୁଶାନ୍ତ ନାୟକ, ରାଜା ନାୟକ, ଲକ୍ଷ୍ମୀଧର ନାୟକ ଓ ପତ୍ନୀ ଲିପିକା ଏବଂ ସୁଲେଇ ନାୟକ। ପୁଲିସ ଚିଠି ଲେଖିବା ପରେ ଏବେ ବିଏମ୍‌ସି-ବିଡିଏ ଦୋଷ ଠେଲାଠେଲି ହୋଇଛନ୍ତି। ବିଏମ୍‌ସି ଏମାନଙ୍କୁ ସରକାରୀ କ୍ବାର୍ଟର୍ସ ଦେଇଛି ଏଣୁ ସେ ଏହାର ଦାୟିତ୍ବ‌ ନେଉ ବା ବିଏମ୍‌ସି ଉଚ୍ଛେଦ ପାଇଁ ଲେଖିକି ଦେଉ ବୋଲି କହି ବିଡିଏ ବିଏମ୍‌ସିକୁ ଚିଠି ଲେଖିଛି। ଏଣେ ବିଏମ୍‌ସି କହିଛି ଏହା ଆମେ ‌ଦେଇଥିବା କ୍ବାର୍ଟର୍ସ ନୁହେଁ, ବରଂ ସରକାରୀ ଜାଗାରେ ଘର ହୋଇଛି। ତାହାକୁ ବିଡିଏ ଉଚ୍ଛେଦ କରୁ। ଏଭଳି ସ୍ଥିତିରେ ନିଶାବେପାରୀ ଲାଭରେ ଅଛନ୍ତି।
ପୁଲିସ ଲେଖିଥିବା ଚିଠି ମୁତାବକ, ସହଦେବ ନାୟକଙ୍କୁ ‌ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି। ନିଶା ବେପାରକୁ ବିରୋଧ କରୁଥିବାରୁ ବେପାରୀମାନେ ତାଙ୍କୁ ଟାର୍ଗେଟ୍‌ କରି ହତ୍ୟା କରିଛନ୍ତି। ନିଶା ବେପାର କରିବା ଓ ହତ୍ୟା କରିବା ଭଳି ଜଘନ୍ୟ କାଣ୍ଡ ପାଇଁ କୌଣସି କ୍ଷମା ନାହିଁ। ଏଥିରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ଆଇନ ତା ବାଟରେ ଯିବ, ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଜନସାଧାରଣ ଭୟଭୀତ ଅଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଅନ୍ୟ ଯେଉଁମାନେ କେଦାରପଲ୍ଲୀ ବସ୍ତିରେ ରହୁଛନ୍ତି ସେମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଣୁ ସେମାନଙ୍କୁ ସମ୍ପୃକ୍ତ ବସ୍ତିରୁ ହଟାଇବା ପାଇଁ ଯୋଜନା ହୋଇଛି। ସେଥିପାଇଁ ସରକାରୀ ଜାଗାରେ ହୋଇଥିବା ଏହି ପରିବାରର ଘରକୁ ତୁରନ୍ତ ହଟାଯାଉ।

ଏଭଳି ଚିଠି ବିଡିଏରେ ପହଞ୍ଚିବା ପରେ ବିବାଦ ଆରମ୍ଭ ହୋଇଛି। ବିଡିଏ ବିଏମ୍‌ସିକୁ ଚିଠି ଫେରାଇ ଦେଇଛି। ଏହାର ଉପଯୁକ୍ତ ତଦନ୍ତ କରି ନିଷ୍ପତ୍ତି ନେବାକୁ କହିଛି। ଏଣେ ବିଏମ୍‌ସିରୁ ମିଳିଥିବା ସୁଚନା ମୁତାବକ, କେଦାରପଲ୍ଲୀରେ ୧୯୮୪-୮୫ ମସିହାରେ ସଫେଇ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ତିଆରି ହୋଇଥିଲା। ପ୍ରାୟ ଶହେ ଜଣ ସଫେଇ କର୍ମଚାରୀଙ୍କୁ ଏହି ଘର ବଣ୍ଟା ଯାଇଥିଲା। ସର୍ତ୍ତ ଥିଲା କି ଘର ଭଡ଼ା ଦେବାକୁ ହେବନି। କେବଳ ଇଲେକ୍ଟ୍ରି ବିଲ୍‌ ଓ ପାଣି ବିଲ୍‌ ଦେବାକୁ ରହିଥିଲା। ସେବେଠାରୁ ଏହି ଘର ସବୁ ନିର୍ଦ୍ଦିଷ୍ଟ ଲୋକଙ୍କ ନାମରେ ରହିଛି। ବିଏମ୍‌ସି ଅନ୍ୟ କାହାକୁ ଆବଣ୍ଟନ କରିନାହିଁ। ସେମାନଙ୍କ ମଧ୍ୟରେ କେତେକ ହିତାଧିକାର ମରିଗଲେଣି। ଆଉ କେତେକରେ ପୁଅ, ଭାଇ ଓ ଭଉଣୀ ରହୁଛନ୍ତି। ଆଉ କେତେକରେ ବନ୍ଧୁବାନ୍ଧବ ରହିଛନ୍ତି। ଏବେ ପ୍ରାୟ ୪୦ ପ୍ରତିଶତ ମୂଳ ହିତାଧିକାରୀ ରହୁଥିବା ବେଳେ ୬୦ ପ୍ରତିଶତରେ ମୂଳ ଆବଣ୍ଟନଗ୍ରାହୀ ନାହାନ୍ତି। ଏତିକିରେ ସରିନାହିଁ। ସରକାର ୧୦୦ ଘର ତିଆରି କରି ଦେଇଥିବା ବେଳେ ଏବେ ସେଠାରେ ଖାଲି ଥିବା ସରକାରୀ ଜାଗାରେ ଶହ ଶହ ଘର ତିଆରି ହୋଇଛି। ତାହା ବି କେଦାରପଲ୍ଲି ବସ୍ତି ଭାବରେ ବିବେଚିତ ହେଉଛି। ଏବେ ଏହି ସବୁ ଅଭିଯୁକ୍ତ କ୍ବାର୍ଟର୍ସରେ ରହୁଛନ୍ତି କି ସରକାରୀ ଜାଗାରେ ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ପୁଲିସ କହିଛି କି ଏମାନେ ସରକାରୀ ଜାଗାରେ ଅଛନ୍ତି। ବିଏମ୍‌ସି ଦେଇଥିବା କ୍ବାର୍ଟର୍ସରେ ଏମାନଙ୍କର ନାଁ ନାହିଁ। ଏପଟେ ବିଏମ୍‌ସି ତାଲିକାରେ ମଧ୍ୟ ଏମାନଙ୍କର ନାଁ ନାହିଁ। ଏଣୁ ସିଧାସଳଖ ଏମାନଙ୍କୁ ଉଚ୍ଛେଦ କରିବା କଥା।
ସେପଟେ ସେଠାକାର ବାସିନ୍ଦା କହିଛନ୍ତି, ଏଭଳି ଜଘନ୍ୟ କାଣ୍ଡ ଭିଆଉଥିବା ଅପରାଧୀଙ୍କ ପାଇଁ ଆମେ ବଦନାମ ହେଉଛୁ। କାଲି ସକାଳେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଗଲେ ଆମେ ବି ତାଙ୍କ ସହ ଉଚ୍ଛେଦର ଶିକାର ହେବୁ। ଏଣୁ ତୁରନ୍ତ ଏହି ଅଭିଯୁକ୍ତଙ୍କ ଘର ଚିହ୍ନଟ କରି ଉଚ୍ଛେଦ କରାଯାଉ ବୋଲି ସେମାନେ କହିଛନ୍ତି। ହେଲେ ବିଏମ୍‌ସି-ବିଡିଏ ଦୋଷ ଠେଲାଠେଲିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button