ରାଜ୍ୟ

୫୦ ଦିନ ପରେ ବି ଘୋଷଣା ହୋଇପାରୁନି ପିସିସି: ଖାଁ ଖାଁ କଂଗ୍ରେସ ଭବନ, ଦିଗହରା ନେତା

ଭୁବନେଶ୍ୱର,୧୦/୦୯: ରାଜ୍ୟ କଂଗ୍ରେସ କମିଟି ଭାଙ୍ଗିବାର ୫୦ ଦିନ ବିତିଲାଣି । ଏତେ ଦିନ ପରେ ବି ଗଢ଼ା ହୋଇପାରୁନି ପ୍ରଦେଶ କଂଗ୍ରେସ କମିଟି(ପିସିସି) । ଦଳର ମୁଖିଆ ନ ଥିବାରୁ ରାଜ୍ୟ କଂଗ୍ରେସ ଦିଗହରା ହୋଇପଡ଼ିଛି । ନେତାମାନେ ଯିଏ ଯାହା ଇଚ୍ଛା କରୁଛି କହୁଛି, ରୋକିବାକୁ କେହି ନାହାନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଛି ।

ପୂର୍ବରୁ ଦଳର ଏମିତି ଅବସ୍ଥା କେବେ ଦେଖିବାକୁ ମିଳିନଥିଲା । ରାଜ୍ୟରେ ଦଳ କ୍ଷମତାରେ ନଥିଲେ ବି କଂଗ୍ରେସ ଭବନରେ ଗହଳି ଲାଗି ରହୁଥିଲା । ମାତ୍ର ଏବେ ଦଳର ସ୍ଥିତି ବିଗିଡିବାରେ ଲାଗିଛି ।

ଏଆଇସିସିର ୨ ପର୍ଯ୍ୟବେକ୍ଷକଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଥିଲେ ବି ସେମାନେ ଆସିବାର ନାଁ ନେଉନାହାନ୍ତି । ସେଥି ମଧ୍ୟରୁ ଅଜୟ ମାକେନ ପୂର୍ବରୁ ଓଡ଼ିଶା କଂଗ୍ରେସର ପ୍ରଭାରୀ ଥିଲେ । ପୂର୍ବତନ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଭାପତି ତାରିକ୍ ଅନୱାରଙ୍କୁ ମଧ୍ୟ ଓଡ଼ିଶା କଂଗ୍ରେସର ପର୍ଯ୍ୟବେକ୍ଷକର ଗୁରୁଦାୟିତ୍ୱ ଦିଆଯାଇଛି । ସେମାନେ ଆସି ନେତାଙ୍କୁ ଜଣ ଜଣ କରି ଭେଟିବେ ବୋଲି ଓଡ଼ିଶା ନେତା କହୁଥିଲେ ମଧ୍ୟ କେବେ ଆସିବେ ତାହା ଠିକ୍ ହୋଇପାରୁନି । ତେବେ ପର୍ଯ୍ୟବେକ୍ଷକ ଆସିଲେ କାହାକୁ ପିସିସି ସଭାପତି କଲେ ଗ୍ରହଣୀୟ ହୋଇପାରିବ ବୋଲି ପଚାରି ବୁଝିବେ । ପରେ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରି ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ । ସେମାନଙ୍କ ରିପୋର୍ଟ ଓ ପୂର୍ବରୁ ବିଧାୟକମାନଙ୍କ ନିକଟରୁ ନିଆଯାଇଥିବା ମତାମତକୁ ତର୍ଜମା କରି ଏଆଇସିସି ନିଷ୍ପତ୍ତି ନେବ ବୋଲି କଂଗ୍ରେସ ନେତା ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button