ରାଜ୍ୟ

ପୂଜା ମଣ୍ଡପରେ ଖଣ୍ଡା ବୁଲାଇ ବନ୍ଧାହେଲେ ୩ ଲୋକାଲ ଦାଦା, ଖଣ୍ଡା ଜବତ

ଭୁବନେଶ୍ୱର,୧୦/୦୯: ପୂଜା ମଣ୍ଡପରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ଅଭିଯୋଗରେ ୩ ଲୋକାଲ ଦାଦାଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ସେମାନେ ହେଲେ ଚକେଇସିଆଣି ମା’ ଭଗବତୀ ବସ୍ତିରେ ରହୁଥିବା କଟକ ବାଙ୍କୀର ଶତ୍ରୁଘ୍ନ ବେହେରା(୧୯), ସେହି ବସ୍ତିରେ ରହୁଥିବା କଟକ ବାଙ୍କୀର ବବୁଲ ବେହେରା(୧୯) ଓ ପୁରୀ ଡେଲାଙ୍ଗର ଚନ୍ଦନ ବେହେରା(୨୩) ।

ପୁଲିସ ସେମାନଙ୍କ ଠାରୁ ଏକ ଖଣ୍ଡା ଜବତ କରିଛି ।

ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ଚକେଇସିଆଣି ଗଣେଶ ପୂଜା ମଣ୍ଡପରେ ମେଲୋଡ଼ି କାର୍ଯ୍ୟକ୍ରମ ଚାଲିଥିଲା । ରାତି ୧୦ଟାରେ ଶତ୍ରୁଘ୍ନ ଓ ଚନ୍ଦନ ସେଠାରେ ସର୍ବସାଧାରଣ ରାସ୍ତା ଉପରେ ବାଇକ୍ ରଖି ଲୋକମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ସମେଇଗଡ଼ିଆର ମଳୟ କୁମାର ପତି ଓ କିଛି ପୂଜା କମିଟି ସଦସ୍ୟ ସେମାନଙ୍କୁ ଏପରି କରିବାକୁ ବାରଣ କରିଥିଲେ । ଏଥିରେ ଉତ୍କ୍ଷୀପ୍ତ ହୋଇ ଦୁଇଜଣ ସେମାନଙ୍କୁ ଧମକଚମକ ଦେଇ ସେଠାରୁ ପଳାଇଥିଲେ । ପରେ ସେମାନେ ୫/୬ ଜଣ ସହଯୋଗୀଙ୍କୁ ଧରି ଖଣ୍ଡା ଓ ଭୁଜାଲି ଧରି ପୂଜା ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଥିଲେ । ପୂଜା କମିଟିର ସମସ୍ତ ସଦସ୍ୟ ଏକାଠି ହୋଇ ଘେରି ଯିବାରୁ ସେମାନେ ଖଣ୍ଡା ବୁଲାଇ ସେଠାରୁ ପଳାଇଥିଲେ ।

ରାତିରେ ଏନେଇ ମଳୟ କୁମାର ପତି ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଆଜି ସକାଳେ ଶତ୍ରୁଘ୍ନ, ବବୁଲ ଓ ଚନ୍ଦନଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଏକ ଖଣ୍ଡା ଜବତ କରିଥିଲା । ଅପରାହ୍ଣରେ ୩ ଜଣଙ୍କୁ କୋର୍ଟ ଚାଲାଣ କରା ଯାଇଛି । ଏହି ମାମଲାରେ ସଂପୃକ୍ତ ଅନ୍ୟମାନେ ଫେରାର୍ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button