କେନ୍ଦ୍ରାପଡ଼ା ବାର୍ଡ ଫ୍ଲୁ ଆତଙ୍କ: ୫ ଫାର୍ମ ମାଲିକଙ୍କ ରକ୍ତ ନମୁନା ପଠାଗଲା
କେନ୍ଦ୍ରାପଡ଼ା/ଡେରାବିଶ,୧୦/୦୯: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକ୍ ଅଞ୍ଚଳରେ ବାର୍ଡ ଫ୍ଲୁ ରୋକିବାକୁ ପ୍ରଶାସନ ସତର୍କତାମୂଳକ ପଦକ୍ଷେପକୁ ଜୋର୍ଦାର୍ କରିଛି । କୁକୁଡ଼ାମରା ଅଭିଯାନ ଜାରି ରହିବା ସହ ଫାର୍ମ ମାଲିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ କୁକୁଡ଼ା ଫାର୍ମ ମାଲିକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍)କୁ ପଠାଯାଇଛି ।
ଯେଉଁମାନଙ୍କଠାରେ ବାର୍ଡ ଫ୍ଲୁର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଛି, ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପଠାଯାଇଛି । ରିପୋର୍ଟ ମିଳିବା ପରେ ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଏଡିଏମ୍ଓ ଡା. ସଚ୍ଚିଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି । ଅପରପକ୍ଷରେ ସୋମବାର ବ୍ଲକ୍ର ରଘୁଦେଇପୁର ଓ ନୋଳସାହିକୁ କୁକୁଡ଼ା ମଡ଼କ ଡେଇଁଥିବା ସୂଚନା ମିଳିଛି । ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ଡେରାବିଶ ବ୍ଲକ୍ ଅଧୀନ ବାଲିଆ, ଏଣ୍ଡର ଓ ଗୋଲରାହାଟ ପଞ୍ଚାୟତରେ ଥିବା ବିଭିନ୍ନ କୁକୁଡ଼ା ଫାର୍ମଗୁଡ଼ିକରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି । ସୋମବାର ସନ୍ଧ୍ୟା ସୁଦ୍ଧା ଅଞ୍ଚଳର ବିଭିନ୍ନ ଫାର୍ମରୁ ୯ ହଜାରରୁ ଅଧିକ କୁକୁଡ଼ା ମରାଯାଇ ପୋତି ଦିଆଯାଇଛି । ଏହି କାର୍ଯ୍ୟରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ୧୨ଟି ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୨ଟି ଟିମ୍ ନିୟୋଜିତ ଅଛନ୍ତି । ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ତଥା ନୋଡାଲ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଏକ ୭ଜଣିଆ କେନ୍ଦ୍ରୀୟ ଟିମ୍ ସୋମବାର ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ସ୍ଥିତି ନିରୀକ୍ଷଣ କରିଥିଲା । ବାର୍ଡ ଫ୍ଲୁ ସଂକ୍ରମଣର ଲକ୍ଷଣ ଓ ଏଥିରୁ ରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଗାଇଡ୍ଲାଇନ୍ ବାବଦରେ କେନ୍ଦ୍ରୀୟ ଟିମ୍ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେବା ସହ ସଚେତନ କରିଥିଲେ ।
ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଚିକେନ ଓ ଅଣ୍ଡା ନଖାଇବା ପାଇଁ ମାଇକ୍ ଯୋଗେ ସାଧାରଣ ଲୋକଙ୍କୁ ସଚେତନ କରାଯିବା ସହ ଚିକେନ୍ ଓ ଅଣ୍ଡା ବିକ୍ରିରେ କଟକଣା ଜାରି କରାଯାଇଛି ।