IBN ଓଡ଼ିଶା ବ୍ୟୁରୋ

daସୁନାମୁଣ୍ଡା ସୃଷ୍ଟିରେ ଭୂମିକମ୍ପର ଭୂମିକା

ସୁଦୃଶ୍ୟ ତଥା ଦୀର୍ଘସ୍ଥାୟୀ ଅଳଙ୍କାର ଗଢ଼ଣରେ ସୁନା ଧାତୁର ଭୂମିକା ବାବଦରେ ସମସ୍ତେ ଅବଗତ। ବିଭିନ୍ନ ରାସାୟନିକ ପ୍ରତିକ୍ରିୟାରେ ସୁନା ଏକ ଉତ୍ତମ ଉତ୍ପ୍ରେରକର କାର୍ଯ୍ୟ କରିଥାଏ। ଏହା ଏକ ଉନ୍ନତ ବିଦ୍ୟୁତ୍ ସୁପରିବାହୀ ମଧ୍ୟ। ଏହା ପ୍ରାକୃତିକ ଭାବେ ଉପଲବ୍ଧ ସୁନା ମୁଣ୍ଡା ବା ସୁନା ପଥରରୁ ନିଷ୍କାସନ ପ୍ରକ୍ରିୟାରେ ବାହାରିଥାଏ।

ଏହି ମୁଣ୍ଡା ସୁନା ବା ‘ଗୋଲ୍ଡ ନଗେଟ୍’ ସାଧାରଣତଃ ଭୂଗର୍ଭରେ ପଥର ଫାଟରେ ମିଳୁଥିବା ‘କ୍ବାର୍ଜ’ ବା ସିଲିକନ୍ ଡାଇଅକ୍ସାଇଡ୍ ପରି ସ୍ଫଟିକ ଭିତରେ ରହିଥାଏ। ତେବେ ସ୍ଫଟିକରେ ଥିବା ସୁନାମୁଣ୍ଡାର ଉତ୍ପତ୍ତି କିପରି ହେଲା ତାହା ଗବେଷକମାନଙ୍କୁ ଦ୍ବନ୍ଦ୍ବରେ ପକାଇ ଆସିଛି। ଏକ ସଦ୍ୟ ଗବେଷଣା ଅନୁଯାୟୀ, ଭୂମିକମ୍ପ ବେଳେ ପିଜୋ-ବିଦ୍ୟୁତ୍ ପ୍ରକ୍ରିୟା ଦ୍ବାରା ସ୍ପଟିକ ଭିତରେ ‘ଗୋଲ୍ଡ ନଗେଟ୍’ ସୃଷ୍ଟି ହୁଏ ବୋଲି ଅନୁମାନ କରାଯାଉଛି।

ପୂର୍ବରୁ ବିଶ୍ବାସ କରାଯାଉଥିଲା ଯେ ପୃଥିବୀ ଅଭ୍ୟନ୍ତରରେ ଥିବା ଶିଳାସ୍ତର ଫାଟ ଦେଇ ଜଳବହୁଳ ଉତ୍ତପ୍ତ ତରଳ ପଦାର୍ଥ ପ୍ରବାହିତ ହେଲାବେଳେ ସୁନା କଣିକା ଘନୀଭୂତ ହୋଇ ପ୍ରସ୍ତର ଫାଟରେ କଠିନ ଅବସ୍ଥାରେ ରହିଯାଇଥାଏ। ତେବେ ଭୂଗର୍ଭସ୍ଥ ଉତ୍ତପ୍ତ ତରଳ ପଦାର୍ଥରେ ସୁନାର ଭାଗ ଖୁବ୍ କମ୍ ହୋଇଥିବାରୁ ସେହି ପ୍ରକ୍ରିୟାରେ ବଡ଼ ବଡ଼ ସୁନାମୁଣ୍ଡା ସୃଷ୍ଟି ହେବା ସମ୍ଭବ ନୁହେଁ। ସୁତରାଂ ଭୂମିକମ୍ପ ସମୟରେ ପିଜୋ-ବିଦ୍ୟୁତ୍ ପ୍ରକ୍ରିୟା ଯୋଗୁଁ ତାହା ସୃଷ୍ଟି ହୁଏ ବୋଲି ଗବେଷକଙ୍କ ମତ। କ୍ବାର୍ଜ ବିଦ୍ୟୁତ୍ କୁପରିବାହୀ, ସୁନା ସୁପରିବାହୀ ହୋଇଥିବାରୁ ଭୂମିକମ୍ପ ଜନିତ ପିଜୋ-ବିଦ୍ୟୁତ୍ ପ୍ରକ୍ରିୟା ଦ୍ବାରା ସ୍ପଟିକ ଭିତରେ ଏଭଳି ସ୍ବର୍ଣ୍ଣକଣିକାଗୁଡ଼ିକ ଠୁଳ ହୋଇ ବଡ଼ ରୂପ ଧାରଣ କରନ୍ତି ବୋଲି ଅନୁମାନ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button