ଆକର୍ଷଣୀୟ ହେଉନି ଯାନ ସ୍କ୍ରାପିଂ ନୀତି, ନୂଆ ଦିଗ ଉପରେ ତର୍ଜମା କରିବ କେନ୍ଦ୍ର
ନୂଆଦିଲ୍ଲୀ, ୧୧/୦୯ : ନୂଆ ଯାନ ସ୍କ୍ରାପିଂ ନୀତି ଲୋକଙ୍କ ଦ୍ୱାରା ଏତେଟା ଗ୍ରହଣୀୟ ହେଉନି । ଏହି ନୀତିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଏହି ନୀତିକୁ ଦୃଢ଼ କରିବା ଦିଗରେ ଏବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ବିଭିନ୍ନ ଦିଗ ଉପରେ ବିଚାର କରୁଛି । ଯାନଟି କେତେ ବର୍ଷ ଚାଲିଛି ତାହା ପରିବର୍ତ୍ତେ ଏହାର ପ୍ରଦୂଷଣ ସ୍ତରକୁ ନେଇ ଯାନର ସ୍କ୍ରାପିଂକୁ ବିଚାର କରାଯିବ ବୋଲି ସଡ଼କ ପରିବହନ ଏବଂ ରାଜପଥ ସଚିବ ଅନୁରାଜ ଜୈନ କହିଛନ୍ତି ।
ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍ଚର୍ସ (ସିଆମ)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁରାଜ ଜୈନ କହିଛନ୍ତି, ଲୋକେ କହୁଛନ୍ତି ଯଦି ଯାନକୁ ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଇଛି କାହିଁକି ଏହାକୁ ସ୍କ୍ରାପ କରାଯିବ । ୧୫ ବର୍ଷ ପରିବର୍ତ୍ତେ ଯାନଗୁଡିକର ପ୍ରଦୂଷଣ ସ୍ତରକୁ ବିଚାର କରାଯାଉ । ଉଦାହରଣ ଭାବେ ଦେଖିଲେ ବିଏସ୍-୧, ବିଏସ୍-୨ ପୂର୍ବ ଯାନଗୁଡିକ ଅଧିକ ପ୍ରଦୂଷଣ କରିଥାନ୍ତି । ତେବେ ପ୍ରଦୂଷଣ ପ୍ରମାଣପତ୍ର ଜାରି କରୁଥିବା ଏଜେନ୍ସିଗୁଡିକ ଠିକ୍ ପ୍ରମାଣପତ୍ର ଦେବା ଜରୁରୀ । ସ୍କ୍ରାପିଂକୁ କିଭଳି ଆକର୍ଷଣୀୟ କରାଯିବ, ସେ ନେଇ ଶିଳ୍ପ ସହ ଆଲୋଚନା କରିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବେ ସରକାର । ଏବେ ସ୍କ୍ରାପିଂ ନୀତିରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ଯାନଗୁଡିକର ସ୍କ୍ରାପିଂ କରାଇବା ନିୟମ ରହିଛି । ଭାରୀ ବାଣିଜ୍ୟିକ ଯାନଗୁଡିକୁ ଫିଟ୍ନେସ ଟେଷ୍ଟ କରାଇବାକୁ ପଡୁଛି । ତେବେ ବିଭିନ୍ନ ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଏତେଟା ଆଦୃତି ମିଳିପାରିନାହିଁ ।
ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନୀତିନ ଗଡକରି କହିଥିଲେ, ଶିଳ୍ପ ସଂସ୍ଥା ଗୁଡିକ ଯାନ ସ୍କ୍ରାପିଂକୁ ଗ୍ରହଣ କରି ନୂଆ ଯାନ କିଣିବାକୁ ଉତ୍ସାହିତ କରିବା ଲାଗି ଆକର୍ଷଣୀୟ ରିହାତି ଦେବା ଆବଶ୍ୟକ । ଏହା ଦ୍ୱାରା ପ୍ରଦୂଷଣ କମିବା ସହ ଷ୍ଟିଲ ଲାଗି ବିଦେଶ ଉପରେ ନିର୍ଭର କରିବାକୁ ପଡିବନି । ଉଭୟ ଗଡକରି ଏବଂ ଜୈନଙ୍କ ମୁତାବକ, ଭାରତ ନ୍ୟୁ କାର ଆସେସମେଣ୍ଟ କାର୍ଯ୍ୟକ୍ରମ (ବିଏନ୍କ୍ୟାପ) ଏବଂ ଅନ୍ୟ ପଦକ୍ଷେପ ଆସିବା ପରେ ମଧ୍ୟ ଦୁର୍ଘଟଣା କମୁନି । ପ୍ରତିବର୍ଷ ୫ ଲକ୍ଷରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟୁଛି । ୨୦୨୨ରେ ଦୁର୍ଘଟଣାରେ ୧.୬୮ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏବେ ଅଧିକାଂଶ ଦୁର୍ଘଟଣା ୨ ଚକିଆ ଯାନ ଯୋଗୁ ହେଉଛି । ଏହି ବର୍ଗର ଯାନଗୁଡିକୁ କିଭଳି ସୁରକ୍ଷିତ କରାଯାଇପାରିବ ସେ ନେଇ ଶିଳ୍ପକୁ ନିବେଦନ କରିଛନ୍ତି ଅନୁରାଜ ଜୈନ । ସେ ପୁଣି କହିଛନ୍ତି, କେନ୍ଦ୍ର ସରକାର ଏବେ ବିଏସ୍-୭ ଉପରେ ପରାମର୍ଶ ଗ୍ରହଣ କରୁଛନ୍ତି । ଦେଶର ଅର୍ଥନୀତିରେ ଅଟୋମୋବାଇଲ ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ୨୦୪୭କୁ ନଜରରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହି କ୍ଷେତ୍ର ୩୫ ନିୟୁତ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଏ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ବେଳେ ସରକାର ବିଭିନ୍ନ ଦିଗକୁ ବିଚାର କରୁଛନ୍ତି । ଏହା ଶିଳ୍ପ ଅଂଶୀଦାରଙ୍କ ଲାଗି ଯେଭଳି କୌଣସି ସମସ୍ୟା ନ ଆଣେ, ତାକୁ ଧ୍ୟାନରେ ରଖି ପରାମର୍ଶ କାର୍ଯ୍ୟକ୍ରମ ଗ୍ରହଣ