ରାଜ୍ୟରେ ନାହିଁ ପାଠାଗାର ପରିଷଦ, ଇ-ଲାଇବ୍ରେରୀ ଅପେକ୍ଷାରେ ୩୧ ଗ୍ରନ୍ଥାଗାର

ଭୁବନେଶ୍ୱର, ୧୧/୦୯ : ବର୍ଷେ ହେଲା ରାଜ୍ୟରେ ନାହିଁ ପାଠାଗାର ପରିଷଦ । ବୋର୍ଡ ଭାଙ୍ଗିଲା ପରେ ଆଉ ଗଠନ ହୋଇନି । ‘ଓଡ଼ିଶା ସାର୍ବଜନୀନ ପାଠାଗାର ଅଧିନିୟମ-୨୦୦୧’ ଏବଂ ‘ଓଡ଼ିଶା ସାର୍ବଜନୀନ ପାଠାଗାର ନିୟମ୨୦୧୬’ ଅନୁସାରେ ୨୦୨୦ ଜାନୁଆରୀ ୧୪ରେ ଓଡ଼ିଶା ସାର୍ବଜନୀନ ପାଠାଗାର ପରିଷଦ ଗଠିତ ହୋଇଥିଲା । ୩ ବର୍ଷ ପରେ ଏହାର କାର୍ଯ୍ୟକାଳ ଶେଷ ହେବା ପରେ ଏହାର ପୁନର୍ଗଠନ ନିମନ୍ତେ କୁଆଡ଼େ ପଦକ୍ଷେପ ନିଆଯାଉଛି ।
ଏଥିପାଇଁ ବେସରକାରୀ ସଦସ୍ୟଙ୍କ ମନୋନୟନ ଲାଗି ବିଭିନ୍ନ ଅନୁଷ୍ଠାନ, କାର୍ଯ୍ୟାଳୟ ଓ ସଂଗଠନକୁ ସଦସ୍ୟଙ୍କ ନାମ ସୁପାରିସ ପାଇଁ ଅନୁରୋଧ କରାଯାଇଛି । ସେହିପରି ପାଠାଗାର ଅଧିନିୟମ ଏବଂ ନିୟମ ଅନୁସାରେ ପ୍ରତି ଜିଲ୍ଲାରେ ‘ଜିଲ୍ଲା ପାଠାଗାର କମିଟି’ ଗଠନ ନିମନ୍ତେ ପଦକ୍ଷେପ ବି ନିଆଯାଉଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
ଏନେଇ ଗତ ୬ ତାରିଖରେ ବିଧାନସଭାରେ ବିଧାୟିକ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ବିସ୍ତୃତ ଉତ୍ତର ରଖିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବର୍ତ୍ତମାନ ରାଜ୍ୟରେ ସଂସ୍କୃତି ବିଭାଗ ଅଧୀନରେ ଭୁବନେଶ୍ୱରରେ ଡ. ହରେକୃଷ୍ଣ ମହାତାବ ରାଜ୍ୟ ପାଠାଗାର, ୧୯ଟି ଜିଲ୍ଲା ପାଠାଗାର, ମୟୂରଭଞ୍ଜ ରାଇରଙ୍ଗପୁରରେ ଗୋଟିଏ ଉପଖଣ୍ଡ ପାଠାଗାର, ଭୁବନେଶ୍ୱରରେ ୨ଟି ନଗର (ଭୁବନେଶ୍ୱର ସାର୍ବଜନୀନ ଏବଂ ସନ୍ଥକବି ଭୀମଭୋଇ) ପାଠାଗାର, ଗଞ୍ଜାମ ଜିଲ୍ଲାରେ ୬ଟି ସମନ୍ୱିତ ପାଠାଗାର, ୨ଟି ସ୍ମାରକୀ ପାଠାଗାରରୁ ଗୋଟିଏ ପୁରୀ ସାକ୍ଷୀଗୋପାଳରେ ପଞ୍ଚସଖା ଏବଂ ବରଗଡ଼ ବରପାଲିରେ ଗଙ୍ଗାଧର ମେହେର ପାଠାଗାର ରହିଛି । ବାକି କୌଣସି ବ୍ଲକ୍ରେ ପାଠାଗାର ନାହିଁ । ଏହିପରି ମୋଟ ୩୧ଟି ପାଠାଗାର ରହିଛି । ଯାହାକୁ ଇ-ଲାଇବ୍ରେରୀରେ ପରିଣତ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ଉପଖଣ୍ଡ, ବ୍ଲକ୍ ଓ ପଞ୍ଚାୟତସ୍ତରରେ ପାଠାଗାର ଭିତ୍ତିଭୂମି ପାଇଁ ପଦକ୍ଷେପ ନିଆଯିବ । ଏହାଛଡ଼ା ଗତବର୍ଷ ଅକ୍ଟୋବରରେ ସ୍ଥାପିତ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ କ୍ୟାଡର ରୁଲ୍ ପ୍ରଚଳନ ପାଇଁ ବର୍ତ୍ତମାନ ସରକାର ପଦକ୍ଷେପ ନେଉଛନ୍ତି । ଏହା ପ୍ରଚଳନ ପରେ ଖାଲି ଗ୍ରନ୍ଥାଗାରିକ ପଦବି ପୂରଣ ପାଇଁ ପଦକ୍ଷେପ ନିଆଯିବ ।
ଏତଦ୍ ବ୍ୟତୀତ ରାଜ୍ୟରେ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୩୧୪ଟି ବ୍ଲକ୍ରେ ଗ୍ରନ୍ଥାଗାରିକ ନିଯୁକ୍ତି ପାଇଁ ନିଷ୍ପତ୍ତି ହୋଇନି । କେବଳ ଭୁବନେଶ୍ୱର ଅନ୍ଧାରୁଆରେ ଥିବା ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜଣେ ଗ୍ରନ୍ଥାଗାରିକଙ୍କୁ ନିୟୋଜିତ କରାଯାଇଛି । ବାକି ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଖାଲିଥିବା ୪୮୮ ବର୍ଗ ଗ୍ରନ୍ଥାଗାରିକ ପଦବି ପୂରଣ ପାଇଁ ବି ନିଷ୍ପତ୍ତି ହୋଇନି । ଏଥିପାଇଁ ନିୟମାବଳୀ ହେଲା ପରେ ଚିନ୍ତା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି । ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗର ଜିଲ୍ଲା, ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ ଏବଂ ପାଠାଗାରଗୁଡ଼ିକରେ ଖାଲିଥିବା ସହକାରୀ, ଗ୍ରନ୍ଥାଗାରିକ, ଅପରେଟର୍ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବି ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ପାଖାପାଖି ୨୪୮ଟି ପଦବି ଖାଲି ପଡ଼ିଛି ବୋଲି ଗତ ୫ ତାରିଖରେ ବିଧାୟକ ଗୌତମବୁଦ୍ଧ ଦାସଙ୍କ ଅନ୍ୟ ଏକ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।
କେନ୍ଦ୍ର ସରକାରଙ୍କ ରାଜା ରାମମୋହନ ରାୟ ପାଠାଗାର ସଂସ୍ଥାର ବିଭନ୍ନ ଯୋଜନାରେ ରାଜ୍ୟର ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ୬୦୦ ସାର୍ବଜନୀନ ପାଠାଗାରକୁ ପୁସ୍ତକ ସହାୟତା ସହିତ ସର୍ବାଙ୍ଗୀନ ଉନ୍ନତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଏଥିସହ ବ୍ୟବସ୍ଥାକୁ ନବୀକରଣ ଏବଂ ଡିଜିଟାଲ୍ ସହ ଯୋଡ଼ିବାକୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ପୁସ୍ତକାଳୟ ମିଶନ (ଏନ୍ଏମ୍ଏଲ୍) ଯୋଜନାରେ ମଡେଲ୍ ପାଠାଗାର ସ୍ଥାପନକୁ ଗରୁତ୍ୱ ଦିଆଯାଇଛି । ଏହି ଯୋଜନାରେ ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ମିଳିଥିବା ସହାୟତା ଟଙ୍କାରେ ଇଡ୍କୋ ଏବଂ ଏନ୍ଆଇସିଏସ୍ଆଇ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଭିତ୍ତିଭୂମିର ବିକାଶ ଲାଗି ୧ କୋଟି, ପ୍ରଯୁକ୍ତି ବିଦ୍ୟାର ନବୀକରଣ ଓ ଆଧୁନିକୀକରଣ ପାଇଁ ୩୧,୪୨,୧୬୭ ଟଙ୍କା ଖର୍ଚ୍ଚ ହୋଇଛି । ଇଡ୍କୋ ସପକ୍ଷରେ କୋଟିଏ ରିଲିଜ୍ ହୋଇଥିଲାବେଳେ ୧ କୋଟିରୁ ୩୩ ଲକ୍ଷ ଟଙ୍କା ଏନ୍ଆଇସିଏସ୍ଆଇ ସପକ୍ଷରେ ଦିଆଯାଇଛି । ସ୍ୱତନ୍ତ୍ର ଦକ୍ଷ ଗୋଷ୍ଠୀ ପାଇଁ ସୁଯୋଗ ସୃଷ୍ଟି ଲାଗି ୨୦ ଲକ୍ଷ ଏବଂ ଆଡ୍ଭୋକେସୀ ଓ ଆଉଟ୍ରିଚ୍ ପ୍ରୋଗ୍ରମରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳି