ରାଜ୍ୟ

ଘରୋଇ କମ୍ପାନୀ ହାତକୁ ଯିବ ବରତାପ କୋଇଲା ବ୍ଲକ, ନଭେମ୍ବରରେ ଦଶମ ରାଉଣ୍ଡ କୋଇଲା ବ୍ଲକ ନିଲାମୀ

ଝାରସୁଗୁଡ଼ା, ୧୧/୦୯ : ଇବ୍ଭେଲି କୋଲଫିଲ୍ଡ ଅଞ୍ଚଳରେ ଆଉ ଏକ କୋଇଲା ବ୍ଲକ ନିଲାମ ହେବାକୁ ଯାଉଛି । ଲଖନପୁର ତହସିଲ ଅନ୍ତର୍ଗତ ବରତାପ ଅଞ୍ଚଳରେ ଘରୋଇ ସଂସ୍ଥାକୁ ଏହି ନୂତନ କୋଲ ବ୍ଲକ ପ୍ରଦାନ କରିବାକୁ କୋଇଲା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଦଶମ ରାଉଣ୍ଡରେ ଆସନ୍ତା ନଭେମ୍ବରରେ ପ୍ରସ୍ତାବିତ କୋଇଲା ବ୍ଲକର ନିଲାମ କରାଯିବ ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍ସିଏଲ୍ର ବହୁ କୋଇଲାଖଣି ଏବେ ଉତ୍ପାଦନକ୍ଷମ ରହିଥିବା ବେଳେ ଅନେକ କୋଇଲା ବ୍ଲକରୁ ବ୍ୟବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ଲାଗି ବିଭିନ୍ନ ଘରୋଇ କମ୍ପାନିମାନଙ୍କୁ ପ୍ରଦାନ କରାଯାଇଛି। ଝାରସୁଗୁଡ଼ା-ସୁନ୍ଦରଗଡ଼ ଜିଲ୍ଲା ସୀମାରେ ଅବସ୍ଥିତ ସବୁଜିମା ଭରା ଏହି ଅଞ୍ଚଳରେ ଘରୋଇ କମ୍ପାନି ମାଧ୍ୟମରେ କୋଇଲା ଉତ୍ତୋଳନ ଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

ବରତାପ କୋଇଲା ବ୍ଲକ ବେଲପାହାଡ଼ ଏବଂ ବଞ୍ଜାରୀ ଅଞ୍ଚଳକୁ ଲାଗି ରହିଛି। ପୂର୍ବରୁ ଏହି ଅଞ୍ଚଳରେ ବେଦାନ୍ତକୁ ଏକ କୋଇଲା ବ୍ଲକ କୁଡ଼ାଲୋଇ ନର୍ଥ ଏ’ ବ୍ଲକକୁ ଦିଆଯାଇ ସାରିଛି । ଏହା ଉତ୍ପାଦନକ୍ଷମ ହେବା ପୂର୍ବରୁ ଆଉ ଏକ ବ୍ଳକକୁ ନିଲାମ କରିବାର ଯୋଜନା କରାଗଲାଣି । ବରତାପ କୋଇଲା ବ୍ଲକ ଚାଉଁରିମହୁଲ ଏବଂ କଟୁଜୋର୍ ପୁନର୍ବାସ ଓ ଥଇଥାନ କେନ୍ଦ୍ରକୁ ଛାଡ଼ି ଅନ୍ୟ ପାଶ୍ୱର୍ରେ ଖନନ ଲାଗି ଯୋଜନା ରହିଛି। ବରତାପ କୋଇଲା (ଏମ୍ଏମ୍ଡିଆର୍) ବ୍ଲକର ନିଲାମୀ ଆସନ୍ତା ନଭେମ୍ବର ମାସରେ ହେବାର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ଅନ୍ୟ କେତେକ କୋଇଲା ବ୍ଲକର ନିଲାମୀ ଲାଗି ମଧ୍ୟ ପ୍ରକ୍ରିୟା ତଥା ଯୋଜନା ହେଲାଣି। ଯେଉଁଥିରେ ବେଲପାହାଡ଼, ବେଲପାହାଡ଼ (ଡିପ୍ସାଇଡ୍), ବେଲପାହାଡ଼ ୧, ୨ ଏବଂ ୩ କମ୍ବାଇଣ୍ଡ, ଡିପ୍ ଏକ୍ସଟେନ୍ସନ ଅଫ ବେଲପାହାଡ଼, ମଧୁପୁର, ଓରିଏଣ୍ଟ ୱେଷ୍ଟ (ଗୌତମଧାରା), ଓରିଏଣ୍ଟ- ଲଜକୁରା-ବ୍ଲକ ୪ ଏବଂ ଡିପସାଇଡ୍, ସମଲେଶ୍ୱରୀକୁଦୋପାଲି କମ୍ବାଇଣ୍ଡ ଆଣ୍ଡ ଡିପ ଏକ୍ସଟେନ୍ସନ ଆଦି ଖଣି ରହିଛି। ଏଥିରୁ କେତେକ ଖଣିକୁ କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଲ୍)କୁ ପ୍ରଦାନ କରାଯାଇଥିବା ବେଳେ ଆଉ କେତେକକୁ ଘରୋଇ ସଂସ୍ଥାକୁ ନିଲାମୀ ମାଧ୍ୟମରେ ପ୍ରଦାନ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି ।

ଇବ୍ ଭେଲି କୋଲ୍ଫିଲ୍ଡର ପ୍ରସ୍ତାବିତ ବରତାପ କୋଇଲା ବ୍ଲକ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲ ଅଧୀନରେ ରହିଛି । ଏହି କୋଇଲା ବ୍ଲକର ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଭୂ ତାତ୍ତ୍ୱିକ କ୍ଷେତ୍ରଫଳ ୧୩.୬ ବର୍ଗ କିଲୋମିଟର ରହିଛି । ଯେଉଁଥିରୁ ପ୍ରାୟ ୮.୯ ବର୍ଗ କିଲୋମିଟର କ୍ଷେତ୍ରରେ ଏହି କୋଇଲା ବ୍ଲକ ପରିବ୍ୟାପ୍ତ ହେବ । ପ୍ରାୟ ୩୯ ପ୍ରତିଶତ ଜଙ୍ଗଲ ଆଚ୍ଛାଦିତ ଇଲାକା ଅନ୍ତର୍ଭୁକ୍ତ । କୌଣସି ଚିରାସ୍ରୋତା ନଦୀ ନାଳ ନ ଥିଲେ ହେଁ ଲିଲାରୀ ନାଳାର ଶାଖା ନାଳା ହିଞ୍ଜନଖାଡ଼ୁ ନାଳା ଏହି ଅଞ୍ଚଳ ଦେଇ ପ୍ରବାହିତ । ପ୍ରସ୍ତାବିତ ଏହି କୋଇଲା ବ୍ଲକ୍ର ଭୂ ତାତ୍ତ୍ୱିକ ସମ୍ବଳ ଅର୍ଥାତ କୋଇଲା ୧୬୦୦ ନିୟୁତ ଟନ ଗଚ୍ଛିତ ରହିଥିବା ସର୍ବେକ୍ଷଣ ପରେ ଆକଳନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ପ୍ରକାଶଯୋଗ୍ୟ କୋଇଲା ମନ୍ତ୍ରଣାଳୟ ଗତ ଜୁନ ମାସରେ କରିଥିବା ଘୋଷଣା ଅନୁଯାୟୀ ଦେଶର ୬୭ଟି କୋଇଲା ବ୍ଲକର ନିଲାମୀ ହେବ । ଦଶମ ରାଉଣ୍ଡ ବ୍ୟବସାୟିକ କୋଇଲା ଖଣିର ନିଲାମୀ ପାଇଁ ହୋଇଥିବା ନିଷ୍ପତ୍ତିରେ ଓଡ଼ିଶା ସମେତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର କୋଇଲା ବ୍ଲକ ରହିଛି । ବ୍ୟବସାୟିକ କୋଇଲା ବ୍ଲକର ନିଲାମୀ ଗତ ୨୦୨୦ ମସିହାରେ ପ୍ରଥମ କରି ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିଲା । ଅଦ୍ୟାବଧି ୯ଟି ରାଉଣ୍ଡରେ ୨୫୬ ନିୟୁତ ଟନ କ୍ଷମତା ବିଶିଷ୍ଟ ସମୁଦାୟ ୧୦୭ଟି କୋଇଲା ବ୍ଲକର ନିଲାମୀ କରାଯାଇ ସାରିଛି । ଯେଉଁଥିରେ ଓଡ଼ିଶାର ଉଭୟ ତାଳଚେର ଏବଂ ଇବ୍ଭେଲି କୋଲ୍ଫିଲ୍ଡର ବହୁ ଖଣି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button