ମାଓବାଦୀ ନାଁରେ ଟଙ୍କା ଆଦାୟ କରୁଥିଲା, ପୋଲିସ ହାତରେ ଧରାପଡ଼ିଛି ଅଭିଯୁକ୍ତ
ମାଲକାନଗିରି: ଲୋକଙ୍କଠୁ ଲୁଟ୍ କରିବାର ନୂଆ ପ୍ଲାନ । ଜଣେ ଯୁବକ ଜଣକ କରିଥିଲା ଏକଦମ୍ ନୂଆ ଷଡ଼ଯନ୍ତ୍ର । ଆଉ ଷଡ଼ଯନ୍ତ୍ରର ଶିକାର ହୋଇଥିଲେ ବିଭିନ୍ନ ବ୍ୟବସାୟ ସଂସ୍ଥାର ମାଲିକ । ବ୍ୟକ୍ତି ଜଣକ ଲୋକମାନଙ୍କୁ ଏମିତି ଜାଲରେ ଫସାଇଥିଲା ଯେ ସେମାନେ ସଞ୍ଚିତ ରଖିଥିବା ଟଙ୍କାକୁ ଭୟରେ ଦେଇ ଦେଇଥିଲେ । ଟଙ୍କା ନଦେଲେ ଜୀବନରୁ ମାରିଦେବାର ବି ଧମକ ଦେଇଥିଲା ।
ଆଉ ପ୍ରାଣ ଭୟରେ ବ୍ୟବସାୟ ସଂସ୍ଥାର ମାଲିକମାନେ ଅଭିଯୁକ୍ତକୁ ଟଙ୍କା ପଠାଉଥିଲେ । କିନ୍ତୁ ଅପରାଧର ବି ଗୋଟାଏ ସୀମା ଥାଏ । ଆଉ ଦିନେନା ଦିନେ ଧରାପଡ଼େ । ସମାନ ଭାବେ ଏ ଅଭିଯୁକ୍ତ ବି ପୋଲିସ ହାତରେ ଧରାପଡ଼ିଛି ।
ମାଓବାଦୀ ନାଁ ରେ ଟଙ୍କା ଆଦାୟ କରୁଥିଲା ଏ ଯୁବକ । ତାକୁ ଗିରଫ କରିଛି ପୋଲିସ । ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ୟବସାୟ ସଂସ୍ଥାର ମାଲିକମାନଙ୍କୁ ମାଓବାଦୀ ଭୟ ଦେଖାଇ ଲୁଟୁଥିଲା । ଯାହାକୁ ମାଲକାନଗିରି ପୋଲିସ ଗିରଫ କରିବାରେ ସଫଳ ହୋଇଛି । ମାଲକାନଗିରି ଏସ୍.ଡି.ପି.ଓ ସଚିନ ପଟେଲ ସୂଚନା ଦେଇଛନ୍ତି ଯେ କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍.ଭି. ୧୦୦ ଗାଁର ଅନିଲ ବର୍କନ୍ଦାଜଙ୍କୁ ଗତ ଏପ୍ରିଲ ୪ ତାରିଖରେ ଜଣେ ବ୍ୟକ୍ତି ହ୍ୱାଟ୍ସଆପ୍ ରେ ଫୋନ କରି ନିଜକୁ ମାଓବାଦୀ ବୋଲି କହିଥିଲା । ପରେ ବ୍ୟକ୍ତି ଜଣକ ଆର୍. ରାଜେଶ୍ୱର ତାରାଇ ବୋଲି ପରିଚୟ ଦେଇ ୫ ହଜାର ଟଙ୍କା ପଠାଇବାକୁ ଧମକ ଦେଇଥିଲା । ଯଦି ଟଙ୍କା ନ ପଠାଉ ତୋତେ ଜୀବନରୁ ମାରିଦେବି ବୋଲି ମଧ୍ୟ ଧମକ ଦେଇଥିଲା । ପୁଣି ଗତ ଅଗଷ୍ଟ ୯ ତାରିଖ ଦିନ ଅନ୍ୟ ଏକ ନମ୍ବରରେ ଅନିଲଙ୍କୁ ଫୋନ୍ କରି ୨ ହଜାର ଟଙ୍କା ପଠାଇବାକୁ କହିଥିଲା ଅଭିଯୁକ୍ତ । ସେହିଦିନ ଅନିଲ ମାଲକାନଗିରି ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତର ଦୁଇଟି ଫୋନ୍ ନମ୍ବର ମଧ୍ୟ ଦେଇଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ମାଲକାନଗିରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସେହି ଫୋନ୍ ନମ୍ବର ଆଧାରରେ ଗୁଗଲ ସର୍ଚ କରିଥିଲା ପୋଲିସ ।
ତଦନ୍ତ ବେଳେ ମାଲକାନଗିରି ଜିଲ୍ଲାର ଭିନ୍ନ ଭିନ୍ନ ବ୍ୟବସାୟ ପ୍ରତିଷ୍ଠାନଠାରୁ ଲକ୍ଷାଧିକ ଟଙ୍କା ମାଓବାଦୀ ନାଁରେ ପଠା ଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ସେହି ବ୍ୟକ୍ତି ଜଣକ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଥିବା ଜାଣିବାକୁ ପାଇଥିଲା ମାଲକାନଗିରି ପୋଲିସ । ଆଉ କୌଶଳ କରି ଖୋର୍ଦ୍ଧାରୁ ଗିରଫ କରିଥିଲା । ପଚରା ଉଚୁରା କରିବାରୁ ସମ୍ପୃକ୍ତ ବ୍ୟକ୍ତି ପୁରୀ ଜିଲ୍ଲା ରଘୁନାଥ ପୁର ଗାଁର ସନ୍ତୋଷ କୁମାର ମହାନ୍ତି ବୋଲି ଜଣାପଡ଼ିଥିଲା । ଯିଏ ନିଜକୁ ନକଲି ମାଓବାଦୀ ଭାବେ ସଜାଇ ଥିଲା । ଏବେ ବନ୍ଧା ହୋଇଛି ନକଲି ମାଓବାଦୀ । ମାଲକାନଗିରି ଥାନାରେ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ କହିଛି ।
ଏଭଳି ଅନେକ ଠକ ଅଛନ୍ତି ଯେଉଁ ସାଧାରଣ ଲୋକଙ୍କୁ ବିଭିନ୍ନ ଆଳରେ ଡରାଇ ଧମକାଇ ଟଙ୍କା ଲୁଟୁଛନ୍ତି । କିଏ ନକଲି ପୋଲିସ୍ ତ କିଏ ନକଲି ସିବିଆଇ ଅଫିସର ଭାବେ ପରିଚୟ ଦେଉଛନ୍ତି । ଯଦି ଆପଣଙ୍କୁ ଏଭଳି କେହି କଲ୍ କରି ଟଙ୍କା ମାଗୁଛି ତେବେ ଆପଣ ତୁରନ୍ତ ପୋଲିସକୁ ଜଣାନ୍ତୁ । ନଚେତ ଆପଣ ବି ଏଭଳି ଠକାମୀର ଶିକାର ହେବେ ।