ରାଜ୍ୟ
ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ; ଗାଧୋଇବାକୁ ଯାଇଥିଲେ ୧୧ ଛାତ୍ର

ଜଗତପୁର: କଟକର ଜଗତପୁର ଅନ୍ତର୍ଗତ ବାଲିସାହି ନିକଟ ମହାନଦୀରେ ଆଜି ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଦୁଇଜଣ ନିଖୋଜ ଅଛନ୍ତି। ଜଣଙ୍କ ନାଁ ଆର୍ଯ୍ୟନ ନାୟକ ହୋଇଥିବା ବେଳେ ଆଉ ଜଣେ ମନୋରଞ୍ଜନ ବେହେରା। ଦୁଇ ଜଣ ଛାତ୍ର ବ୍ୟାରେଜ କଲୋନୀ ଅଞ୍ଚଳର ହୋଇଥିବା ବେଳେ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ଖୋଜାଖୋଜି କରୁଥିବା ଜଣାଯାଇଛି।
ରାଜକିଶୋର ବିଦ୍ୟାପୀଠରେ ଆଜି ଷାଣ୍ମାସିକ ପରୀକ୍ଷା ଥିଲା। ପରୀକ୍ଷା ଶେଷ ହେବା ପରେ ଆର୍ଯ୍ୟନ ଓ ମନୋରଞ୍ଜନଙ୍କ ସମେତ ତାଙ୍କ ଶ୍ରେଣୀର ୧୧ ରୁ ଉର୍ଦ୍ଧ୍ଵ ଛାତ୍ର ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ଗୋଡ ଖସି ଯିବାରୁ ଆର୍ଯ୍ୟନ ଓ ମନୋରଞ୍ଜନ ବୁଡ଼ି ଯାଇଥିଲେ। ଅନ୍ୟ ଛାତ୍ରମାନେ ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପରେ ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ସହିତ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା।