ଏବେ ଆୟକର ଜାଲରେ ଫସିଲେ ବାୟଜୁ, TDS ଲାଗି କର୍ମଚାରୀଙ୍କୁ ଜାରି ହେଲା ନୋଟିସ୍

ନୂଆଦିଲ୍ଲୀ ୧୨।୯: ବାୟଜୁ ରବିନ୍ଦ୍ରନଙ୍କ ଏଡଟେକ୍ କମ୍ପାନୀ ବାୟଜୁର ସମସ୍ୟା ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ଗୋଟିଏ ସଂକଟ ଟଳିବା ଆଗରୁ ଆଉ ଗୋଟିଏ ମୁହଁ ଉଠାଇ ଛିଡା ହେଉଛି। ନିକଟରେ ବିସିସିଆଇଙ୍କ ବକେୟା ପୈଠ ନିମନ୍ତେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ପହଞ୍ଚିଥିବା କମ୍ପାନୀର ପାଖାପାଖି ୬ ହଜାର କର୍ମଚାରୀଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ମିଳିଛି।
ଏଥିରେ କମ୍ପାନୀର ଏବେକା ଓ ପୂର୍ବତନ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ଏମାନଙ୍କୁ ଟିଡିଏସ୍ ପୈଠ କରିନଥିବାରୁ ନୋଟିସ୍ କରାଯାଇଛି।
ଆୟକର ବିଭାଗ ଅଗଷ୍ଟ ୩୦ ସୁଦ୍ଧା ବାୟଜୁକୁ ୧୦.୧ କୋଟି ଡଲାର ଡିମାଣ୍ଡ କରିଛନ୍ତି। କମ୍ପାନୀ କର୍ମଚାରୀଙ୍କୁ ବେତନ ଦେବା ପୂର୍ବରୁ ଟିଡିଏସ କାଟି ରଖିଥାଏ। ତେବେ ଏ ବାବଦ ଅର୍ଥ ଆୟକର ବିଭାଗରେ ଜମା କରନ୍ତିନି। ଏଣୁ ଆର୍ଥି ସଂକଟଗ୍ରସ୍ତ ବାୟଜୁଙ୍କ ଲାଗି ଏହା ଏକ ଝଟକା ବୋଲି ଏବେ ବିଚାର କରାଯାଉଛି। ଏହା ଦ୍ୱାରା କମ୍ପାନୀ ଉପରେ ନିବେଶକ ଓ କର୍ମଚାରୀଙ୍କ ଆସ୍ଥା ହ୍ରାସ ହୋଇପାରେ। ଏହି ସୂଚନା ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପସି ବୋର୍ଡ ଅଫ ଇଣ୍ଡିଆ (ଆଇବିବିଆଇ)ଙ୍କୁ ମଧ୍ୟ ଦିଆଯାଇଛି।
ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ପକ୍ଷରୁ ପଙ୍କଜ ଶ୍ରୀବାସ୍ତବଙ୍କୁ ରେଜଲ୍ୟୁସନ ପ୍ରଫେସନାଲ ନିଯୁକ୍ତ କରାଯାଇଛି। ବାୟଜୁ କାହାକୁ କାହାକୁ ବକେୟା ପୈଠ କରିବାର ଅଛି ତାର ସୂଚନା ରେଜ୍ୟୁଲେସନ ପ୍ରଫେସନାଲ ସଂଗ୍ରହ କରିବେ। ଏଥି ପାଇଁ ଶ୍ରୀବାସ୍ତବ ଏବେ ଋଣଦାତା, କର୍ମଚାରୀ, ଭେଣ୍ଡର ଓ ସରକାରଙ୍କ ବିଭିନ୍ନ ବିଭାଗଙ୍କ ସହିତ ସମ୍ପର୍କ କରୁଛନ୍ତି। ଏବେ ଟିଡିଏସ୍ ପୈଠ କରିନଥିବା ଅଭିଯୋଗରେ ଦେବାଳିଆ ପ୍ରକ୍ରିୟାରେ କମ୍ପାନୀର ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ଅନୁମାନ କରାଯାଉଛି।
କମ୍ପାନୀ ପ୍ରଥମରୁ ଆମେରିକୀୟ ନିବେଶକଙ୍କ ସହ ବିବାଦରେ ଫଶି ରହିଛି। ବାୟଜୁ ରବିନ୍ଦ୍ରନଙ୍କୁ ସିଇଓ ପୋଷ୍ଟରୁ ହଟାଇବା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା। ଏକଦା ୨୨ ବିଲିୟନ ଡଲାର ମୂଲ୍ୟାନ ହୋଇଥିବା ଏହି ୟୁନିକର୍ଣ୍ଣ ଷ୍ଟାର୍ଟଅପ କମ୍ପାନୀର ମୂଲ୍ୟ ଏବେ ଜିରୋ ଭାଲ୍ୟୁଏସନକୁ ଆସିଯାଇଛି।