IBN ଓଡ଼ିଶା ବ୍ୟୁରୋ

ସରକାରୀ ବ୍ୟବସ୍ଥାରେ ଚାଲିଛି ଦୁର୍ନୀତି, ପଇସା ନ ଦେଲେ ଫାଇଲ୍‌ ଘୁଞ୍ଚୁନି: ଗଡ଼କରୀ

ନୂଆଦିଲ୍ଲୀ : ସଦାସର୍ବଦା ସ୍ପଷ୍ଟବାଦିତାର ଆଭିମୁଖ୍ୟ ରଖି ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି। ସରକାରୀ ବ୍ୟବସ୍ଥାରେ ଚାଲିଥିବା ଦୁର୍ନୀତିକୁ ନେଇ ସେ ଖିଅ ଖୋଲିବା ସହିତ ଯେଉଁ କାର୍ଯ୍ୟରେ ସରକାରୀ ବାବୁମାନଙ୍କୁ ଅଧିକ ଲାଞ୍ଚ ମିଳିଥାଏ ସେ କାର୍ଯ୍ୟ କିଭଳି ଶୀଘ୍ର ହୋଇଥାଏ ସେ ସମ୍ପର୍କରେ ପରୋକ୍ଷରେ ଇଙ୍ଗିତ କରିଛନ୍ତି।

ପୁନେ ଠାରେ ଇଞ୍ଜିନିୟର ଦିବସ ପାଳନ ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଡ଼କରୀ କହିଛନ୍ତି ଯେ, ଯେଉଁ ସବୁ ଫାଇଲର ଓଜନ ଅଧିକ (ଟଙ୍କା) ସେଗୁଡ଼ିକୁ ସରକାରୀ ବାବୁମାନେ ଅଧିକ ଗୁରୁତ୍ବ ଦେଇ କାର୍ଯ୍ୟକାରୀ କରାଇଥାଆନ୍ତି।

ଅର୍ଥାତ ଯେଉଁ କାର୍ଯ୍ୟ ପାଇଁ ଅଧିକାରୀମାନଙ୍କୁ ଅଧିକ ଲାଞ୍ଚ ମିଳିଥାଏ ସେହି କାର୍ଯ୍ୟ ତ୍ବରାନ୍ବିତ ହୋଇଥାଏ ବୋଲି ଗଡ଼କରୀ କହିଛନ୍ତି। ଏପରିକି ଯେଉଁ ଫାଇଲ ପାଇଁ ବାବୁମାନଙ୍କୁ ଅଧିକ ଲାଞ୍ଚ ମିଳିଥାଏ ସେହି ଫାଇଲ କାର୍ଯ୍ୟ ସେତିକି ତୀବ୍ର ବେଗରେ କାର୍ଯ୍ୟ କରିଥାଏ ବୋଲି ସେ କହିଛନ୍ତି। ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ସ୍ବଛତା ରକ୍ଷା ଏବଂ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଅବଧି ରହିଥିଲେ ହେଁ ଲାଞ୍ଚ କାରବାର ଏହାକୁ ପ୍ରଭାବିତ କରିଥାଏ ବୋଲି ସେ ପରୋକ୍ଷରେ ଇଙ୍ଗିତ କରିଛନ୍ତି।

ଜାତୀୟ ରାଜପଥ ପ୍ରକଳ୍ପ ଏବଂ ସଡ଼କ ଦୁର୍ଘଟଣାର ଉଦାହରଣ ଦେଇ ସେ କହିଛନ୍ତି ଯେ, କୌଣସି ଦୁର୍ଘଟଣା ପାଇଁ ମୂଳତଃ ତ୍ରୁଟିପୂର୍ଣ୍ଣ ବିସ୍ତୃତ ପ୍ରୋଜେକ୍ଟ (ଡିପିଆର) ହିଁ ଦାୟୀ। ଏହାବ୍ୟତୀତ ସରକାରୀ ବାବୁମାନଙ୍କ ଉଦାସୀନତା ସଡ଼କ ଦୁର୍ଘଟଣାର ଅନ୍ୟ ଏକ କାରଣ। ଏଠାରେ ଏମିତି ପ୍ରଶାସନିକ ଅଧିକାରୀ ଅଛନ୍ତି ଯେଉଁମାନେ ସବୁଥି ପାଇଁ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରିଥାଆନ୍ତି। ସାଧାରଣ ବିଷୟ ପାଇଁ ସେମାନେ ନିଜେ ଦାୟିତ୍ବ ନେଇ କିଛି କରନ୍ତି ନାହିଁ। ଏପରି କି ରାସ୍ତାରେ ଯଦି ଖାଲଖମା ଥାଏ ତେବେ ଏହାକୁ ପୋତିବା ପାଇଁ ମଧ୍ୟ ସେମାନେ ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା କରନ୍ତି। ଏସବୁ କ୍ଷେତ୍ରରେ ସରକାରୀ ଚିଠି ଓ ଇଚ୍ଛାଶକ୍ତି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଯଦି ଜଣେ ଜ୍ଞାନୀଗୁଣୀ ବ୍ୟକ୍ତି ଆଇନ ପଛରେ ଥିବା ଇଚ୍ଛାଶକ୍ତିକୁ ବୁଝି ପାରିବେ ନାହିଁ ତେବେ ଏହାର ଆବଶ୍ୟକତା କ’ଣ ରହିଛି ବୋଲି ଗଡ଼କରୀ ପ୍ରଶ୍ନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button