୧୪୭ ବର୍ଷରେ ପ୍ରଥମଥର, ମାତ୍ର ୫୮ ରନ କଲେ କୋହଲିଙ୍କ ନାଁରେ ହେବ ଏକ ବଡ ରେକର୍ଡ

ନୂଆଦିଲ୍ଲୀ ୧୨।୦୯: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି । ବାଂଲାଦେଶ ବିପକ୍ଷରେ ଖେଳିବେ ଆଗାମୀ ଟେଷ୍ଟ ସିରିଜ । ଆଉ ଏଠାରେ ଏକ ବଡ଼ ରେକର୍ଡ କରିବାର ସୁବର୍ଣ୍ଣ ସୁଯୋଗ ପାଇବେ କିଙ୍ଗ କୋହଲି । ଏହି ଟେଷ୍ଟ ସିରିଜ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ଆଉ ସମସ୍ତଙ୍କ ନଜର କୋହଲିଙ୍କ ଉପରେ ରହିବ । କାରଣ ସେ ଏକ ଐତିହାସିକ ସଫଳତାର ନିକଟତର ରହିଛନ୍ତି ।
କୋହଲି ମାତ୍ର ୫୮ ରନ୍ ସ୍କୋର କରି ୧୪୭ ବର୍ଷର ରେକର୍ଡ ଭାଙ୍ଗିବେ।
ବାସ୍ତବରେ ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ୍ ପୂରଣ କରିବା ପାଇଁ ବିରାଟ କୋହଲି ମାତ୍ର ୫୮ ରନ୍ ଦୂରରେ ରହିଛନ୍ତି । ଯଦି ସେ ଏହି ରନ୍ ସ୍କୋର କରନ୍ତି, ତେବେ ସେ ୬୦୦ରୁ କମ୍ ଇନିଂସରେ ଏହି ସଫଳତା ହାସଲ କରିବାରେ ଦୁନିଆର ପ୍ରଥମ କ୍ରିକେଟର ହେବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେକର୍ଡ ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ନାଁରେ ରହିଛି । ଯିଏ ୬୨୩ ଇନିଂସରେ ୨୭ ରନ ପୂରଣ କରିଥିଲେ । ସଚିନ୍ଙ୍କ ଏହି ରେକର୍ଡ ଭାଙ୍ଗି କୋହଲି କ୍ରିକେଟ୍ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖି ପାରନ୍ତି ।
ବିରାଟ କୋହଲି ଏପର୍ଯ୍ୟନ୍ତ ୫୯୧ ଅନ୍ତର୍ଜାତୀୟ ଇନିଂସରେ ୨୬ ହଜାର ୯୪୨ ରନ୍ ସଂଗ୍ରହ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ୧୪୭ ବର୍ଷର ଇତିହାସରେ କେବଳ ଭାରତର ସଚିନ୍ ତେନ୍ଦୁଲକର, ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଏବଂ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୨୭ ହଜାର ରନ ଛୁଇଁଛନ୍ତି । କୋହଲି କ୍ରିକେଟ୍ ଇତିହାସରେ ୧୪୭ ବର୍ଷର ପ୍ରଥମ କ୍ରିକେଟର ହେବେ ଯିଏକି ୬୦୦ରୁ କମ୍ ଇନିଂସରେ ୨୭ ହଜାର ରନ୍ ସ୍କୋର କରିବେ ।
ବିରାଟ କୋହଲି ଏପର୍ଯ୍ୟନ୍ତ ୧୧୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ୧୧୩ ଟେଷ୍ଟ ମ୍ୟାଚରେ ସେ ହାରାହାରି ୪୯.୧ରେ ୮୮୪୮ ରନ୍ ସ୍କୋର କରିଛନ୍ତି । ଯେଉଁଥିରେ ୩୦ଟି ଅର୍ଦ୍ଧଶତକ ଏବଂ ୨୯ ଶତକ ଲଗାଇଛନ୍ତି । ଟେଷ୍ଟରେ କୋହଲିଙ୍କ ସର୍ବୋତ୍ତମ ସ୍କୋର ହେଉଛି ୨୫୪ ରନ୍ । ବିରାଟ କୋହଲି ଏପର୍ଯ୍ୟନ୍ତ ୯୩.୫ର ଇକୋନୋମୀରେ ୨୯୫ଟି ODI ମ୍ୟାଚରେ ୧୩ ହଜାର ୯୦୬ ରନ୍ ସଂଗ୍ରହ କରିଛନ୍ତି ।
ଏଥିରେ ୭୨ଟି ଅର୍ଦ୍ଧଶତକ ଏବଂ ୫୦ ଶତକ ରହିଛି ସାମିଲ । ODIରେ କୋହଲିଙ୍କ ସର୍ବୋତ୍ତମ ସ୍କୋର ହେଉଛି ୧୮୩ ରନ୍ । ବିରାଟ କୋହଲି ତାଙ୍କର ୧୨୫ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରରେ ୧୩୭ର ଇକୋନମୀରେ ୪୧୮୮ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩୮ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ସାମିଲ ରହିଛି । ଆନ୍ତର୍ଜାତୀୟ ଟି-୨୦ରେ କୋହଲିଙ୍କ ସର୍ବୋତ୍ତମ ସ୍କୋର ହେଉଛି ୧୨୨ ରନ୍ ।