ରାଜ୍ୟ

କାହା ସ୍ବାର୍ଥରେ ଲ୍ୟାମ୍ପସ୍‌ ? ଖାଇଦେଲେ ଚାଷୀଙ୍କ ସବ୍‌ସିଡି ଅର୍ଥ!

ରାଉରକେଲା: ଚାଷୀମାନଙ୍କ ବିକାଶ ପାଇଁ ସୁନ୍ଦରଗଡ଼ର ବିଭିନ୍ନ ବ୍ଲକ ଅଧୀନରେ ରହିଛି ଅନେକଗୁଡ଼ିକ ଲ୍ୟାମ୍ପସ୍। ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ (ଏସଡିସିସି)ରୁ ଲ୍ୟାମ୍ପସ୍ ଜରିଆରେ ଚାଷୀମାନଙ୍କୁ ଖରିଫ, ରବି ଚାଷ, ପାୱାରଟିଲର, ଟ୍ରାକ୍ଟର କିଣିବାକୁ ସ୍ବଳ୍ପ ସୁଧରେ ଋଣ ଯୋଗାଇ ଦିଆଯାଇଛି। କିଛି ଲ୍ୟାମ୍ପସ୍ର ପରିଚାଳନା ନିର୍ଦ୍ଦେଶକ ଓ ଏସ୍ଡିସିସି ଅଧିକାରୀଙ୍କ ଭିତିରି ସଲାସୁତୁରାରେ ଚାଷୀମାନଙ୍କୁ ପାୱାର୍ଟିଲର ଋଣ ଦେବା ନାଁରେ ବ୍ୟାପକ ଅର୍ଥ ହେରଫେର ହୋଇଛି।

ଯେଉଁ ସଂସ୍ଥା ଜରିଆରେ ପାୱାରଟିଲର ଚାଷୀମାନଙ୍କୁ ଦିଆଯାଇଛି ତା’ର ଭୂମିକା ମଧ୍ୟ ସନ୍ଦେହଘେରରେ ରହିଛି। ପାୱାରଟିଲର ଋଣ ନେଇଥିବା ଅଧିକାଂଶ ଚାଷୀଙ୍କୁ ଖାତାକୁ ସବ୍ସିଡି ଟଙ୍କା ଆସିନି। ଜିଲ୍ଲାରେ ଏମିତି ଶହ ଶହ ଚାଷୀଙ୍କ ସବ୍ସିଡି ଟଙ୍କାକୁ ମିଳିମିଶି ଖାଇଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ସତ୍ୟାସତ୍ୟ ଜାଣିବାକୁ ସୂଚନା ଅଧିକାର ଆଇନବଳରେ ମଗାଯାଇଥିବା ତଥ୍ୟ ମଧ୍ୟ ବିଭାଗୀୟ ଅଧିକାରୀ ଦେଉନାହାନ୍ତି। ବଣାଇ ଓ ପାନପୋଷ ସହକାରୀ ନିବନ୍ଧକ ସମବାୟ ସମିତି କାର୍ଯ୍ୟାଳୟ (ଏଆର୍ସିଏସ୍)ରୁ ଏମିତି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ବଣାଇ ଅଧୀନରେ ବଣାଇଁ, ରୁଗୁଡ଼ା, ସରସରା, ଜର୍ଡା, ସୋଲ୍, ବାଙ୍କି, ଲହୁଣିପଡା, ଖୁଣ୍ଟଗାଁ, ମହୁଲପଦା, କୋଇଡା, ବିମଳାଗଡ଼, ଜାମୁଡ଼ିହି ଏମିତି ୧୩ଟି ଲ୍ୟାମ୍ପସ୍ ରହିଛି। ପାନପୋଷ ଅଧୀନରେ ହାତୀବାରି, କଲୁଙ୍ଗା, ବିଶ୍ରା ଏମିତି ୭ଟି ଲ୍ୟାମ୍ପସ୍ ରହିଛି। କିଛି ଲ୍ୟାମ୍ପସ୍ ଅଧିକାରୀ ଚାଷୀଙ୍କୁ ଦିଆଯାଇଥିବା ପାୱାରଟିଲର ସଂକ୍ରାନ୍ତରେ ସଠିକ୍ ତଥ୍ୟ ଦେଇଛନ୍ତି। ଆଉ କିଛି ଲ୍ୟାମ୍ପସ୍ ଅଧିକାରୀ ଦୁର୍ନୀତି ଲୁଚାଇବାକୁ ଆଦୌ ତଥ୍ୟ ଦେଇ ନାହାନ୍ତି। ଚାଷୀମାନଙ୍କୁ ଋଣ ଦେବା ପୂର୍ବରୁ କୃଷି କାର୍ଯ୍ୟାଳୟରେ ଚାଷୀଙ୍କ ପଞ୍ଜିକରଣ ହେବା ଦରକାର। କିନ୍ତୁ ଅଧିକାଂଶ ଲ୍ୟାମ୍ପସ୍ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ଜିଲ୍ଲାରେ ଚାଷୀମାନଙ୍କୁ ପାୱାରଲିଟର ଦିଆଯାଇଛି କି ନାହିଁ ? କେତେ ଟଙ୍କାର ସବ୍ସିଡି ଅର୍ଥ ଚଳୁ କରାଯାଇଛି ? ସତ୍ୟାସତ୍ୟ ପଦାକୁ ଆସିପାରନ୍ତା। ଏଆର୍ସିଏସ୍ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ବଣାଇଁ ଲ୍ୟାମ୍ପସ୍କୁ ୨୦୨୨ରେ ୨୬ଟି ପାୱାରଟିଲର, ୨୦୨୩ରେ ୬ଟି ପାୱାରଟିଲର ଦିଆଯାଇଛି। ରୁଗୁଡ଼ା ଲ୍ୟାମ୍ପସ୍ରେ ୧୨ଟି, ୨୦୨୩ରେ ମାତ୍ର ୮ଟି ପାୱାରଟିଲର ଋଣ ଦିଆଯାଇଛି। ଜର୍ଡାରେ୨୦୨୨ରେ ସର୍ବାଧିକ ୧୩୧ଟି, ୨୦୨୩ରେ ୩୫ଟି ପାୱାରଟିଲର ଋଣ ଦିଆଯାଇଛି। ଖୁଣ୍ଟଗାଁ ଲ୍ୟାମ୍ପସ୍ରେ ଗତ ୪ ବର୍ଷ ମଧ୍ୟରେ ଚାଷୀଙ୍କୁ ଆଦୌ ଋଣ ଦିଆଯାଇନଥିବା ତଥ୍ୟ ଦିଆଯାଇଛି।

ସେମିତି ବିମଳାଗଡ଼ ଲ୍ୟାମ୍ପସ୍ରେ ଗତ ୫ ବର୍ଷରେ ଜଣକୁ ହେଲେ ପାୱାରଟିଲର ଋଣ ଦିଆଯାଇନି ବୋଲି ତଥ୍ୟ ଦିଆଯାଇଛି। ହାତୀବାରି ଲ୍ୟାମ୍ପସ୍ରେ ୨୦୨୨ରେ ମାତ୍ର ୪ ଜଣ, ୨୩ରେ ଜଣେ ଚାଷୀଙ୍କୁ ପାୱାରଟିଲର ଋଣ ଦିଆଯାଇଛି। ବିଶ୍ରା ଲ୍ୟାମ୍ପସରେ ଗତ ୨୦୨୨ରେ ୧୦ ଜଣ ଓ ୨୦୨୩ରେ ଜଣେ ହେଲେ ଚାଷୀଙ୍କୁ ପାୱାରଟିଲର ଋଣ ଦିଆଯାଇ ନଥିବା ଆର୍ଟିଆଇ ତଥ୍ୟରେ ଦର୍ଶାଯାଇଛି। ପାନପୋଷ ଓ ବଣାଇଁ ଏଆର୍ସିଏସ୍ ନୁହେଁ ସୁ୍ନ୍ଧରଗଡ ଏଆର୍ସିଏସ୍ ଅଧୀନରେ ଥିବା କିଛି ଲ୍ୟାମ୍ପସ୍ରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି। ବର୍ଷ ବର୍ଷ ଧରି ପାୱାରଟିଲର ଋଣ ଦେବା ନାଁରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଚାଷୀମାନେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button