ରାଜ୍ୟ

ମଙ୍ଗଳବାର ମୂଳାଷ୍ଟମୀ, ଶାରଦୀୟ ପୂଜା ଆରମ୍ଭ: ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ, ୧୩ ଅକ୍ଟୋବର ଦଶହରା

ପୁରୀ,୨୩/୦୯: ଆସନ୍ତା ୨୪ ତାରିଖ ମଙ୍ଗଳବାର ଶ୍ରୀମନ୍ଦିରରେ ମୂଳାଷ୍ଟମୀ । ଶ୍ରୀକ୍ଷେତ୍ରସ୍ଥିତ ଦେବୀ ପୀଠ ତଥା ଶ୍ରୀମନ୍ଦିରରେ ମା’ବିମଳାଙ୍କ ଷୋଳ ପୂଜାର ଶୂଭାରମ୍ଭ । ଦେବୀ ଦୁର୍ଗାଙ୍କ ସହସ୍ରାକୁମ୍ଭାଭିଷେକ ଓ ଦେବୀ ଉତ୍ଥାପନ ନୀତି ଅନୁଷ୍ଠିତ ହେବ । ପୀଠରେ ପୂଜାର୍ଚ୍ଚନା ପାଇଁ ଶ୍ରୀନହରରେ ବ୍ରାହ୍ମଣମାନେ ବରଣ ହେବେ ।

ଆସନ୍ତା ମାସ ଅକ୍ଟୋବର ୨ ତାରିଖ ମହାଳୟାରୁ ଶ୍ରୀଦୁର୍ଗାମାଧବଙ୍କ ବାହାର ବିଜେ । ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା ଆରମ୍ଭ । ଦେବଦେବୀ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ବିଜେ କରିବେ । ୯ ତାରିଖ ବୁଧବାର ମା’ବିମଳାଙ୍କ ପୀଠରେ ମହାସପ୍ତମୀ, ୧୦ ତାରିଖ ଗୁରୁବାର ମହାଷ୍ଟମୀ, ୧୧ ତାରିଖ ଶୁକ୍ରବାର ମହାନବମୀ ପୂଜା ଅନୁଷ୍ଠିତ ହେବ । ୧୨ ତାରିଖରେ ମା’ଙ୍କ ବିଶ୍ରାମ ପୂଜା ହୋଇ ୧୩ ତାରିଖ ରବିବାର ଠାକୁରାଣୀଙ୍କ ଦଶହରା ପୂଜା ସମ୍ପନ୍ନ ହେବ ।

ଷୋଳ ପୂଜା ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ରତ୍ନଭଣ୍ଡାରରୁ ମା’ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ ହେବେ । ମା’ସୁଭଦ୍ରାଙ୍କ ଆଜ୍ଞାମାଳ ମା’ଦୁର୍ଗାଙ୍କୁ ଲାଗି କରାଯିବ । ମା’ଦୁର୍ଗା ସୋମନାଥ(ମାଜଣା) ମଣ୍ଡପକୁ ବିଜେ ହେବେ । ମା’ଦୁର୍ଗାଦେବୀଙ୍କୁ ସହସ୍ରଗରା ଜଳ ଲାଗି କରାଯିବ । ଠାକୁରାଣୀଙ୍କ ବେଶ ଅନୁଷ୍ଠିତ ହୋଇ ଶୀତଳ ଭୋଗ ପ୍ରସାଦଲାଗି ହେବ । ଦେବୀ ଦୁର୍ଗା ବାହୁଡ଼ା ବିଜେ କରି ଭଣ୍ଡାର ଦ୍ୱାରକୁ ଆସିବେ । ମାଧବ ଆଜ୍ଞାମାଳ ପାଇ ଭଣ୍ଡାର ଦ୍ୱାରକୁ ଆସିବେ । ଭଦ୍ରାସନରେ ଉଭୟ ଦେବାଦେବୀ ରୁନ୍ଧା ହେବେ । ଦେବଦେବୀ ମା’ବିମଳା ଠାକୁରାଣୀଙ୍କ ଜଗମୋହନରେ ବିଜେ ହେବେ । ଶୀତଳ ଭୋଗ ଅର୍ପଣ କରାଯାଇ ଆଳତି ଓ ବନ୍ଦାପନା ନୀତି ବଢିବ । ଠାକୁରଙ୍କ ରାତି ଚନ୍ଦନଲାଗି ନୀତି ବଢ଼ିଲେ ସେବାୟତମାନେ ଦୁର୍ଗାମାଧବଙ୍କୁ ବିଜେ କରାଇ ଆଣି ଭଣ୍ଡାର ଘରେ ସ୍ଥାପନା କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button