ରାଜ୍ୟ

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଦୁଇ ବାଇକ୍‌, ଚାଳକ ଜୀବନ୍ତ ଦଗ୍ଧ

ବାଇକ୍ ଓ ବାଇକ୍ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଏହି ଧକ୍କା ପରେ ଦେଖିବାକୁ ମିଳିଲା ଭୟଙ୍କର ଚିତ୍ର। ଦୁଇ ବାଇକ୍ ବିଚ୍ ରାସ୍ତାରେ ହୁତୁହୁତ ହୋଇ ଜଳିବାକୁ ଲାଗିଲା। ଏହି ଅଘଟଣରେ ଜଣେ ବାଇକ୍ ଚାଳକ ଜୀଅନ୍ତା ଜଳି ଯାଇଥିବା ବେଳେ ଦୁଇ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଡପାନି ରାସ୍ତାରେ ଦେଖିବାକୁ ମିଳିଛି।

ଆଜି ସକାଳେ ଗୋଟିଏ ବାଇକ୍ରେ ଝାଡ଼ଖଣ୍ଡର ଅଶୋକ ଅଗ୍ରୱାଲ ରାଏବୋଗା ପଟୁ ବୀରମିତ୍ରପୁର ଆଡକୁ ଆସୁଥିଲେ। ଅନ୍ୟ ବାଇକ୍ରେ ଦୁଇ ଜଣ ବୀରମିତ୍ରପୁର ପଟୁ ରାଏବୋଗା ଅଭିମୁଖେ ଯାଉଥିଲେ।

ଉଭୟ ଗାଡ଼ି ଦ୍ରୁତ ଗତିରେ ଥିବା ବେଳେ କୁଡପାନି ରାସ୍ତାରେ ପରସ୍ପର ସହ ଜୋରରେ ପିଟି ହୋଇଥିଲେ। ଏହାପରେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ସେମାନେ ନିଆଁ କବଳରେ ପଡ଼ି ଯାଇଥିଲେ।

ସେମାନଙ୍କ ଆର୍ତ୍ତ ଚିତ୍କାର ଶୁଣି ଆଖପାଖରେ ଯାଉଥିବା ଲୋକେ ତୁରନ୍ତ ଦୁଇ ଜଣଙ୍କୁ ନିଆଁ କବଳରୁ ଉଦ୍ଧାର କରିଥିଲେ। ମାତ୍ର ଅନ୍ୟ ଜଣେ ଗାଡ଼ି ସହ ଫସି ଯାଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାରି ନ ଥିଲେ। ଫଳରେ ସେ ବି ଗାଡ଼ି ସହ ଜଳି ଯାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ବୀରମିତ୍ରପୁର ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁଇ ବାଇକ୍ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଥିବା ବେଳେ ସମ୍ପୃକ୍ତ ଚାଳକଙ୍କ ମୃତ ଶରୀର ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ତୁରନ୍ତ ପୁଲିସ୍ ଗୁରୁତରମାନଙ୍କୁ ଉଦ୍ଧାର କରି ପ୍ରଥମେ ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିଛି। ମୃତକ ତଥା ଜଣେ ଗୁରୁତରଙ୍କ ପରିଚୟ ମିଳି ପାରିନି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button