ରାଜ୍ୟ

ଭୋକର ଭୁଗୋଳ ଏବେ ସମୃଦ୍ଧିର ଶୀର୍ଷରେ: ଦାରିଦ୍ର୍ଯ ଦୂରୀକରଣରେ କଳାହାଣ୍ଡି ସର୍ବାଗ୍ରେ

କଳାହାଣ୍ଡି : ପ୍ରତିଫଳିତ ହୋଇଛି ବିକାଶର ପ୍ରକୃତ ପରିଭାଷା। ଭୋକର ଭୁଗୋଳ, ଦାରିଦ୍ର୍ଯର ଏନ୍ତୁଡି ଭଳି ଅନେକ ଅପବାଦ ମୁଣ୍ଡାଇ ଆସିଥିବା କଳାହଣ୍ଡି ଏବେ ସମୃଦ୍ଧିର ଶୀର୍ଷ ସୋପାନରେ। ଦିନେ ଅନାହାର, ଶିଶୁ ବିକ୍ରି, ଦାଦନ ପରି କଳଙ୍କ ମୁଣ୍ଡାଇ ସାରା ଦେଶରେ ଅପଖ୍ୟାତି ଗୋଟାଇଥିବା କଳାହାଣ୍ଡି ଏବେ ସାରା ଦେଶକୁ ବିକାଶର ବାର୍ତ୍ତ। ଦେଉଛି। ନୀତି ଆୟୋଗ ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟରେ କଳାହାଣ୍ଡି ଜିଲ୍ଲା ଦାରିଦ୍ର୍ଯ ଦୂରୀକରଣରେ ରାଜ୍ୟରେ ସର୍ବାଗ୍ରେ ରହି ଏକ ବିରଳ ରେକର୍ଡର ଅଧିକାରୀ ହୋଇପାରିଛି। ଜିଲ୍ଲାର ୨୮ ପ୍ରତିଶତ ଲୋକ ଦାରିଦ୍ର୍ଯ ତାଡନାରୁ ମୁକୁଳି ପାରିଛନ୍ତି। ଏପରିକି ଉପକୂଳ ଓଡିଶାର ଜିଲ୍ଲାକୁ ବି କଳାହାଣ୍ଡି ବହୁ ପଛରେ ପକାଇ ଦେଇଛି। ଆଉ ଏହି ଅବିଶ୍ବସନୀୟ ସଫଳତା ପଛରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ହିଁ ପ୍ରମୁଖ ଭୂମିକା ନେଇଥିବା କଥା ପ୍ରତିଟି ଚିନ୍ତାଶୀଳଙ୍କୁ ଭାବିବାକୁ ବାଧ୍ୟ କରିଛି। ଏହି ବିରଳ ସଫଳତା ନବୀନ ସରକାରଙ୍କ ପ୍ରତିବଦ୍ଧତାର ଏକ ଅନ୍ୟତମ ଶ୍ରେଷ୍ଠ ନମୁନା ଭାବେ ପ୍ରତିପାଦିତ ହୋଇଛି ବୋରି ସାରା ଜିଲ୍ଲାରେ ମତପ୍ରକାଶ ପାଇଛି।

ପଶ୍ଚିମ ଓଡିଶାର ଅନ୍ୟତମ ଅନୁନ୍ନତ ତଥା ପଛୁଆ ଜିଲ୍ଲା ଭାବେ କଳାହାଣ୍ଡି ସବୁ ବେଳେ ଚର୍ଚ୍ଚାରେ ରହି ଆସିଛି। ଚର୍ଚ୍ଚାରେ ରହି ଆସିଛି ଏଠିକାର ଦାରିଦ୍ର୍ଯ ପାଇଁ। ଦୁଇ ଓଳି ଖାଇବାକୁ ନ ପାଇ ଭୋକ ଉପାସରେ ଦିନ କାଟୁଥିବା ଲୋକଙ୍କ ଖବର ଦୀର୍ଘ ଦଶନ୍ଧି ଧରି ଜାତୀୟ ଗଣମାଧ୍ୟମର ଶିରୋନାମା ସାଜି ଆସିଛି। ଏପରିକି ଏଠାକାର ଅନାହାର ମୃତ୍ୟୁ ସାରା ବିଶ୍ବରେ ବିଗତ ଦିନରେ ଚର୍ଚ୍ଚାର ବିଷୟ ହୋଇଆସିଥିଲା। ହେଲେ ବର୍ତ୍ତମାନ ସେ ଯୁଗ ଆଉ ନାହିଁ। ଗତ ଦୁଇ ଦଶନ୍ଧି ମଧ୍ୟରେ ନବୀନ ସରକାର ଅମଳରେ ଏହି ଜିଲ୍ଲା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଫୋକସରେ ରହି ଆସିଛି। ସ୍ବାଧୀନତା ପରବର୍ତ୍ତୀ ଅର୍ଦ୍ଧଶତାବ୍ଦୀ ଧରି ଅବହେଳିତ ହୋଇଆସିଥିବା ଏହି ଜିଲ୍ଲା ଗତ ୨୩ ବର୍ଷ ମଧ୍ୟରେ ବିକାଶ ନୂଆ ଯୁଗକୁ ଅତିକ୍ରମ କରିବାରେ ଲାଗିଛି। ବିଶେଷ କରି ପାଣି ଅଭାବରୁ ଜିଲ୍ଲାର ହଜାର ହଜାର ଏକର ଜମି ପଡିଆ ପଡୁଥିବାରୁ ଲୋକେ କୃଷି କାର୍ଯ୍ୟରୁ ମୁହଁ ମୋଡି ଦାଦନ ଯିବାକୁ ବାଧ୍ୟ ହେଉଥିଲେ।

ହେଲେ ଏବେ ଆଉ ସେହି ସ୍ଥିତି ନାହିଁ। ଜିଲ୍ଲାରେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଦ୍ବାରା ପ୍ରାୟ ୭୭ ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବା ବେଳେ ତେଲ ଏବଂ ହାତୀ ନଦୀରେ ଏକାଧିକ ପ୍ରକଳ୍ପ ଦ୍ବାରା ଜିଲ୍ଲାର ଲକ୍ଷାଧିକ ହେକ୍ଟର ଜମି ଶସ୍ୟ ଶ୍ୟାମଳା ହୋଇପାରିଛି। ଦିନେ ମରୁଡି ଏଠିକାର ସହଚର ଥିଲା। ହେଲେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ସାରା ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରୁଛି। ସେହିପରି କପା ଉତ୍ପାଦନରେ କ୍ରମାଗତ ଭାବେ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରି ଆସୁଛି। ଖାଲି ସେତିକି ନୁହେଁ, ମାଛ ଉତ୍ପାଦନରେ ବି ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ରଖି ଆସୁଛି। ଗୁରୁତ୍ବପୂର୍ଣ କଥା ହେଉଛି ଯେ, ରାଜ୍ୟ ସରକାର କ୍ରମାଗତ ଭାବେ ଦେଶରେ ଶସ୍ୟ ଉତ୍ପାଦନରେ ଶ୍ରେଷ୍ଠ ରାଜ୍ୟ ଭାବେ କୃଷି କର୍ମଣ ପୁରସ୍କାର ପାଉଥିବା ବେଳେ ଏଥିରେ କଳାହାଣ୍ଡି ଜିଲ୍ଲାର ଭୂମିକା ଗୁରୁତ୍ବପୂର୍ଣ ରହିଛି।

ତେବେ, ଏହି ଉଲ୍ଲେଖନୀୟ ସଫଳତାର ପଛରେ ରାଜ୍ୟ ସରକାରଙ୍କ ପ୍ରାୟ ୨ ଡଜନରୁ ଉର୍ଦ୍ଧ୍ବ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ରହିଛି। ଏଥିରେ ଦାରିଦ୍ର୍ଯ ଦୂରୀକରଣ ପାଇଁ ବିଆରଜିଏଫ ଭଳି ବହୁ ଯୋଜନା ରହିଛି। ସେହିପରି ବିଏସକେୱାଇ, ବିଜୁ ପକ୍କା ଘର, ଟଙ୍କିକିଆ ଚାଉଳ ଆଦି ସାଙ୍ଗକୁ ଅନେକ ହିତାଧିକାରୀ ଯୋଜନା ଏବଂ ଭିତ୍ତିଭୂମି ବିକାଶ ପାଇଁ ୫ଟି ଏବଂ ମୋ ସରକାରରେ ଏକାଧିକ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ବିଶେଷ ଭାବେ ଫଳପ୍ରଦ ହୋଇଛି। ବିଜୁ ଏକ୍ସପ୍ରେସ ବେ ସାଙ୍ଗକୁ ପୂର୍ତ୍ତ ବିଭାଗ ଦ୍ବାରା ସବୁ ଅପହଞ୍ଚ ଇଲାକାକୁ ଯୋଡିବା ଯୋଗୁଁ ଲୋକେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ବିପଣନର ସୁଯୋଗ ପାଇପାରିଛନ୍ତି। ଅନ୍ୟତମ ଗୁରୁତ୍ବପୂର୍ଣ କଥା ହେଉଛି ଯେ, କଳାହାଣ୍ଡି ଭଳି ଅନୁନ୍ନତ ଜିଲ୍ଲାକୁ ସମୃଦ୍ଧିର ଶୀର୍ଷ ସୋପାନରେ ପହଞ୍ଚାଇବାରେ ମିଶନ ଶକ୍ତି ମଧ୍ୟ ଏକ ଯୁଗାନ୍ତକାରୀ ଭୂମିକା ନେଇଛି। ଜିଲ୍ଲାର ଲକ୍ଷ ଲକ୍ଷ ମହିଳା ମିଶନ ଶକ୍ତି ମାଧ୍ୟମରେ ଆତ୍ମନିର୍ଭର ହୋଇ ପାରିଥିବା ବେଳେ ହଜାର ହଜାର ମହିଳା ସଫଳ ଉଦ୍ୟୋଗୀ ହୋଇ ପରିବାରର ଆର୍ଥିକ ବୋଝକୁ ଉଠାଇ ସମସ୍ତଙ୍କ ମୁହଁରେ ହସ ଫୁଟାଇବାରେ ସଫଳ ହୋଇଛନ୍ତି।

ତେବେ, ଏହି ସମସ୍ତ ଯୋଜନାର ସଫଳ ରୂପାୟନ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୃଷ୍ଟି ଏବଂ ନିରନ୍ତର ପୟାସ ଏବଂ ସର୍ବୋପରି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଅକ୍ଲାନ୍ତ ପରିଶ୍ରମକୁ ଆଜି ପ୍ରତିଟି ମହଲରେ ପ୍ରଶଂସା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button