ରାଜ୍ୟ

ନୂଆପଲ୍ଲୀ ହଜ ୪ରୁ ଗୋଟିଏ ମାନିଲେ: କାଟୁ କରୁନି କଟକଣା

ଖଣ୍ଡଗିରି: ବିବାଦମୁକ୍ତ ହୋଇପାରୁନି ନୂଆପଲ୍ଲୀ ହଜ। ଜାତୀୟ ସବୁଜ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ଙ୍କ ଆଦେଶ ପରେ କିଛି ଦିନ ପାଇଁ ପ୍ରକାଶ ପାଇଥିବା ତତ୍ପରତା ଏବେ ଶୀଥିଳ ହୋଇଗଲାଣି। ଯେତିକି ଜବରଦଖଲ ଉଚ୍ଛେଦ ହେବା କଥା ହୋଇପାରିନି। ନିକଟ ଅତୀତରେ ଏହା ଭିତରେ ଘଟିଥିବା ଏକ ବିଚିତ୍ର ଘଟଣା ଏହି ହଜକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି। ଜଙ୍ଗଲ ବଭାଗ ସହାୟତାରେ ବିଏମ୍‌ସି ବୃକ୍ଷରୋପଣ କଲା ବେଳେ ଜଣେ ଜବରଦଖଲକାରୀ ତୀବ୍ର ବିରୋଧ କରିବାରୁ ବୃକ୍ଷରୋପଣ ସମ୍ଭବ ହୋଇ ନାହିଁ। ତେବେ ଏହି ଘଟଣା ଉପରେ ପରଦା ରଖିବାକୁ ଯାଇ ଅଧିକାରୀମାନେ ଅନ୍ୟତ୍ର ଗଛ ଲଗାଇଛନ୍ତି। ଏଭଳି ଘଟଣା ପଦାକୁ ଆସିବା ପରେ ମାମଲା ପୁଣି ଥରେ ଏନ୍‌ଜିଟିକୁ ଯିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ୭ ଏକର ଜାଗାରେ ରହିଥିବା ଏହି ହଜ ନିୟମିତ ଜବରଦଖଲ ହେବା ପରେ ୪.୫ଏକରରେ ସୀମିତ ହୋଇ ଯାଇଥିଲା। ୧.୫ଏକର ଜମି ସରକାରୀ ଜବରଦଖଲ ହୋଇଥିଲା। ରାଜୀବ ଆବାସ ଯୋଜନାରେ ବିଏମ୍‌ସି ପୋଖରୀ ଭିତରେ ଘର କରିଥିଲା। ଆଉ ଗୋଟିଏ ଏକର ଜମି ବ୍ୟକ୍ତିଗତ ଜବରଦଖଲରେ ଥିଲା। ଶନି ମନ୍ଦିର ସହ ଆଉ ଗୋଟିଏ ମନ୍ଦିର ମଧ୍ୟ ଏହି ପୋଖରି ଭିତରେ ଥିଲା। କ୍ରମଶଃ ଏହା ଜବରଦଖଲ ହୋଇ ଚାଲିଥିବାରୁ ଏହାର ସୁରକ୍ଷା ପାଇଁ ମାମଲା ଏନ୍‌ଜିଟିରେ ପହଞ୍ଚିଥିଲା। ୨୦୧୩ ମସିହାରେ ଏନ୍‌ଜିଟି ୬ ମାସ ମଧ୍ୟରେ ପୋଖରୀ ଓ ଏହା ସଂଲଗ୍ନ ୧୦ ନମ୍ବର ପ୍ରାକୃତିକ ନାଳରୁ ସମସ୍ତ ଜବରଦଖଲ ହଟାଇବା ପାଇଁ ବିଏମ୍‌ସି ଓ ବିଡିଏକୁ ଆଦେଶ ଦେଇଥିଲେ।

ଦେଢ଼ବର୍ଷ ତଳେ ବିଡିଏ ଏହା ଭିତରୁ ଜଣେ ମହିଳା ଜବରଦଖଲକାରୀ ଓ ମନ୍ଦିରକୁ ଉଚ୍ଛେଦ କରିଥିଲା। ବିଏମ୍‌ସି ଏହାର ପୁନରୁଦ୍ଧାର ପାଇଁ ୪ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲା। ସୌନ୍ଦର୍ଯ୍ୟୀକରଣ ପାଇଁ ଏଥିରୁ ୬୪ଲକ୍ଷ ଖର୍ଚ୍ଚ ହେଲା। ଆବଶ୍ୟକ ପଡ଼ିଲେ ଅଧିକ ଅର୍ଥ ବି ବିନିଯୋଗ ହୋଇ ପାରିବ ବୋଲି ୨୦୨୩ ମସିହାରେ ବିଏମ୍‌ସି ଘୋଷଣା କରିଥିଲା। ଜଳାଶୟକୁ ବ୍ୟାରିକେଡ୍‌ କରାଯିବା ସହ ଯୋଗ ମଣ୍ଡପ, ଚଲାପଥ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ ଉଦ୍ୟାନ ଆଦି ଯୋଜନା ହେଲା। ହେଲେ ଏହା କେବଳ ଯୋଜନାରେ ରହିଗଲା। ଏନ୍‌ଜିଟିଙ୍କ ଆଦେଶ ଆଧାରରେ ଯେଉଁ ଉଚ୍ଛେଦ ହେବା କଥା ତାହା ହୋଇ ପାରିନାହିଁ। ଯେଉଁକିଛି ସ୍ଥାନ ଜବରଦଖଲ ମୁକ୍ତ ହୋଇଥିଲା ତାହା ପୁଣି ଜବରଦଖଲ ହେବାକୁ ବସିଲାଣି। ପୋଖରି ହୁଡ଼ାରେ ପଡ଼ିଥିବା ପେଭର ବ୍ଲକରେ ଘାସ ମାଡ଼ିଗଲାଣି। ଯେଉଁ କେତୋଟି ଫୁଲ ଗଛ ଲାଗିଥିଲା ତାହା ମରିଗଲାଣି। ଏ ନେଇ ଏନ୍‌ଜିଟିର ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି କହିଛନ୍ତି, ଥରେ ଏନ୍‌ଜିଟି ଆଦେଶ ଦେବା ପରେ ବିଏମ୍‌ସି ବିଡିଏ ଅନୁପାଳନ କରିବା କଥା। କିନ୍ତୁ ଅନେକ ଘଟଣାରେ ଆମେ ଦେଖୁଛୁ କୋର୍ଟ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇବା ପରେ କର୍ତ୍ତୃପକ୍ଷ ମାନୁ ନାହାନ୍ତି। ମାମଲା ଆଉ ଥରେ କୋର୍ଟକୁ ଯାଉ ନଥିବାରୁ ଏମାନେ ଖାତିର କରୁନାହାନ୍ତି। ଏଣୁ ଏହି ହଜ ମାମଲାକୁ ଆମେ ପୁଣି ଥରେ ଏନ୍‌ଜିଟିକୁ ନେବୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button