ରାଜ୍ୟ

ଘୋଷଣା କଲେ; ଦେଉ ନାହାନ୍ତି: ବର୍ଦ୍ଧିତ ଭତ୍ତା ପାଇବା ପୂର୍ବରୁ ଆଖି ବୁଜିଲେଣି ବହୁ ହିତାଧିକାରୀ

ଭୁବନେଶ୍ୱର: ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କ ପ୍ରତି ସରକାରଙ୍କ ଛଳନା ଏବେ ରାଜ୍ୟରେ ସୃଷ୍ଟି କରିଛି ତୀବ୍ର ଅସନ୍ତୋଷ। ଚାରି ମାସ ହେଲା ବର୍ଦ୍ଧିତ ଭତ୍ତା ଅପେକ୍ଷାରେ ରାଜ୍ୟର ୪ ଲକ୍ଷରୁ ଊର୍ଦ୍ଧ୍ବ ଅଶୀତିପର ବୟସ୍କ ଓ ୮୦%ରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ଏବେ ସରକାରୀ ପ୍ରତାରଣାର ଶିକାର ହୋଇଛନ୍ତି । ନିର୍ବାଚନ ସମୟରେ ହଜାରେ ଟଙ୍କା ଭତ୍ତାକୁ ୩୦୦୦ ଟଙ୍କା କରାଯିବ ବୋଲି ବିଜେପି ନେତାମାନେ ଘୋଷଣା କଲେ ।

ସରକାର ଗଢ଼ିବା ପରେ ଏକାଧିକ ମନ୍ତ୍ରୀ ଖୁବ୍‌ ଶୀଘ୍ର ଭତ୍ତା ରାଶି ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି କହିଲେ। ଇତିମଧ୍ୟରେ ସରକାର ନିଜ କାର୍ଯ୍ୟକାଳର ଶହେ ଦିନକୁ ଅତି ଆଡ଼ମ୍ବରରେ ପାଳନ କଲେ। ଦଳର ନେତା, ମନ୍ତ୍ରୀମାନେ ପୁରୀରେ ଦୁଇ ଦିନିଆ କାର୍ଯ୍ୟକ୍ରମରେ ନିଜ ଉପଲବ୍ଧି ବଖାଣିଲେ; ମାତ୍ର ଭତ୍ତାକୁ ଚାହିଁ ଚାହିଁ ଚାରି ମାସ ମଧ୍ୟରେ ୨୦୦୦ରୁ ଊର୍ଦ୍ଧ୍ବ ହିତାଧିକାରୀ ଆଖି ବୁଜିଥିଲେ ହେଁ ସରକାର ନିଜ ପ୍ରତିଶ୍ରୁତି ପାଳନ କରିବାରେ ସକ୍ଷମ ହୋଇ ପାରିଲେ ନାହିଁ ।

ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ସମସ୍ତଙ୍କୁ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଦଳର ନିର୍ବାଚନୀ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲା। ଦଳର ଜାତୀୟ ଓ ରାଜ୍ୟ ନେତା ବିଭିନ୍ନ ସମାବେଶରେ ଏହା ଘୋଷଣା କରିଥିଲେ। ମାତ୍ର କ୍ଷମତାକୁ ଆସିଲାପରେ ଏହି ସଂକଳ୍ପ ଓ ପ୍ରତିଶ୍ରୁତିକୁ ବାଏଁ ବାଏଁ ଉଡେ଼ଇ ଦେଲେ। ସମସ୍ତଙ୍କ ପରିବର୍ତ୍ତେ କେବଳ ୮୦ ବର୍ଷ ବୟସରୁ ଊର୍ଦ୍ଧ୍ବ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ସରକାର ୩୫୦୦ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କଲେ। ସରକାରଙ୍କ ନିଷ୍ପତ୍ତିକୁ ନେଇ ଭତ୍ତା ହିତାଧିକାରୀ କ୍ଷୋଭ ପ୍ରକାଶ କରିଥିଲେ ହେଁ ସରକାର ଏହାପ୍ରତି କର୍ଣ୍ଣପାତ କଲେ ନାହିଁ। ଅନ୍ୟପକ୍ଷରେ ଯେଉଁ ହିତାଧିକାରୀଙ୍କ ଭତ୍ତା ରାଶି ବୃଦ୍ଧି କରି ୩୫୦୦ ଟଙ୍କା କରିବେ ବୋଲି କହିଲେ ତାହା ମଧ୍ୟ ଏଯାଏ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଉପରୋକ୍ତ ଦୁଇବର୍ଗଙ୍କୁ ଏଯାବତ୍‌ ବର୍ଦ୍ଧିତ ଭତ୍ତାରାଶି ମିଳିନଥିବା ବେଳେ ସେମାନଙ୍କ ମନରେ ସଂଶୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

ରାଜ୍ୟରେ ଏବେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ମୋଟ୍‌ ୪୭,୪୯,୨୮୭ ଜଣ ବ୍ୟକ୍ତି ଉପକୃତ ହେଉଛନ୍ତି । ଏହି ଭତ୍ତାଧାରୀଙ୍କ ମଧ୍ୟରେ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୮୦ବର୍ଷ ବା ତଦୁର୍ଦ୍ଧ ବୟସର ୧,୫୫,୭୦୯ ଜଣ ହିତାଧିକାରୀ ରହିଛନ୍ତି। ସେହିପରି ରାଜ୍ୟ ସରକାର ଦେଉଥିବା ମଧୁବାବୁ ଯୋଜନାରେ ୮୦ ବର୍ଷ ବା ତାହାଠାରୁ ଅଧିକ ବୟସର ୨,୧୦,୬୮୫ ଜଣ ଭତ୍ତାଧାରୀ ରହିଛନ୍ତି । ଏହି ଦୁଇ ପେନସନ େଯୋଜନାରେ ଥିବା ୮୦ବର୍ଷ କିମ୍ୱା ତଦୁର୍ଦ୍ଧ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୩,୬୬,୩୯୪ । ସେହିଭଳି ଏହି ଦୁଇ ଯୋଜନାରେ ୨,୩୦,୬୦୩ ଜଣ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କେତେଜଣ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ରହିଛନ୍ତି ତାହାର ଆକଳନ ଏଯାଏ ସରକାର କରି ପାରିନାହାନ୍ତି। ଯେଉଁମାନେ ଏହି ବର୍ଗରେ ଆସିବେ ସରକାରଙ୍କ ଘୋଷଣା ଅନୁଯାୟୀ ସେମାନେ ମାସକୁ ୩୫୦୦ ଟଙ୍କା କରି ଭତ୍ତା ପାଇବେ। ତେଣୁ ବର୍ତ୍ତମାନ ୮୦ବର୍ଷ ଓ ତଦୁର୍ଦ୍ଧ ବୟସର ଭତ୍ତା ପାଉଥିବା ବ୍ୟକ୍ତିଙ୍କ ସମେତ ଭିନ୍ନକ୍ଷମ ଆକଳନ ପରେ ମାସିକ ୩୫୦୦ ଟଙ୍କା ଭତ୍ତା ପାଇବାକୁ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୪ଲକ୍ଷରୁ ଅତିକ୍ରମ କରିଯିବ ବୋଲି ଅନୁମାନ କରାଯାଉଛି।

ଭତ୍ତା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଏପରି ଭେଦଭାବ ନିଷ୍ପତ୍ତି ଆରମ୍ଭରୁ ବିଭିନ୍ନ ମହଲରେ ପ୍ରବଳ ସମାଲୋଚନାର ଶିକାର ହୋଇଛି। ଅନ୍ୟପକ୍ଷରେ ଭତ୍ତାକୁ ଚାହିଁ ଚାହିଁ ଅନେକ ହିତାଧିକାରୀ ମଧ୍ୟ ଆଖି ବୁଜିଲେଣି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତ ୪ ମାସ ମଧ୍ୟରେ ଅନ୍ୟୂନ ହଜାରେରୁ ଊର୍ଦ୍ଧ୍ବ ଭତ୍ତା ହିତାଧିକାରୀ ବରିଷ୍ଠ ନାଗରିକ ପରଲୋକ ଯାଇ ସାରିଲେଣି । ମାତ୍ର ରାଜ୍ୟ ସରକାର ଏହି ସ୍ପର୍ଶକାତର ପ୍ରସଙ୍ଗଟି ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button