ରାୟଗଡ଼ା ସିଲଭି କଲଚର ଡିଏଫଓ ସସପେଣ୍ଡ
ରାୟଗଡ଼ା : ରାୟଗଡ଼ା ସିଲଭି କଲଚର ଡିଏଫଓ ଦେବେନ୍ଦ୍ର ବେହେରା ସସପେଣ୍ଡ । ଭବାନୀପାଟଣା ଜାରିଂ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ପିସିସିଏଫଙ୍କ କାର୍ଯ୍ୟାଳୟରେ ରଖାଯାଇଛି । ଏଥିସହ ବିନା ସୂଚନାରେ କାର୍ଯ୍ୟାଳୟ ନ ଛାଡ଼ିବାକୁ କୁହାଯାଉଛି ।
କଟକରୁ ସିସିଏଫଓ ବିକାଶ ରଂଜନ ଦାସ ଗତ ମାସ ୨୮ ତାରିଖ ଦିନ ସିଲଭିକଲଚର କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ।
ସେ ଦୁଇଦିନ ଅବସ୍ଥାନ କରି ସୁଇସାଇଡ ନୋଟରେ ଉଲ୍ଲେଖ ଥିବା ବିଷୟ ସହିତ ଅନ୍ୟାନ୍ୟ ଦିଗରେ ତଦନ୍ତ କରିଥିଲେ। ଏନେଇ ତଦନ୍ତ ରିପୋର୍ଟ ଦେବା ପରେ ଡିଏଫଓଙ୍କୁ ସସପେଣ୍ଡ କରାଯାଇଛି । ରାୟଗଡ଼ାରେ ତଦନ୍ତ ପରେ ସେ ଭବାନୀପାଟଣା ମଧ୍ୟ ଯାଇଥିଲେ । ଗତ ସେପ୍ଟେମ୍ବର ୧୮ରେ ଭବାନୀପାଟଣା ସ୍ଥିତ ଭଡ଼ା ଘରୁ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସଞ୍ଜୟଙ୍କୁ ବାରମ୍ୱାର ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ । ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ ନୋଟକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।