ଭାରତ ଓ ବାଂଲାଦେଶ ଟି-୨୦ ସିରିଜ ପୂର୍ବରୁ ଭାରତକୁ ବଡ଼ ଝଟକା, ଶିବମ ଦୁବେଙ୍କ ସ୍ଥାନରେ ଖେଳିବେ ତିଲକ ବର୍ମା

ଭାରତ ଓ ବାଂଲାଦେଶ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ ଆସନ୍ତାକାଲିରୁ ଆରମ୍ଭ ହେବ । ଗ୍ୱାଲିୟରରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି । ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।
ବିସିସିଆଇ ସୂଚନା ମୁତାବକ, ବ୍ୟାକ ଇଞ୍ଜୁରୀ ବା ପିଠିରେ ଯନ୍ତ୍ରଣା ଯୋଗୁ ଦୁବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି ।
କ୍ରିକେଟ ବୋର୍ଡ ପକ୍ଷରୁ ତାଙ୍କ ବଦଳ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ତିଲକ ବର୍ମା ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଦୁବେଙ୍କ ସ୍ଥାନରେ ଖେଳିବେ ।
ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ, ରିଷଭ ପନ୍ତ ଓ ଯଶସ୍ୱୀ ଜୟସୱାଲ, ବୁମରାଙ୍କ ଭଳି ଖେଳାଳି ଟିମରେ ନାହାନ୍ତି । ଏମାନେ ଏବେ ଟେଷ୍ଟ ସିରିଜରେ ବ୍ୟସ୍ତ ରହିଥିବା ବେଳେ ଟି୨୦ ବାଦ୍ ଦିଆଯାଇଛି । ଦଳରେ ନୂଆ ମୁହଁ ଭାବେ ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ସୁଯୋଗ ମିଳିଛି । ସେହିପରି ସ୍ପିନର ବରୁଣ ଚକ୍ରର୍ବତ୍ତୀଙ୍କୁ ଟିମରେ ସୁଯୋଗ ମିଳିଛି ।
ଆସନ୍ତାକାଲି ପ୍ରଥମ ଟି-୨୦ ଖେଳା ଯିବାକୁ ଥିବା ବେଳେ ୯ ତାରିଖରେ ଦ୍ୱିତୀୟ ଓ ୧୨ ତାରିଖରେ ତୃତୀୟ ଟି-୨୦ ଅନୁଷ୍ଠିତ ହେବ । ବାଂଲାଦେଶ ଟିମ ୦-୨ରେ ଭାରତ ଠାରୁ ଟେଷ୍ଟ ସିରିଜ ହାରିବା ପରେ ଟି-୨୦ରେ କମବ୍ୟାକର ଲକ୍ଷ୍ୟ ରଖିଛି ।