ପୂଜା ପାଇଁ ଥିବା କଳସରେ କେଉଁ ଦେବାଦେବୀଙ୍କର ହୋଇଥାଏ ? ଜାଣନ୍ତୁ.

ନୂଆଦିଲ୍ଲୀ ୦୯।୧୦: ନବରାତ୍ରୀରେ ଦେବୀ ଦୁର୍ଗାଙ୍କୁ କରାଯାଏ ସ୍ବାଗତ । ଭକ୍ତ ମାଙ୍କ ଆଶୀର୍ବାଦ ପାଇବା ପାଇଁ ଧୁମଧାମରେ ପାଳନ କରନ୍ତି ନବରାତ୍ରୀ । ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କ ପୂଜା ପାଇଁ କଳଶ ପ୍ରତିଷ୍ଠା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହା ଘରେ ସୁଖ ଏବଂ ଶାନ୍ତି ଆଣିଥାଏ ବୋଲି ବିଶ୍ୱାସ କରାଯାଏ ।
ନବରାତ୍ରୀର ପ୍ରଥମ ଦିନରେ କଳସ ପ୍ରତିଷ୍ଠା ହୋଇଥାଏ। ମା ଦୁର୍ଗାଙ୍କ ପୂଜା କଳସ ପ୍ରତିଷ୍ଠା ପରେ ହିଁ ଆରମ୍ଭ ହୋଇଥାଏ ।କିନ୍ତୁ ଜାଣନ୍ତି କି ଏହି କଳସରେ କେଉଁ ଦେବାଦେବୀଙ୍କର ବାସ ହୋଇଥାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ତିନି ଦେବତା ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର କଳସରେ ବାସ କରିଥାନ୍ତି ।
ପୌରାଣିକ ବିଶ୍ବାସ ଅନୁଯାୟୀ କଳସର ମୁଖ ଭାଗରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ । ସେହିପରି କଳସର କଣ୍ଠରେ ମହାଦେବ ଏବଂ କଳସର ଗର୍ଭରେ ବାସ କରିଥାନ୍ତି ବ୍ରହ୍ମା । ଏହାବ୍ୟତୀତ କଳସର ମଧ୍ୟ ଭାଗରେ ଦେବୀଙ୍କ ଶକ୍ତି ରୂପର ବାସ ହୋଇଥାଏ । କଳସ ପ୍ରତିଷ୍ଠା ପଛରେ ଏକ ବିଶ୍ୱାସ ରହିଛି ।
କୁହାଯାଏ ଜଳର ପ୍ରବୃତି ଶାନ୍ତ । ପୂଜା କରିବା ସମୟରେ ଆମ ମନ ମଧ୍ୟ ଜଳ ପରି ଶୁଦ୍ଧ ଏବଂ ଶାନ୍ତ ହେବା ଉଚିତ୍ । ସେଥିପାଇଁ କୌଣସି ଶୁଭ ଅବସରରେ କଳସ ସ୍ଥାପନା କରାଯାଏ । କଳସ ଶୁଭ କାର୍ଯ୍ୟର ପ୍ରତୀକ । କଳସ ପ୍ରତିଷ୍ଠା କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆସିଥାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ନବରାତ୍ରୀରେ କଳସ ସ୍ଥାପନ ମାଧ୍ୟମରେ ଘରକୁ ସମସ୍ତ ଶକ୍ତିକୁ ନିମନ୍ତ୍ରଣ ଦିଆଯାଏ । ଏଥିପାଇଁ ହିଁ କଳସ ସ୍ଥାପନା କରାଯାଏ ।




