IBN ଓଡ଼ିଶା ବ୍ୟୁରୋ

ପୁଣି ୨ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ଭାରତରେ ନାଗରିକ ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ଆସୁଥିବା ମିଛ କଲ୍, ସୋସିଆଲ ମିଡିଆ ପୋଷ୍ଟ୍ ଓ ଧମକପୂର୍ଣ୍ଣ ଇ-ମେଲ୍ ଯୋଗୁଁ ଜଟିଳ ସ୍ଥିତି ଉପୁଜୁଛି। କତକାଲି ୭ଟି ବିମାନରେ ବୋମା ରଖାଯାଇଥିବା ଧମକ ମିଳିଥିବା ବେଳେ ଆଜି ପୁଣିଥରେ ୨ଟି ବିମାନକୁ ବୋମା ଧମକ ମିଳିଛି। ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ କରୁଥିବା ଆକାଶ ଏୟାରର ଏକ ବିମାନ ଏବଂ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିବା ଅନ୍ୟ ଏକ ଇଣ୍ଡିଗୋ ବିମାନରେ ବୋମା ବିସ୍ଫୋରଣ କରାଯିବ ବୋଲି ଆଜି ଧମକ ମିଳିବା ପରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଆକାଶ ଏୟାର ମୁଖପାତ୍ର କହିଛନ୍ତି, ବିମାନ କ୍ୟୁପି ୧୩୩୫ରେ ୭ ବିମାନ କର୍ମଚାରୀଙ୍କ ସମେତ ୧୭୪ ଜଣ ଯାତ୍ରୀ ଥିଲେ। ବୋମା ଧମକ ମିଳିବାପରେ ବିମାନକୁ ଦିଲ୍ଲୀ ଫେରାଇବାକୁ ପଡ଼ିଥିଲା ଏବଂ ଦିଲ୍ଲୀରେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ସେହିପରି ଇଣ୍ଡିଗୋର ୬ଇ ୬୫୧ ମୁମ୍ବାଇ-ଦିଲ୍ଲୀ ବିମାନରେ ମଧ୍ୟ ବୋମା ରଖାଯାଇଥିବା ଧମକ ମିଳିବାପରେ ଅହମଦାବାଦରୁ ଏହାର ଦିଗ ପରିବର୍ତ୍ତନ କରାଯାଇଥିଲା। ବିମାନର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା ବୋଲି ଇଣ୍ଡିଗୋ ମୁଖପାତ୍ର କହିଛନ୍ତି। ୩ ଦିନ ମଧ୍ୟରେ ଏହା ଦ୍ବାଦଶ ଘଟଣା ଏବଂ ମାତ୍ର ୪୮ ଘଣ୍ଟା ମଧ୍ୟରେ ୧୦ଟି ବିମାନରେ ବୋମା ବିସ୍ଫୋରଣ ହେବା ନେଇ ଧମକ ମିଳିଛି।

ଏୟାର ଇଣ୍ଡିଆ ଦିଲ୍ଲୀ-ସିକାଗୋ ବିମାନ ବାଦ୍ ଡାମ୍ମମ-ଲକ୍ଷ୍ନୌ ଇଣ୍ଡିଗୋ ବିମାନ, ଅଯୋଧ୍ୟା-ବେଙ୍ଗାଲୁରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ଦରଭଙ୍ଗାରୁ ମୁମ୍ବାଇ ଉଡ଼ାଣ କରୁଥିବା ସ୍ପାଇସ ଜେଟ୍ ବିମାନ , ବାଗଡୋଗ୍ରାରୁ ବେଙ୍ଗାଲୁରୁକୁ ଉଡ଼ାଣ କରୁଥିବା ଆକାଶ ଏୟାର ବିମାନ, ଆଲିଆନ୍ସ ଏୟାର ଅମୃତସର-ଡେରାଡୁନ-ଦିଲ୍ଲୀ ବିମାନ ଏବଂ ମଦୁରାଇରୁ ସିଙ୍ଗାପୁରକୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନକୁ ମଙ୍ଗଳବାର ବୋମା ଧମକ ମିଳିଥିଲା। ଗତ ସୋମବାର ଦିନ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆର ୨ଟି ବିମାନରେ ବୋମା ବିସ୍ଫୋରଣ ହେବା ନେଇ ଧମକ ମିଳିଥିଲ। ଆଜି ସକାଳେ ଏନେଇ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ , ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ଡିଜିସିଏ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ସୁରକ୍ଷା ରଣନୀତି ନେଇ ବିସ୍ତୃତ ଆଲୋଚନା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button