Uncategorized

ଚିଲିକାରେ ପକ୍ଷୀ ସୁରକ୍ଷା ପାଇଁ ଡ୍ରୋନ୍‌

ଚିଲିକା: ଚଳିତ ଅକ୍ଟୋବରରୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ପକ୍ଷୀ ଶିକାର ନେଇ ମଧ୍ୟ ଭୟ ବଢ଼ିଛି। ତେବେ ଶିକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଥର ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ‘ଡ୍ରୋନ୍’କୁ ଅସ୍ତ୍ର କରିବାକୁ ନିଷ୍ପତ୍ତି ନେଇଛି। ପକ୍ଷୀଙ୍କ ଭଳି ଏହି ଡ୍ରୋନ୍ ବି ଆକାଶରେ ଉଡ଼ିବ। ଆକାଶମାର୍ଗରୁ ଶିକାରୀଙ୍କ ଉପରେ ନଜର ରଖିବ।

ଗଲା ଗ୍ରୀଷ୍ମ ପ୍ରବାହ ସମୟରେ ଚିଲିକାର ନଳଘାସରେ ନିଆଁ ଲଗାଉଥିବା ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବାରେ ଡ୍ରୋନ୍ରୁ ଭଲ ସଫଳତା ମିଳିଥିଲା। ତେଣୁ ପକ୍ଷୀ ସୁରକ୍ଷାରେ ଡ୍ରୋନ୍ ନିୟୋଜନ ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଚିଲିକା ଡିଏଫ୍ଓ ଅମ୍ଳାନ ନାୟକ।

ଶ୍ରୀ ନାୟକଙ୍କ କହିବା ମୁତାବକ, ଚିଲିକାରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ହେଉଛି ସର୍ବାଧିକ ଜରୁରୀ। ପକ୍ଷୀଙ୍କ ଆଗମନ ଧୀରେ ଧୀରେ ଆରମ୍ଭ ହୋଇଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ବନ୍ଦୋବସ୍ତ କରାଯାଇଛି। ସବୁବର୍ଷ ପରି ଏଥର ମଧ୍ୟ ପକ୍ଷୀଙ୍କୁ ଜଗିବା ପାଇଁ ଅସ୍ଥାୟୀ ଜଗୁଆଳି ନିଯୁକ୍ତ ହୋଇ ସାରିଛନ୍ତି। ପୂରା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ମୋଟ ୨୧ଟି କ୍ୟାମ୍ପ୍ କରାଯାଇଛି। ପ୍ରତ୍ୟେକ କ୍ୟାମ୍ପ୍ରେ ପାଟ୍ରୋଲିଂ ହେବ। ବିଶେଷକରି ପାହାନ୍ତିଆ ସମୟକୁ ବିଭାଗ ଗୁରୁତ୍ବ ଦେଇଛି। କାରଣ ଏହି ସମୟରେ ପକ୍ଷୀ ଶିକାର ମାତ୍ରା ଅଧିକ ହୋଇଥାଏ। ଟାଙ୍ଗୀ ବ୍ଲକ୍ର ସୋରଣଠାରୁ ଆରମ୍ଭ କରି ସାତପଡ଼ା ଆଦି ଅନେକ ଅଞ୍ଚଳ ପକ୍ଷୀଙ୍କ ପାଇଁ ବିପଦପୂର୍ଣ୍ଣ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏମିତି ଅନେକ ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିଛନ୍ତି, ଯେଉଁଠି ପକ୍ଷୀ ଶିକାର ହେବାର ଆଶଙ୍କା ଅଧିକ ରହିଛି।

ଏହି ଅଞ୍ଚଳରେ ଫ୍ଲାଗ୍ମାର୍ଚ୍ଚ କରାଯିବ ବୋଲି ଡିଏଫ୍ଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ତା’ ସହିତ ଚିଲିକାର ଅପନ୍ତରା ଅଞ୍ଚଳରେ ଡ୍ରୋନ୍ ଉଡ଼ାଯିବ। କିଏ କେଉଁଠି ଲୁଚି ପକ୍ଷୀଙ୍କ ପାଇଁ ଫାଶ ବସାଇଛି, କିଏ ବିଷ ଢାଳୁଛି; ତାହାର ଟିକିନିଖି ଦୃଶ୍ୟ ଡ୍ରୋନ୍ ସହାୟତାରେ ମିଳିପାରିବ। ପକ୍ଷୀଙ୍କ ଉଡ଼ିବା ସମୟରେ ଡ୍ରୋନ୍ ଯେମିତି କ୍ଷତିକାରକ ସାବ୍ୟସ୍ତ ନ ହୁଏ, ସେଥିପାଇଁ ଚିଲିକା କୂଳେ କୂଳେ ଡ୍ରୋନ୍ ବ୍ୟବହାର କରିବାକୁ ଯୋଜନା କରାଯାଇଛି। ରାତିରେ ହାତୀଙ୍କ ଉପରେ ନଜର ରଖିବା ପାଇଁ ଖୋର୍ଦ୍ଧା ବନଖଣ୍ଡ ପାଖରେ ଅତ୍ୟାଧୁନିକ ଡ୍ରୋନ୍ ରହିଛି। ଦରକାର ପଡ଼ିଲେ, ଚିଲିକାର ଶିକାରୀଙ୍କୁ ରାତିରେ ଜଗିବା ପାଇଁ ଖୋର୍ଦ୍ଧା ବନଖଣ୍ଡଠାରୁ ସ୍ବତନ୍ତ୍ର ଡ୍ରୋନ୍ ମଗାଯିବ ବୋଲି ଡିଏଫ୍ଓ ଶ୍ରୀ ନାୟକ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button