ରାଜ୍ୟ

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ଦୁଇ ଯୁବତୀଙ୍କୁ ହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା/ଡେରାବିଶ: ଅଟୋରେ ଦୁଇ ଯୁବତୀଙ୍କୁ ନିଛାଟିଆ ଜାଗାକୁ ନେଇ ସେମାନଙ୍କୁ ଲୁଟ୍ ଓ ହତ୍ୟା ଉଦ୍ୟମ ଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଅଞ୍ଚଳରେ। ଗତକାଲି ରାତିରେ ଅଟୋଚାଳକ ଜଣକ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରି ବିଫଳ ହେବା ପରେ ସୁନାଚେନ୍ ଲୁଟି ଫେରାର୍ ହୋଇଯାଇଛି। ଜୀବନ ବଞ୍ଚାଇବାକୁ ଦୁଇ ସାଙ୍ଗ ଅଟୋରୁ ଡେଇଁ ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଆହତ ସଦର ଥାନା ତିନିଘରିଆ ଜଅଁରାବାରିମୂଳ ଗ୍ରାମର ସିପ୍ରା ସୋନାଲି ମହାପାତ୍ରଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଟୋରେ ସୋନାଲିଙ୍କ ସହ ଥିବା ସ୍ମୃତିପ୍ରଜ୍ଞା ପରିଡ଼ା ଡେରାବିଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି।

ଜଅଁରାବାରିମୂଳ ଗ୍ରାମର ସ୍ମୃତିପ୍ରଜ୍ଞା କରିଥିବା ଅଭିଯୋଗ ଅନୁଯାୟୀ ସେ ଓ ତାଙ୍କ ସାଙ୍ଗ ସୋନାଲି ଗତକାଲି କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ଡିଏମ୍ଏଲ୍ଟି ତାଲିମ ପାଇଁ ଯାଇଥିଲେ। ସେଠାରୁ ଘରକୁ ଏକ ଅଟୋରେ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅଟୋ ଚାଳକ ଜଣକ ଲ’ କଲେଜ ଛକ ନିକଟ ପେଟ୍ରୋଲ ପମ୍ପ୍ରେ ତେଲ ପକାଇ ଘରକୁ ନେଉଥିବା ବେଳେ ଚଣ୍ଡୀବଜାର ନିକଟ ବାମପଟ ନିଛାଟିଆ କେନାଲ ରାସ୍ତାକୁ ଅଟୋ ବୁଲାଇ ଥିଲା। ସେମାନେ ଏହାର ପ୍ରତିବାଦ କରିବାରୁ କିଛି ବାଟ ଆଗକୁ ଯାଇ ଅଟୋ ଚାଳକ ସୋନାଲିଙ୍କ ତଣ୍ଟି ଚିପି ଧରିବା ସହିତ ସ୍ମୃତିପ୍ରଜ୍ଞାଙ୍କ ମୋବାଇଲ୍ ଫୋନ ଛଡ଼ାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସ୍ମୃତିପ୍ରଜ୍ଞାଙ୍କ ସୁନା ଚେନ୍କୁ ଛିଣ୍ତାଇ ଚାଳକ ଅଟୋକୁ ଦ୍ରୁତ ଗତିରେ ନେଇ ପଳାଉଥିବା ବେଳେ ସେମାନେ ଜୀବନ ବଞ୍ଚାଇବା ପାଇଁ ଗାଡ଼ିରୁ ଡେଇଁ ପଡ଼ିଥିଲେ।

ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଗାଡ଼ିରୁ ଡେଇଁ ସୋନାଲିଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସ୍ମୃତିପ୍ରଜ୍ଞାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ପ୍ରଥମେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୋନାଲିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର କଟକ ବଡ଼ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ସେ ଏବେ କଟକର ଏକ ଘରୋଇ ନର୍ସି˚ହୋମ୍ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ଜିଲ୍ଲା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସ୍ମୃତିପ୍ରଜ୍ଞା ଘରକୁ ଫେରିଛନ୍ତି। ଡେରାବିଶ ଥାନା ଅଧିକାରୀ କିଶୋର ଚନ୍ଦ୍ର ତରାଇ କହିବା ଅନୁଯାୟୀ ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button