ରାଜ୍ୟ

ନିଆଳୀ ବ୍ଲକ ଘେରାଉ ଆନ୍ଦୋଳନରେ ଯୋଗ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ – Ibnodisha

[ad_1]

ଭୁବନେଶ୍ୱର  : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ୯ ଦଫା ଦାବି ନେଇ ୩୧୪ ବ୍ଲକ ଘେରାଉ କରିଥିଲା କଂଗ୍ରେସ । ଆଜି କଂଗ୍ରେସ ନେତା ତଥା ପିସିସି ସମ୍ପାଦକ ଶଶୀକାନ୍ତ ଲେଙ୍କାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ନିଆଳୀ ପେଟ୍ରୋଲ ଟାଙ୍କି ଛକରୁ ସ୍ୱାଗତ କରି ବ୍ଲକ ପର୍ଯ୍ୟନ୍ତ ନିଆଯାଇଥିଲା । ଶ୍ରୀ ପଟ୍ଟନାୟକ ଆଜି ନିଆଳୀ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କହିଲେ ଯେ ରାଜ୍ୟରେ ବି.ଜେ.ଡ଼ି ସରକାର ଓ କେନ୍ଦ୍ରରେ ବି.ଜେ.ପି ସରକାର ଶାସନ କାଳରେ ଗାଁ ଗଣ୍ଡାର ବିକାଶ ହୋଇପାରି ନାହିଁ । ସାଧାରଣ ଲୋକଙ୍କର ହିତସାଧନ ମଧ୍ୟ ହୋଇପାରିନାହିଁ । ପଂଚାୟତ ଠାରୁ ବ୍ଲକ ଅଫିସ ଓ ଡି.ଆର.ଡ଼ି.ଏ ଅଫିସ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତିର ଚେର ମାଡ଼ି ଗଲାଣି । ସବୁଠାରେ ୧୫% ରୁ ୫୦ % ପି.ସି. କାରବାର ଚାଲିଛି । ଉଭୟ ସରକାର ଶହ ଶହ କୋଟି ଟଙ୍କାର ବିଜ୍ଞାପନ ଦେଇ ଗାଁ ଗଣ୍ଡା ବିକାଶର ମିଛ ରଙ୍ଗୀନ ଚିତ୍ର ଦେଖାଉଥିବା ବେଳେ ଗାଁର ଗରୀବ ବାପୁଡ଼ା ମୁହଁ ମାଡ଼ି ପଡ଼ିଛି । ଚାଷୀ ତା’ ଅମଳର ମୂଲ୍ୟପାଉନି । ଓଡ଼ିଆ ଯୁବକ ହାତକୁ କାମ ନାହିଁ । ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଛି । ବିଜେଡ଼ି ସରକାର ପି.ସି. ର ସରକାର ବୋଲି କ୍ଷୋଭର ସହ ପ୍ରକାଶ କରିଥିଲେ ।

ମା’କୁ ସମ୍ମାନର ନାରା ଦିଆଯାଉଛି । ଓଡ଼ିଶାରେ ନାରୀ ନିର୍ଯ୍ୟାତନା ବଢ଼ିଚାଲିଛି । ଦଳିତମାନେ ନାର୍ଯ୍ୟ ସୁବିଧାରୁ ବଂଚିତ ଓ ଉପେକ୍ଷିତ । ପଛୁଆବର୍ଗ, ଜନଜାତି ସମୁଦାୟଙ୍କ ପାଖରେ ବିକାଶ ଏବେ ବି ଅପହଂଚ । ସବୁଠାରୁ ବଡ଼ ପ୍ରଣିଧାନ ଯୋଗ୍ୟ କଥା ହେଉଛି ଭାଜପା ଶାସିତ ରାଜ୍ୟ ମଣିପୁରରେ ହୋଇଥିବା ନାରୀ ନିର୍ଯ୍ୟାତନା ଓ ଗଣଧର୍ଷଣ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ଅର୍ଥାତ ଭାରତୀୟ ଜନତାପାର୍ଟି କୁ ସମର୍ଥନ କରି ରାଜ୍ୟ ବିଜେଡ଼ି ସରକାର ନିଜର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ।
ଉପା କଂଗ୍ରେସ ସରକାର ଅମଳରେ କାର୍ଯ୍ୟକାରୀ କରାଯାଇଥିବା ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଦି ଯୋଜନାର ନାମ ବଦଳାଇ ବି.ଜେ.ପି କେନ୍ଦ୍ର ସରକାର ବାହାଦୁରୀ ନେବାର ଭେଳିକି କରିଛନ୍ତି । ପଂଚାୟତ ସ୍ତରରେ ଲୋକଙ୍କ ହାତକୁ କାମ ଦେବା ସହ ରାସ୍ତାଘାଟ, ପୋଖରୀ ଆଦି ବିକାଶ ମୂଳକ ଯୋଜନା ପାଇ ସେତେବେଳେ କାର୍ଯ୍ୟକାରୀ କରାଯାଉଥିବା ବିକାଶମୂଳକ ଯୋଜନାକୁ ସଙ୍କୁଚିତ କରି ଦିଆଯାଇଛି ।
କଂଗ୍ରେସ ସରକାର ଆରମ୍ଭ କରି କାର୍ଯ୍ୟକାରୀ କରି ଆସୁଥିବା ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାର ନାମ କେନ୍ଦ୍ର ସରକାର ବଦଳାଇବା ଏବଂ ରାଜ୍ୟ ସରକାର ତାକୁ ରାଜ୍ୟ ପେନସନ ଯୋଜନା ଭାବରେ କାର୍ଯ୍ୟକରିବା ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି । ବ୍ଲକ ଅଫିସ ପାଲଟିଛି ଦୁର୍ନୀତିର ଗନ୍ତାଘର । ଦଲାଲ ମାନଙ୍କର ଆଡ୍ଡାସ୍ଥଳୀ । ସରକାରୀ ଅଫିସରମାନେ ଦଲାଲ ମାନଙ୍କ ସହ ସଲାସୁତୁରା କରି ସରକାରୀ ଅର୍ଥ ହରିଲୁଟ କରୁଛନ୍ତି । ଯୋଗ୍ୟ ହିତାଧିକାରୀ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଂଚିତ ହେଉଛନ୍ତି । ତଦୃପ ଅବସ୍ଥା ତହସିଲ, ଆର.ଡ଼ି., ଜଳସେଚନ ଠାରୁ ଆରମ୍ଭ କରି କୃଷି ଆଦି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଦେଖାଯାଉଛି । ପୁଲିସଥାନା ଦଳୀୟ ଧାରାରେ ଚାଲିଛି । ନିରୀହ ଲୋକଙ୍କ ଉପରେ ପୋଲିସ ଜୁଲମ୍ ବଢ଼ିଚାଲିଛି । ସ୍କୁଲରେ ଶିକ୍ଷକ ନାହାନ୍ତି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । କୋଟି କୋଟି ଟଙ୍କାରେ ତିଆରି ବାହାରକୁ ଚକ୍ ଚକ ଦେଖାଯାଉଥିବା ୫-ଟି ସ୍କୁଲର ଛାତ କାନ୍ଥ ଭୁଷୁଡ଼ି ପଡ଼ୁଛି । ଗରୀବ ଚାଷୀଟିଏ ରୋଗିଣୀ ସ୍ତ୍ରୀ ଚିକିତ୍ସା ପାଇଁ, ଝିଅ ବାହା ପାଇଁ, ପୁଅ ପାଠ ପଢ଼ା ପାଇଁ ଋଣ ପାଇବା ତ ଦୂରର କଥା ଫସଲରରେ ଖଟାଇବା ପାଇଁ ମଧ୍ୟ ତାକୁ ଋଣ ମିଳୁ ନାହିଁ । ଚାଷୀକୁ ସମବାୟ ଋଣ ଠିକ୍ ସମୟରେ ମିଳୁନି । ଫସଲ ଉଜୁଡ଼ି ଗଲେ ବି ଚାଷୀକୁ ଫସଲବୀମା ମିଳୁନାହିଁ । ଏଣେ ସମବାୟ ଅନୁଷ୍ଠାନ ସମ୍ପୂର୍ଣ୍ଣ ପେପର ଟ୍ରାଞ୍ଜାକ୍‌ସନ୍ ରେ ଚାଲିଛି । ଓଡ଼ିଶା ବିଧାନ ସଭାରେ ସରକାରୀ ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କିରବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଇଥିଲେ ମଧ୍ୟ ନା କେନ୍ଦ୍ର ସରକାର ଏହାକୁ ବଢ଼ାଉଛନ୍ତି ନା ରାଜ୍ୟ ସରକାର ବୋନସ୍ ଆକାରରେ ବଢ଼ାଉଛନ୍ତି । କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଚାଷୀମାନଙ୍କୁ ଏମ୍‌.ଏସ୍‌.ପି ମୂଲ୍ୟ ବୃଦ୍ଧି କରି ନିଜସ୍ୱ ତହବିଲରୁ ଭରଣା କରୁଛନ୍ତି । ଧାନ କିଣିବା ସମୟରେ କଟନୀ ଛଟନୀ ବନ୍ଦ କରାଯାଉ । ସମସ୍ତ ୩୧୪ ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯାଉ ।
୧୯୯୫ ମସିହାରେ କଂଗ୍ରେସ ସରକାର ଆସିବା ବେଳକୁ ବିଜୁଳି ଅବସ୍ଥା ବେହାଲ ଥିଲା । ତାକୁ ସୁଧାରିବା ପାଇଁ ବିଜୁଳି ସଂସ୍କାର ଓଡ଼ିଶାରେ ଲାଗୁ ହେଲା । ବିଜୁଳି କାଟ ବନ୍ଦ ହେଲା । କିନ୍ତୁ ଏବେ ବିଜୁଳି କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଥିବା ଓଡ଼ିଶାରେ ବିଜୁଳି ବିଭ୍ରାଟ ସହ ସମସ୍ତ ବିଜୁଳି ବ୍ୟବସ୍ଥାରେ ବିପର୍ଯ୍ୟୟ ଆଡ଼କୁ ଗତି କରିଛି । ଟାଟା କମ୍ପାନୀ ହାତରେ ବିଜୁଳି ଆଲୁଅ ଯୋଗାଣ ଟାଟା ବଟିକା ଖାଇ ଓଡ଼ିଶା ସରକାର ନିଘୋଡ଼ ନିଦରେ ଶୋଇଥିବାବେଳେ ଗାଁ ଗଣ୍ଡାରେ ୟୁନିଟ୍ ପିଛା ଅଧିକ ଦେୟ ଦେଇ ବିଜୁଳି କିଣୁଥିବା ଉପଭୋକ୍ତା ଅନ୍ଧାରରେ ଛଟପଟ ହେଉଛି ।
ବେକାରୀ ଯବୁକ ମାନଙ୍କୁ ଚାକିରୀ ନାହିଁ ଅଥଚ ତଳୁ ଆରମ୍ଭ ମୁଖ୍ୟମନ୍ତ୍ରୀଙ୍କ ଆଦି ଅଫିସରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଖୋଦ୍ ଅଫିସର ପର୍ଯ୍ୟନ୍ତ ଅବସର ଲୋକଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି ।
ଓଡ଼ିଶାରେ ମା’ ପେଟରୁ ଜନ୍ମ ନେଉଥିବା କଅଁଳା ପିଲାଟିର ମୁଣ୍ଡ ଉପରେ ସରକାରୀ ଋଚ୍ଚର ବୋଝ ୨୨୦୦୦ ଟଙ୍କାରୁ ଉର୍ଦ୍ଧ୍ୱ । ଗରୀବ ଲୋକଟିଏ ଋଣ ସୁଝି ନ ପାରିଲେ ତା ନାଁରେ କେସ୍‌, ସମ୍ପତି ତା’ର କୋରଖ୍ ହେଉଛି । କଂଗ୍ରେସ ଉପା ସରକାର ଚାଷୀମାନଙ୍କର ୭୨ ହଜାର କୋଟି ଟଙ୍କା ଛାଡ଼ କରିଥିବାବେଳେ ବି.ଜେ.ପି କେନ୍ଦ୍ର ସରକାର ଗରୀବ ଲୋକଙ୍କ ଟିକସରୁ ଋଣ ନେଇଥିବା ବଡ଼ ବଡ଼ ପୁଞ୍ଜିପତି ମାନଙ୍କୁ ଋଣ ଛାଡ଼ କରିଛନ୍ତି ।
ରାଜ୍ୟ ଓ କେନ୍ଦ୍ର ସରକାର ହାଣ୍ଡିଶାଳ ଉପରେ ଘର ବଜାର ଉପରେ ଲଗାମ ନାହିଁ । ମହଙ୍ଗାମାଡ଼ରେ ଦରମଲା ହେଲେଣି । ଗତ ୫ବର୍ଷରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି କରି ସାଧାରଣ ଜନତା ଠାରୁ ଲିଟର ପିଛା ୧୦ ଟଙ୍କା ଶୋଷି ନିଆଯାଉଛି ଓ ଅପରପକ୍ଷରେ ମୋଦି-ଶାହାଙ୍କ ବନ୍ଧୁ ତିନିଗୋଟି କମ୍ପାନୀ ଅତି କମ୍‌ରେ ୭ଲକ୍ଷ କୋଟି ଟଙ୍କା ଲାଭ ଭାବେ ଲୁଟି ନେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ଅବସରରେ ପିସିସି ସମ୍ପାଦକ ଶଶୀକାନ୍ତ ଲେଙ୍କାଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ୟେଶରେ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ସୌଭାଗ୍ୟ ରଞ୍ଜନ ବସ୍ତିଆ, ଯୁବ ସଭାପତି ଅମୀୟ ରଞ୍ଜନ ନାୟକ, ଛାତ୍ର ସଭାପତି ସୂର୍ଯ୍ୟନାରାୟଣ ସ୍ୱାଇଁ, କେଦାର ସାହୁ, ବେଣୁଧର ସ୍ୱାଇଁ, ଭବନୀ ଶଙ୍କର ନାୟକ, ସୁଧାଂସୁ ପରିନା, ବିଭୂତି ମହାପାତ୍ର, ଦୁଶାସନ ସାହୁ, ବାବୁନା ସ୍ୱାଇଁ,ପ୍ରଦିପ୍ତ ସ୍ୱାଇଁ, ମନୋରଞ୍ଜନ ବେହେରା, ବିଷ୍ଣୁ ରଞ୍ଜନଡାଳୁଆ, ନାରାୟଣ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ସୁବାସ ଚନ୍ଦ୍ର ରାଉତ, ପ୍ରମୋଦ ଜେନା, ସଲୀଳ ସ୍ୱାଇଁ, ଜ୍ୟୋତି ରଞ୍ଜନ ମଲ୍ଲିକ, ଗଗନ ଭୋଇ, ନିର୍ମଳ ସିଂ, ବଂଶିଧର ବେହେରା, ବଂଶିଧର ରାଜ, ଏସ୍‌.କେ.କରିଫ୍‌, ମଲ୍ଲିକ ୟୁନୁସ୍‌, ମିର ଅଜିମ୍‌, ବିଜୁ ସିଂ, ପ୍ରସନ୍ନ କୁମାର ପାତ୍ର, ଦେଓ ପ୍ରସାଦ, ଶ୍ରୀନିବାସ ରାଉତର ରାୟ, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ଜ୍ଞାନ ପଟ୍ଟନାୟକ, ନରୋତମ ନାୟକ, ଦୀପକ କୁମାର ମହାପାତ୍ର ପ୍ରମୁଖ ବହୁ ଯୁବ, ଛାତ୍ର, ମହିଳା ଓ କଂଗ୍ରେସ ଶୁଭେଚ୍ଛୁ ଯୋଗ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button