ରାଜ୍ୟ

ଭୁବନପୁରରେ ମିଳୁନି ପାଇପ୍‌ ଜଳ: ପାଣି ପାଇଁ ଗାଁ ଦାଣ୍ଡରେ ଧାଡ଼ି

ବାଲିଅନ୍ତା ବଜାର: ବାଲିଅନ୍ତା ପଞ୍ଚାୟତ ଭୁବନପୁର ଗ୍ରାମର ୨ନମ୍ବର ୱାର୍ଡବାସୀ ପାଇପ୍ ଜଳ ପାଉନାହାନ୍ତି। ଗାଁ ଦାଣ୍ଡରେ ଘର ଆଗରେ ଟ୍ୟାପ୍ ଲାଗିଥିଲେ ହେଁ ଲୋକମାନଙ୍କୁ ୧ କିମି ଦୂରରେ ଥିବା ନଳକୂଅକୁ ଧାଇଁବାକୁ ପଡ଼ୁଛି। ନଳକୂଅରୁ ଯଥେଷ୍ଟ ଜଳ ବାହାରୁ ନଥିବାରୁ ମହିଳାମାନେ ଗରା, ବାଲ୍ତିସବୁକୁ ଧାଡ଼ିରେ ରଖି ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।

ଗରାଏ ପାଣି ପାଇଁ ଘଣ୍ଟାଘଣ୍ଟା ଠିଆ ହେବାକୁ ପଡ଼ୁଛି। ଏନେଇ ୱାର୍ଡବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

୨୦୨୨ ମସିହାରୁ ଏଠାରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ସରିଛି। ଗାଁକୁ ମଧ୍ୟ ପାଣି ପାଇପ୍ ଯାଇଛି ଏବଂ ଗାଁ ଦାଣ୍ଡରେ ବିଭିନ୍ନ ସ୍ଥାନରେ ଟ୍ୟାପ୍ ଲାଗିଛି। ପ୍ରକଳ୍ପ ଆରମ୍ଭରୁ ପାଇପ୍ରେ ପାଣି ଆସୁଥିଲା ଏବଂ ଲୋକେ ଟ୍ୟାପ୍ରୁ ପାଣି ନେଉଥିଲେ। କିନ୍ତୁ ପ୍ରାୟ ୧୦ ମାସ ହେଲା ଜଳ ଯୋଗାଣ ଅନିୟମିତ ହେଉଛି। ବାରମ୍ବାର ଅଭିଯୋଗ ହେବାରୁ ସରପଞ୍ଚ ମରାମତି କରାଇଥିଲେ ଏବଂ ଜଳ ଯୋଗାଣ ଚାଲିଥିଲା। କିନ୍ତୁ ଏବେ ପୂରା ଠପ୍। ପାଖାପାଖି ମାସେ ହେଲାଣି ପାଇପ୍ ଜଳ ଯୋଗାଣ ବନ୍ଦ। ଯାନ୍ତ୍ରିକ ତ୍ରୁଟି ପାଇଁ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଗାଁ ଲୋକେ ନଳକୂଅ ଉପରେ ଭରସା କରିରହିଛନ୍ତି। ବଡ଼ କଥା ହେଉଛି, ୨ଟି ନଳକୂଅରୁ ଗୋଳିଆ ପାନୀୟ ଅନୁପଯୁକ୍ତ ପାଣି ବାହାରୁଛି। ୧ କିମି ଦୂରରେ ଥିବା ଗୋଟିଏ ନଳକୂଅରୁ ପାନୀୟଯୋଗ୍ୟ ଜଳ ବାହାରୁଛି।

ତେଣୁ ୨ନମ୍ବର ୱାର୍ଡର ପାଖାପାଖି ୩୫ ପରିବାର ସେହି ଗୋଟିଏ ନଳକୂଅ ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ନଳକୂଅ ପାଖରେ ଭିଡ଼ ହେଉଛି ଏବଂ ମହିଳାମାନେ ଗରା, ବାଲ୍ତି ସବୁକୁ ଧାଡ଼ିରେ ରଖି ଠିଆହୋଇ ରହୁଛନ୍ତି। ଗୋଟିଏ ଗରା ପାଣି ପାଇଁ ନିହାତି ଅଧଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏନେଇ ବିଭାଗୀୟ(ଆର୍ଡବ୍ଲ୍ୟୁଏସ୍ଏସ୍) ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଫୋନ୍ କଲେ ମଧ୍ୟ ସମ୍ଭବ ହୋଇନଥିଲା। କିନ୍ତୁ ସରପଞ୍ଚ କୃଷ୍ଣକେଶବ ଆପଟ୍ଟଙ୍କ କହିବା କଥା ମରାମତି ପାଇଁ ଅର୍ଥ ନାହିଁ ବୋଲି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି। ତେଣୁ ସେ ନିରୁପାୟ। ସରପଞ୍ଚଙ୍କ ଅସହାୟତା ଜାଣିବା ପରେ ଲୋକମାନେ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ପ୍ରସ୍ତୁତ ହେଉଥିବା କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button