ରାଜ୍ୟ

ପୂଜା ଗେଟ୍‌ ଖୋଲିଦିଅ; ବୁଧବାର ସୁଦ୍ଧା ମାଆ ଗଜଲକ୍ଷ୍ମୀଙ୍କୁ ମେଲାଣି ଦିଅ

ଜଲକ୍ଷ୍ମୀ ପୂଜା ପାଇଁ ତିଆରି ହୋଇଥିବା ଆକର୍ଷଣୀୟ ଗେଟ୍ ଶୀଘ୍ର ଖୋଲିଦିଅ। ବୁଧବାର ସୁଦ୍ଧା ମାଆ ଗଜଲକ୍ଷ୍ମୀଙ୍କୁ ଧରା ପୃଷ୍ଠରୁ ମେଲାଣି ଦେଇଦିଅ। ବାତ୍ୟା ‘ଦାନା’କୁ ଦେଇ କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଆଜି ଏପରି ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ପୂଜା ଆୟୋଜକ ତୋରଣ ଖୋଲିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି।

ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ପ୍ରସିଦ୍ଧା। ଏହି ଦୁଇ ଜିଲ୍ଲାରେ ଜାକଜକମରେ ପୂଜା ଆୟୋଜନ କରାଯାଇଛି। ଆକର୍ଷଣୀୟ ମେଢ ସାଙ୍ଗକୁ ବଡ଼ବଡ଼ ଲାଇଟ୍ ଗେଟ୍ ତିଆରି ହୋଇଛି। ଏଥିସହ ମିନା ବଜାର ଓ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଉଛି। ଦୀର୍ଘ ଦିନ ଧରି ଚାଲିଥାଏ ଏହି ମେଳା। ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥାଏ। ହେଲେ ଏଥର ପୂଜା ବଜାରକୁ ମାନ୍ଦା କରିଦେଇଛି ‘ଦାନା’। ଯେଉଁ ପେଟ ପାଇଁ ଦାନା ଯୋଗାଡ କରିବାକୁ ବ୍ୟବସାୟୀଟି ପଲ୍ଲିଶ୍ରୀରେ ମେଲାଇଥିଲା ପସରା, ଆଜି ସେହି ପେଟକୁ ଲାତ ମାରିଛି ବାତ୍ୟା ‘ଦାନା’। ଧିରେ ଧିରେ ‘ଦାନା’ ଭୟଙ୍କର ହେଉଥିବାରୁ ଶୀଘ୍ର ଲାଇଟ୍ ଗେଟ୍ ଓ ତୋରଣ ଖୋଲିବାକୁ ଦୁଇ ଜିଲ୍ଲାର ପ୍ରଶାସନ ନିଷ୍ପତ୍ତି ନେଇଛି।

ବାତ୍ୟା ମୁକାବିଲା ନେଇ କେନ୍ଦ୍ରାପାଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ବେହେରା, ଏସ୍ପି ସିଦ୍ଧାର୍ଥ କଟାରିଆ ପ୍ରମୂଖ ଉପସ୍ଥିତ ରହି ବାତ୍ୟା ମୁକାବିଲା ନେଇ ଆଲୋଚନା କରିଥିଲେ। ବାତ୍ୟା ‘ଦାନା’ ଭୟଙ୍କର ରୂପ ଧାରଣ କରୁଥିବାରୁ ଆଜି ରାତି ସୁଦ୍ଧା ପୂଜା ଅନୁଷ୍ଠାନ ଗୁଡିକ ସମସ୍ତ ବାଉଁଶ ଓ ଲାଇଟ୍ ଗେଟ ଖୋଲିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ୨୩ ତାରିଖ ସୁଦ୍ଧା ମାଆ ଗଜଲକ୍ଷ୍ମୀଙ୍କ ପ୍ରତିମା ବିସର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି

ସେପଟେ ଆଜି ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗଦେଇ ବାତ୍ୟା ମୁକାବିଲା ନେଇ ଆଲୋଚନା କରିଥିଲେ। ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ତିଆରି ହୋଇଥିବା ବଡ ବଡ କପଡା ଗେଟ ଓ ଲାଇଟ୍ ଗେଟ ଖୋଲିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହାଛଡ଼ା ବୁଧବାର ସୁଦ୍ଧା ମାଆ ଗଜଲକ୍ଷ୍ମୀଙ୍କୁ ମେଲାଣି ଦେବାକୁ ପୂଜା ଅନୁଷ୍ଠାନକୁ କୁହାଯାଇଛି। ମୀନା ବଜାରରେ ଦୋକାନ କରିଥିବା ହଜାର ହଜାର ସଂଖ୍ୟାରେ ଦୋକାନୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଆଉ ରାଜ୍ୟ ବାହାରୁ ଆସିଥିବା ଉଠା ଦୋକାନୀଙ୍କୁ ଅର୍ବାନ ସେଣ୍ଟର ହୋମରେ ରଖାଯିବାର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ଭାରତୀୟ ପାଣିପାଗ ପୂର୍ବାନୁମାନ ଅନୁସାରେ ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ରହିଛି। ତେଣୁ ସତର୍କ ହୋଇଛନ୍ତି ଓଡ଼ିଶା ସରକାର। ବାତ୍ୟା ସମୟରେ ଯେପରି କୌଣସି ଅଘଟଣ ନଘଟିବ, ସେଥିପ୍ରତି ତୀକ୍ଷଣ ନଜର ରଖାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button