ରାଜନଗରରେ ସର୍ବାଧିକ କ୍ଷତି: ଭାଙ୍ଗିଲା ୫୦ ହଜାରରୁ ଅଧିକ ଗଛ, ଶତାଧିକ ଘର
ରାଜନଗର/କେନ୍ଦ୍ରାପଡ଼ା/ଜଗତସିଂହପୁର: ବାତ୍ୟା ‘ଦାନା’ ରାଜନଗରର ହବାଳିଖଟିରେ ସ୍ଥଳଭାଗ ଛୁଇଁବା ସହ ଭିତରକନିକା ଓ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଗତକାଲି ମଧ୍ୟରାତ୍ରିରୁ ୧୫୦ କିମିରୁ ଅଧିକ ବେଗରେ ପବନ ସହିତ ମୂଷଳ ଧାରାରେ ବର୍ଷା ହୋଇଛି। ଆଜି ସକାଳୁ ପବନ କମିଥିଲେ ବି ଦିନତମାମ ବର୍ଷା ଲାଗି ରହିଛି। ରାଜନଗର ବ୍ଲକ୍ର ୨୯ଟି ପଞ୍ଚାୟତରେ କ୍ଷୟକ୍ଷତି ହୋଇଛି।
ସେଥିରୁ ୮ଟି ପଞ୍ଚାୟତରେ ଅଧିକ କ୍ଷୟକ୍ଷତି ହୋଇଛି। ୫୦ହଜାରରୁ ଅଧିକ ଗଛ ଓ ଶହଶହ ସଂଖ୍ୟାରେ କଚ୍ଚା ଏବଂ ଆଜ୍ବେଷ୍ଟସ୍ ଘର ଭାଙ୍ଗିଛି। ‘ଦାନା’ ତାଣ୍ତବ ରଚିବା ସମୟରେ ରାଜନଗର ବ୍ଲକ୍ ଅଞ୍ଚଳରେ ୩ଜଣଙ୍କର ମୃତ୍ୟୁ ଖବର ଆସିଛି। କିନ୍ତୁ ବାତ୍ୟା ଅଘଟଣ ସହିତ ସେମାନଙ୍କ ମୃତ୍ୟୁର ସିଧାସଳଖ ସଂପର୍କ ନଥିବା କୁହାଯାଉଛି। ବାତ୍ୟା ପ୍ରଭାବରେ ରାଜନଗରରେ ଗତକାଲି ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଗତକାଲି ରାତିରେ ରାଜନଗର-ତାଳଚୁଆ ରାସ୍ତାର ତାଳଚୁଆ, ଜ୍ୟୋତିପ୍ରସାଦ ନିକଟରେ ଜୁଆର ପାଣି ଲୁଣା ଘେରିବନ୍ଧରେ ମାଡ଼ ହୋଇ ଭେଡ଼ା ମଧ୍ୟକୁ ପ୍ରବେଶ କରିଥିଲା। ପୁରୁଣା ଜନବସତି ସାତଭାୟା ଅଞ୍ଚଳରେ ଜୁଆରପାଣି ମାଡ଼ିଥିଲା। ଗଙ୍ଗାମାତା ମନ୍ଦିରକୁ ଜୁଆରପାଣି ଘେରି ରହିଛି। ରାଜନଗର-ତାଳଚୁଆ, ରାଜନଗର-ଗୁପ୍ତି, ଡାଙ୍ଗମାଳ-ଡାଲଖାଇ, ଟିକାୟତନଗର-ଶୈଳେନ୍ଦ୍ରନଗର, ଡାଲଖାଇ-ରଙ୍ଗଣୀ, ଗଦାଧରପୁର ରାସ୍ତା ସମେତ ଅନେକ ରାସ୍ତାର ପାର୍ଶ୍ବରେ ଥିବା ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି। ତାଳଚୁଆ, ବାଘମାରି, କେରୁଆଁପାଳ, ରଙ୍ଗଣୀ, ଡାଙ୍ଗମାଳ, ଖମାରସାହି, କୃଷ୍ଣନଗର, ଈଶ୍ବରପୁର, ଗୁପ୍ତି, ହାତିନା ପ୍ରଭୃତି ପଞ୍ଚାୟତରେ ହଜାର ହଜାର ସଂଖ୍ୟାରେ ଗଛ ଭାଙ୍ଗିଛି।
ବାତ୍ୟା ସମୟରେ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ହେମାଳିଲତା ବେହେରା (୮୦ ବର୍ଷ) ବାଙ୍କୁଆଳସ୍ଥିତ ମା’ ଜୟଦୁର୍ଗାଙ୍କ କଲ୍ୟାଣ ମଣ୍ତପ ଆଶ୍ରୟସ୍ଥଳରେ ରହିଥିଲେ। ରାତ୍ରି ଭୋଜନ ସାରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଦେହ ଅସୁସ୍ଥ ହେବାରୁ ମନ୍ଦିର ବାହାରେ ୧୦୦ ମିଟର ଦୂରରେ ଥିବା ତାଙ୍କ ଘରକୁ ପରିବାର ଲୋକ ନେଇ ଯାଇଥିଲେ। କିନ୍ତୁ ଘରେ ପହଞ୍ଚିବା କ୍ଷଣି ତାଙ୍କର ମତ୍ୟୁ ଘଟିଥିଲା। ସେହିପରି ବାଲିସାହିପାଟଣା ପଞ୍ଚାୟତ ମଧୁପୁର ଗାଁର ହରେକୃଷ୍ଣ ରାଉତ (୭୨), ସାନବଡ଼ଗୋପାଳପୁର କିଆଯୋରୀ ଗାଁର ବଳରାମ ସ୍ବାଇଁ (୭୫)ଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ପ୍ରାଥମିକ କ୍ଷୟକ୍ଷତି ଆକଳନ ଅନୁସାରେ, ବାତ୍ୟା ‘ଦାନା’ ପ୍ରଭାବରେ ଜିଲ୍ଲାର ୨୪୯ ପଞ୍ଚାୟତର ୧୫୯୩ଟି ଗାଁ ଓ ଦୁଇଟି ପୌରାଞ୍ଚଳର ୪୪ଟି ଵାର୍ଡର ୧୫ ଲକ୍ଷ ୮୪ହଜାର ୩୯୭ ଲୋକ ପ୍ରଭାବିତ ହୋଇଥିବା ବେଳେ ୧ଲକ୍ଷ ୨୧ହଜାର ୧୧୬ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିନଥିବା ବେଳେ ୭ଟି ଗୃହପାଳିତ ପଶୁଙ୍କ ଜୀବନ ଯାଇଛି। ବାତ୍ୟା ପ୍ରଭାବରେ ସର୍ବାଧିକ କ୍ଷତି ରାଜନଗର ବ୍ଳକ୍ରେ ହୋଇଛି। ଏହି ବ୍ଲକ୍ରେ ୮୫ଟି ଛାତ ଘର, ୧୦୦ଟି କଲଭର୍ଟ, ୫୦ଟି ସ୍କୁଲ୍ର କ୍ଷୟକ୍ଷତି ହୋଇଥିବା ବେଳେ ପଟ୍ଟାମୁଣ୍ତାଇ ବ୍ଲକ୍ରେ ୩୬ଟି କୋଠା ଘର, ୧୭ଟି କଲଭର୍ଟ, ୧୧ଟି ଲେଖାଏଁ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ୍ରେ କ୍ଷତି ଘଟିଛି। ଆଳି ବ୍ଲକ୍ରେ ୧୯ଟି କୋଠାଘର, ୧୩ଟି କଲଭର୍ଟ, ୨୩ଟି ଅଙ୍ଗନବାଡ଼ି କେନ୍ଦ୍ର, ୫୧ଟି ସ୍କୁଲ, ମହାକାଳପଡ଼ା ବ୍ଲକ୍ର ୧୦ଟି ସ୍କୁଲ୍ ଏବ˚ ପଟ୍ଟାମୁଣ୍ତାଇ ପୌରାଞ୍ଚଳର ଗୋଟିଏ କୋଠା ଘର କ୍ଷତି ହୋଇଛି। ଜିଲ୍ଲାରେ ୪୫୯ଟି କଚ୍ଚା ଘର, ଗୋଟିଏ ପକ୍କା ଘର, ୩ଟି କୁଡ଼ିଆ ଘର, ୨୬୨ଟି ଗୁହାଳ ଘରର ଆ˚ଶିକ କ୍ଷତି ଘଟିଛି। ୭୭ହଜାର ୧୬୬ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। ରାଜକନିକା, ରାଜନଗର, ପଟ୍ଟାମୁଣ୍ତାଇ ଏବ˚ ମାର୍ଶାଘାଇରେ ସବୁଠୁ ଅଧିକ ବର୍ଷା ହୋଇଥିବାରୁ ୮୩୨ଟି ଗ୍ରାମର ୨୮ହଜାର ୪୨୬ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।
ଅନ୍ୟପଟେ ଜଗତସିଂହପୁରରେ ବାତ୍ୟା ପ୍ରଭାବରେ ସମୁଦ୍ରରେ ସ୍ବାଭାବିକଠାରୁ ୪ରୁ ୫ ଫୁଟ ଉପରକୁ ଜୁଆର ଉଠି ୧୦୦ରୁ ୧୫୦ ମିଟର ପର୍ଯ୍ୟନ୍ତ କୂଳକୁ ମାଡ଼ି ଆସିଥିଲା। ୪୧୧୬୭ ଜଣ ସ୍ଥାନାନ୍ତର ହୋଇଥିଲେ। କେବଳ ପାରାଦୀପ ପୌରାଞ୍ଚଳରେ ପ୍ରାୟ ୨୫ ଆଶ୍ରୟସ୍ଥଳୀରେ ୫୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ରାତି ପର୍ଯ୍ୟନ୍ତ ପାରାଦୀପ ବେଳାଭୂମିରେ ବିଏନ୍ଏସ୍ର ଧାରା-୧୬୩ ବଳବତ୍ତର ରହିଛି। କଟକ ଜିଲ୍ଲାରେ ଆଜି ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିଲେ ବି ବାତ୍ୟାର ବିଶେଷ କିଛି ପ୍ରଭାବ ପଡ଼ି ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।